Odisha News: ବଢ଼ି ଚାଲିଛି ଖରା ତାତି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ହନ୍ତସନ୍ତ ରାଜ୍ୟବାସୀ । କିନ୍ତୁ ଏହି ଖରା ତାତିଠୁ ଆଗାମୀ ସାଧାରଣ ନିର୍ବାଚନ ନେଇ ରାଜନୀତି ତାତି ଆହୁରି ତୀବ୍ର ହେବାରେ ଲାଗିଛି। ଟିକେଟ ନପାଇ ନେତା ଦଳ ବଦଳାଉ ଥିବା ଦେଖିବାକୁ ମିଳୁଛି । ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳର ନେତା ନିଜ ଆସନ ବଞ୍ଚେଇବା ପାଇଁ ବ୍ୟସ୍ତ ଥିବାବେଳେ ଜନତାଙ୍କ ଦୁଃଖ ବୁଝିବାକୁ ଭୁଲି ଯାଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପଶି ଗ୍ରାମ ନିକଟରେ। ଉକ୍ତ ଗ୍ରାମ ଦେଇ ଯାଇଛି ପଳାସପଙ୍ଗା ବାମେବାରି ରାସ୍ତା । ଏହି ରାସ୍ତାରେ ଆଇରନ ଟ୍ରକ୍ ସହଜରେ ପରିବହନ ପାଇଁ କିଡକୋ ସଂସ୍ଥା ଦ୍ୱାରା ରାସ୍ତା ନିର୍ମାଣ କରାଯାଇଥିଲା। ଉକ୍ତ ରାସ୍ତାରେ ପ୍ରତିଦିନ ଆବଶ୍ୟକତା ଠାରୁ ଅଧିକ ଆଇରନ ଟ୍ରକ୍ ପରିବହନ କରି ଆସୁଛି। ଫଳରେ ଉକ୍ତ ରାସ୍ତାର ଅବସ୍ଥା ବିପର୍ଯ୍ୟୟ ହୋଇ ପଡ଼ିଛି। ବିଶେଷ କରି, କଣ୍ଡରାପଶି ଠାରେ ଏହି ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତା ମଧ୍ୟରେ ବଡ଼ ବଡ଼ ଖାଲ ହୋଇ ଯାଇଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି ।


ଏହା ସହ ଉକ୍ତ ରାସ୍ତା ନଷ୍ଟ ହୋଇ ଯାଇଥିବାରୁ ରାସ୍ତାର ଧୂଳି ଯୋଗୁଁ ରାସ୍ତା କଡ଼ରେ ଥିବା ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଖାଲଖମା ଯୋଗୁଁ ଉକ୍ତ ଅଞ୍ଚଳ ପାଇ ସାତ ସପନ ପାଲଟିଛି ଆମ୍ବୁଲାନ୍ସ ସେବା। ଏନେଇ କଣ୍ଡରାପଶି ଗ୍ରାମବାସୀ ବ୍ଳକରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରି ନୟାନ୍ତ ହୋଇ ପଡିଲେଣି। ବହୁବାର ରାସ୍ତା ଅବରୋଧ କରିବା ପରେ ଗତମାସ ଉକ୍ତ ରାସ୍ତା ଦେଇ ଚଳାଚଳ କରିଥିବା ଖଣି କମ୍ପାନୀର ଅଧିକାରୀ ମାନେ ରାସ୍ତା ମରାମତି କରିବା ସହ ଦୈନିକ ପାଣି ସିଞ୍ଚନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କିଛିଦିନ ପାଣି ଚିଞ୍ଚିବା ପରେ ଏହାକୁ ବନ୍ଦ କରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Also Read- ଆଖଣ୍ଡଳମଣି ମନ୍ଦିର ବେଢାରେ ସେବାୟତଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ ନେଇ ଅଭିଯୋଗ


ଏନେଇ ଆଜି ଶତାଧିକ କଣ୍ଡରାପଶି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟକୁ ଆସି ଅଭିଯୋଗ କରିଛନ୍ତି। ଚବିଶ ଘଣ୍ଟା ମଧ୍ୟରେ ରାସ୍ତା ମରାମତି ଓ ପାଣି ସିଞ୍ଚନ ନ କଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ନେଇ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ତେବେ ଯଥାଶୀଘ୍ର ଦାବି ପୂରଣ ହେବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ଜଣାପଡିଛି।