ଭୁବନେଶ୍ୱର: କ୍ୟାପିଟାଲ୍ ରିଜିୟନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସହରୀ ଜନ ପରିବହନ ପ୍ରକଳ୍ପ। ମୋ ବସ୍ ସେବାରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଓ ଯାତ୍ରୀମାନଙ୍କ ପାଇଁ ସହଜ, ସରଳ ଯାତ୍ରା ପାଇଁ ଏକ ନୂତନ ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍ ଉନ୍ମୋଚନ ହୋଇଛି । ଯେଉଁଥିରେ ଚଳନ୍ତା ବସ୍‌ଗୁଡ଼ିକର ଟ୍ରାକିଂ ଏବଂ ବସ୍ ମଧ୍ୟରେ ଥିବା ବାସ୍ତବିକ ସମୟର ଯାତ୍ରୀଙ୍କ ସ୍ଥିତି ଜାଣିହେବ । ଏହି ଆପ୍‌କୁ ବ୍ୟବହାର କରି ଯାତ୍ରୀମାନେ ଅନ୍‌ଲାଇନ୍ ଟିକେଟ୍ ଏବଂ ପାସ୍ କରିବା ସହିତ ଏହାର ନବୀକରଣ କରିପାରିବେ ।


COMMERCIAL BREAK
SCROLL TO CONTINUE READING

ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍‌ର ଉଭୟ ଆଣ୍ଡ୍ରଏଡ଼୍ ଏବଂ ଆଇଓଏସ୍ ଭର୍ସନ ଉନ୍ମୋଚନ ହୋଇଛି । ଯେଉଁଥିରେ ଯାତ୍ରୀମାନେ ମୋ ବସ୍ ସେବା ଉପଲବ୍ଧ ଥିବା ପ୍ରତ୍ୟେକ ସହର ଓ ଏହାର ରୁଟ୍ ବିଷୟରେ ସେଥିରୁ ଜାଣିପାରିବେ । ଏହି ନୂତନ ଆପ୍ ମାଧ୍ୟମରେ ମୋ ବସ୍‌ରେ ଯାତ୍ରା କରିବା ସମୟରେ ହିଁ ଜଣେ ଯାତ୍ରୀ ନିଜର ଟିକେଟ୍ ବୁକ୍ କରିପାରିବେ ଏବଂ ଆଗାମୀ ଯାତ୍ରାର ଯୋଜନା ସହଜରେ ପ୍ରସ୍ତୁତ କରିହେବ । ବସ୍ ପହଞ୍ଚିବା ପୁର୍ବରୁ ମୋ ବସ୍ ମଧ୍ୟରେ ଯାତ୍ରୀଙ୍କ ଉପସ୍ଥିତି ଜାଣିବା ସହିତ ଷ୍ଟପେଜ୍‌ରେ ବସ୍ ପହଞ୍ଚିବାର ଆନୁମାନିକ ସମୟ ମଧ୍ୟ ଜାଣିହେବ । ତା ସହିତ ଆପଣ ଆପଣଙ୍କ ଚର୍ତୁପାଶ୍ୱର୍ରେ ଉପସ୍ଥିତ ବସ୍ ମାନଙ୍କୁ ଦେଖିପାରିବେ । ଆପଣଙ୍କ ସହର ଓ ନିଜ ଭାଷା ଚୟନ କରି ଏହାକୁ ବ୍ୟବହାର କରିପାରିବେ ।


ଏହି ଅବସରରେ ଭୁବନେଶ୍ୱର ଉନ୍ନୟନ କମିଶନର୍‌, ଅତିରିକ୍ତ ଶାସନ ସଚିବ ଏବଂ କ୍ରୁଟ୍ ଅଧ୍ୟକ୍ଷା ଦାୟିତ୍ୱରେ ଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀମତି ଅନୁ ଗର୍ଗ କହିଛନ୍ତି ଯେ, “ବର୍ତ୍ତମାନ ଯାତ୍ରୀମାନେ ଏହି ନୂତନ ଆପ୍ ବ୍ୟବହାର କରି ସେମାନଙ୍କ ବସ୍ ଆଗମନର ଲାଇଭ୍ ଟ୍ରାକିଂ ତଥା ମୋ ବସ୍ ସେମାନଙ୍କ ଷ୍ଟପେଜ୍‌ରେ ପହଞ୍ଚିବାର ବାସ୍ତବିକ ସମୟ ଜାଣିବା ସହିତ ଆଗାମୀ ଯାତ୍ରାର ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହେବ ।”


