Japanese celebrate Holi in Puri: ରଙ୍ଗର ପର୍ବ ହେଉଛି ହୋଲି। ମହାପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ର ପୁରୀରେ ମଧ୍ୟ ଧୁମଧାମରେ ପାଳିତ ହୋଇଛି ହୋଲି। ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀଦେବୀ ଏବଂ ଭୂଦେବୀଙ୍କ ସହ ଫଗୁ ଖେଳିଥିଲେ ଦୋଳଗୋବିନ୍ଦ। ଦୋଳ ପୂର୍ଣ୍ଣିମା ପରେ ଶ୍ରୀକ୍ଷେତ୍ରରେ ବିଦେଶୀ ଖେଳିଛନ୍ତି ହୋଲି। ସେପଟେ ଝାଡେଶ୍ୱରୀ କ୍ଲବ ପକ୍ଷରୁ କ୍ରୀଡାବିତଙ୍କୁ ନେଇ ପାଳିତ ହୋଇଛି ଦହି ହାଣ୍ଡି ଭଙ୍ଗା କାର୍ଯ୍ଯକ୍ରମ।


COMMERCIAL BREAK
SCROLL TO CONTINUE READING

କେବଳ ହିନ୍ଦୁ ନୁହଁନ୍ତି ମୁସଲମାନ, ଖ୍ରୀଷ୍ଟିଆନ ଆଦି ବିଭିନ୍ନ ଧର୍ମାବଲମ୍ବୀ ମଧ୍ୟ ବେଶ ଧୂମଧାମର ସହ ପାଳନ କରିଛନ୍ତି ହୋଲି। ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଏହାର ସ୍ପଷ୍ଟ ଉଦାହରଣ। ଯେଭଳି ମହାପ୍ରଭୁ ଜାତି, ଧର୍ମ, ବର୍ଣ୍ଣ ନମାନି ଶ୍ରୀମନ୍ଦିର ବାହାରକୁ ଆସି ସମସ୍ତଙ୍କ ସହ ହୋଲି ଖେଳିଥାନ୍ତି। ଠିକ୍ ସେହିପରି ହୋଲି ଅବସରରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ। ଏଠାରେ ବିଦେଶୀ ରଙ୍ଗର ପର୍ବ ହୋଲି ଖେଳିଥିଲେ। ସେମାନେ ଭାରତୀୟଙ୍କ ସହ ରଙ୍ଗ ଖେଳି ରାଷ୍ଟ୍ରୀୟ ସମ୍ପର୍କ ଯୋଡିବାକୁ ପ୍ରୟାସ କରିଛନ୍ତି। 


ପୁରୀ ସହରର ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲ ଠାରେ ରହୁଥିବା ଜାପାନୀ ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ ସେଣ୍ଟର ନାମକ ଏକ ଅନୁଷ୍ଠାନ ଗଢି ଭାରତ-ଜାପାନ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିଛନ୍ତି। କେବଳ ଆଜି ନୁହେଁ ଦୀର୍ଘବର୍ଷ ହେବ ଏହି ପରମ୍ପରା ଜାରି ରହିଛି। ଏହି ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ପାଳିତ ହୋଇଥାଏ ହୋଲି ଉତ୍ସବ। ଉଭୟ ଭାରତୀୟ ଏବଂ ଜାପାନୀ ମାନେ ମିଳିତ ଭାବେ ସ୍ୱତନ୍ତ୍ର ଶୋଭାଯାତ୍ରାରେ ବାହାରି ରଙ୍ଗ ଖେଳିଥାନ୍ତି। ସମୁଦ୍ରରେ ସ୍ନାନ କରି ମୌଜ କରିଥାନ୍ତି। ପ୍ରଥମେ ଭାବର ଆଦାନ ପ୍ରଦାନ ଆଉ ଏବେ ଭାଷାରେ ବୁଝିବା ଆରମ୍ଭ କଲେଣି। ଚାଲିଚଲଣି ମଧ୍ୟ ବେଶ ଭୂଷାରେ ମଧ୍ୟ ଦେଶୀ ବିଦେଶୀଙ୍କ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ। ହୋଲିର  ମାହୋଲ ସମଗ୍ର ପରିବେଶକୁ ଏକ ନିଆରା ଅନୁଭୂତି ପ୍ରଦାନ କରିଛି।


ସେପଟେ ପୁରୀର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ଝାଡେଶ୍ୱରୀ କ୍ଲବ ପରିସରରେ ମହା ଆଡମ୍ବରରେ ପାଳିତ ହୋଇଛି ହୋଲି। କ୍ରୀଡାବିତଙ୍କୁ ନେଇ ଦହି ହାଣ୍ଡି ଭଙ୍ଗା କାର୍ଯ୍ଯକ୍ରମ ବେଶ ଧୂମଧାମର ସହ ପାଳିତ ହୋଇଛି। ଯେଉଁଥିରେ ଶତାଧିକ କ୍ରୀଡାବିତ ସାମିଲ ହେବା ସହ ବହୁ ଆଡମ୍ବରରେ ଦହି ହାଣ୍ଡି ଭଙ୍ଗା ଯାଇଛି। ପ୍ରତିବର୍ଷ ପୁଅ ଦହିହାଣ୍ଡି ଭାଙ୍ଗୁଥିଲେ। ହେଲେ ଚଳିତବର୍ଷ ବ୍ଯତିକ୍ରମ ହୋଇଛି। ଏଥର ପୁଅପିଲା ନୁହେଁ ବରଂ ଝିଅ ଦହିହାଣ୍ଡି ଭାଙ୍ଗି ବିଜୟୀ ହୋଇଛନ୍ତି।  


ଦୋଳ ଉତ୍ସବରେ ପୁରୀ ଆସିଲେ ମିଳିଥାଏ ତିନୋଟି ପୁଣ୍ୟ। ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ, ଦୋଳ ଗୋବିନ୍ଦଙ୍କ ଫଗୁଖେଳ ଆଉ ମିଳିଥାଏ ମହୋଦଧିରେ ସ୍ନାନ କରିବାର ସୁଯୋଗ।