Habisyali Admitted in Hospital after Injury in Puri: ପୁରୀ ଶ୍ରୀମନ୍ଦିରରେ ମଙ୍ଗଳାଳତୀ ସମୟରେ ଠେଲାପେଲା। ଘଣ୍ଟିଦ୍ୱାର ଏବଂ ସାତପାହାଚ ନିକଟରେ ଠେଲାପେଲା। ବହୁ ହବିଷ୍ଯାଳୀଙ୍କ ସମେତ ୩୦ ଜଣରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ବଗଲା ଧର୍ମଶାଳା ସରକାରୀ ହବିଷ୍ଯାଳୀ ଶିବିର ଠାରେ ରହିଥିବା ଜଣେ ହବିଷ୍ଯାଳୀଙ୍କ ଗୋଡରେ ଲାଗିଛି ଶକ୍ତ ଆଘାତ। ଆହତ ମହିଳାଙ୍କୁ ପୁରୀ ସଦର ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଛି। ଆହତଙ୍କୁ ତୁରନ୍ତ ମେଡିକାଲ ନେବା ପାଇଁ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ଏଭଳି ଘଟଣା ଦର୍ଶନ ବ୍ଯବସ୍ଥାରେ ଅହେତୁକ ତ୍ରୁଟି ରହିଥିବା କାରଣରୁ ଘଟିଥିବାର ଅଭିଯୋଗ ହୋଇଛି। 


COMMERCIAL BREAK
SCROLL TO CONTINUE READING

ମଙ୍ଗଳାଳତୀ ପରେ ସିଂହଦ୍ୱାର ବ୍ୟାରିକେଡ୍ ଖୋଲାଯିବା ସମୟରେ ହବିଷ୍ଯାଳୀଙ୍କୁ ମଧ୍ୟ ଏକ କାଳିନ ମନ୍ଦିରକୁ ଛଡାଯାଇଥିଲା। ଯାହା ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ହେବା ସହ ଠେଲାପେଲା ହୋଇଥିଲା। ଜଗନ୍ନାଥ ମନ୍ଦିର ପୋଲିସ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଆହତ ହବିଷ୍ଯାଳୀ ତଥା ଭକ୍ତଙ୍କ କହିବା କଥା ଯେ ଠେଲାପେଲା ସମୟରେ ଲୋକେ ସେମାନଙ୍କ ଉପରେ ଚଢିଯିବା ସହ ଚକଟି ଦେଇଥିଲେ। ଯାହା ଫଳରେ ବହୁ ଭକ୍ତ ଆହତ ହେବା ସହ ଅନେକ ଗୁରୁତର ଅଛନ୍ତି। କିଛି ଆହତଙ୍କୁ ଶ୍ରୀମନ୍ଦିର ଭିତରେ ଥିବା କାର୍ଯ୍ଯାଳୟରେ ରଖିଥିଲେ। ସେଠାରେ ସେମାନଙ୍କୁ ଫ୍ଯାନ୍ ଏସି ଲଗାଇ ଶୋଇ ଦେଇଥିଲେ। ଓଆରଏସ ପାଣି ମଧ୍ୟ ପିଇବାକୁ ଦେଇଥିଲେ। ମାତ୍ର ଆହତଙ୍କୁ ପର୍ଯ୍ଯାୟକ୍ରମେ ମେଡ଼ିକାଲ ପଠାଯାଉଛି। ଦର୍ଶନ ବ୍ଯବସ୍ଥାରେ ଗଭୀର ତ୍ରୁଟି କାରଣରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବାର ଅଭିଯୋଗ ହୋଇଛି। 


ଗତକାଲି ମଧ୍ୟ ଏଭଳି ପରିସ୍ଥିତି ଉପୁଜିବା ଆଶଙ୍କା ଥିଲା। ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ନୀତିକାନ୍ତି ବିଳମ୍ବ ହୋଇଥିଲା। ହଜାର ହଜାର ଭକ୍ତ ବ୍ଯାରିକେଡ ଠାରେ ଦର୍ଶନ କରିବାକୁ ଅପେକ୍ଷା କରିଥିଲେ। ଏହି ସମୟରେ ସରକାରୀ ହବିଷ୍ଯାଳି ଶିବିରଙ୍କୁ ଟିକେ ବିଳମ୍ବରେ ହବିଷ୍ଯାଳୀଙ୍କୁ ଆସିବା ପାଇଁ ସୂଚନା ଦିଆଯାଇ ପାରିଥାନ୍ତା। ଯାହା ଫଳରେ ମନ୍ଦିରରେ ଗହଳି କମିଥିଲେ ହବିଷ୍ଯାଳୀଙ୍କୁ ଅଣାଯାଇ ଶୃଙ୍ଖଳିତ ଭାବେ ଦର୍ଶନ କରାଯାଇ ପାରିଥାନ୍ତା। ହେଲେ କିଛି ନିର୍ଦ୍ଦିଷ୍ଟ ପୁଲିସ ଅଧିକାରିଙ୍କ ମନମାନି କାରଣରୁ ଶହଶହ ହବିଷ୍ଯାଳୀଙ୍କୁ ଆଣି ସିଂହଦ୍ଵାରରେ ଛଡାଯାଇଥିଲା। ଯାହା ଫଳରେ ବ୍ୟାରିକେଡ ଠାରେ ହଜାର ହଜାର ଭକ୍ତ ଏବଂ ବାହାରେ ହଜାର ହଜାର ହବିଷ୍ଯାଳୀଙ୍କ ଭିଡ ଜମିଥିଲା। 


ହବିଷ୍ଯାଳୀ ଉପବାସ ରହିଥିବାରୁ ପୋଲିସ କ୍ଯାମ୍ପ ନିକଟରେ ବସିଯାଇ ବହୁ ସମୟ ଧରି ଅପେକ୍ଷା କରିଥିଲେ। ସବୁଠାରୁ ବିଡମ୍ବନାର ବିଷୟ ଯେତେବେଳେ ଦର୍ଶନ ଆରମ୍ଭ ହୋଇଥିଲା ସେତେବେଳେ ଏକକାଳୀନ ଉଭୟ ସାଧାରଣ ଭକ୍ତଙ୍କ ହବିଷ୍ଯାଳୀଙ୍କୁ ମନ୍ଦିର ଭିତରକୁ ଛଡାଯାଇଥିଲା। ଯାହା ଫଳରେ ସିଂହଦ୍ଵାର ଗୁମୁଟରେ ଭକ୍ତଙ୍କ ପ୍ରବେଶ ବେଶ୍ କଷ୍ଟକର ହୋଇଥିଲା। ସୁରକ୍ଷା କର୍ମୀଙ୍କ ମନମାନି କାରଣରୁ ଶୁକ୍ରବାର ଠେଲାପେଲା ଭଳି ଏକ ଅଭାବନୀୟ ଘଟଣା ଘଟିଥିବାର ଆଶଙ୍କା କରାଯାଉଛି।