ଗୃହ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ସଚିବ ଶ୍ରୀ ଜି.ମାଥୀ ଭାଥନନ୍ କହିଛନ୍ତି ଯେ “ନୂତନ ମୋବାଇଲ୍ ଆପ୍ ଏବଂ ମୋ ବସ୍ କାର୍ଡ ପ୍ରମୋସନାଲ ଅଫର ଡିଜିଟାଲ୍ ପେମେଣ୍ଟକୁ ଆହୁରି ସହଜ କରିବ ଏବଂ ଯାତ୍ରୀମାନଙ୍କ ପାଇଁ ନିରନ୍ତର ଯାତ୍ରା ସୁନିଶ୍ଚିତ କରିବ ।”



ଶ୍ରୀମତି ଗର୍ଗ ମୋବାଇଲ୍ ଆପ୍ ଉନ୍ମୋଚନ ସହିତ ପୂର୍ବରୁ ଆରମ୍ଭ ହୋଇଥିବା ମୋ ବସ୍ କାର୍ଡ଼ର ଏକ ନୂଆ କାର୍ଡ଼ ସହିତ ସ୍ୱତନ୍ତ୍ର ଅଫର୍ ମଧ୍ୟ ଘୋଷଣା କରିଛନ୍ତି । ୫୦ ଟଙ୍କା ଦେଇ କାର୍ଡ଼ କ୍ରୟ କରିବା ପରେ, ୫୦୦ ଟଙ୍କାର ରିଚାର୍ଜ ଉପରେ ୪୦ ପ୍ରତିଶତ ଏବଂ ୧୦୦୦ ଟଙ୍କାର ରିଚାର୍ଜ ଉପରେ ୫୦ ପ୍ରତିଶତ ଲାଭାଂଶ ମୂୂଲ୍ୟ ସହିତ କାର୍ଡ଼ ପାଇପାରିବେ । ଉଦାହରଣ ୫୦୦ ଟଙ୍କାରେ ଯାତ୍ରୀଙ୍କୁ ୭୦୦ ଟଙ୍କା ମୂଲ୍ୟର କାର୍ଡ଼ ମିଳିବା ସମୟରେ ୧୦୦୦ ଟଙ୍କାର ରିଚାର୍ଜ ଉପରେ ୧୫୦୦ ଟଙ୍କା ମୁଲ୍ୟର କାର୍ଡ଼ ପାଇପାରିବେ । ଏହି ସ୍ୱତନ୍ତ୍ର ଅଫର୍ ମାର୍ଚ୍ଚ ୧ ତାରିଖରୁ ସୀମିତ ସମୟ ପାଇଁ ବିକ୍ରୟ ହେବ । ମୋ ବସ୍‌ର ପ୍ରତିଟି ରୁଟ୍‌ରେ ଗାଇଡ଼୍‌ମାନଙ୍କଠୁ କିମ୍ବା ମାଷ୍ଟର୍‌କାଣ୍ଟିନ୍ ବସ୍ ଟର୍ମିନାଲ୍ ଏବଂ ପଟିଆ ମୋ ବସ୍ ମୁଖ୍ୟ କାର୍ଯ୍ୟାଳୟକୁ ଆସି ଏହି ନୂତନ ମୋ ବସ୍ କାର୍ଡ଼ କ୍ରୟ କରିପାରିବେ । କଟକ ନେତାଜୀ ବସ୍ ଟର୍ମିନାଲ୍ ଏବଂ ରାଉର୍‌କେଲା ବସ୍ ଷ୍ଟାଣ୍ଡ୍‌ରେ ମଧ୍ୟ ଏହା ବିକ୍ରୟ ହେବ । 


କ୍ୟାପିଟାଲ୍ ରିଜିୟନ୍ ଏବଂ ରାଉରକେଲାର ବିଭିନ୍ନ ସ୍ଥାନରେ ମଧ୍ୟ ଏହାର ବିକ୍ରୟ ପାଇଁ ବ୍ୟବସ୍ଥା କରାହେବ । ଏହାକୁ କ୍ରୟ କରି ମୋ ବସ୍ ସେବା ଉପଲବ୍ଧ ଥିବା ସମସ୍ତ ସହରରେ ବ୍ୟବହାର ହୋଇପାରିବ । ଏହି କାର୍ଡ଼ରେ ମୋ ବସ୍‌ର ଗାଇଡ଼୍ ଏବଂ କ୍ୟାପ୍‌ଟେନ୍‌ଙ୍କ ଭୂମିକାକୁ ଗୁରୁତ୍ୱ ଦିଆଯାଇ ମୋ ବସ୍‌ର ବ୍ରାଣ୍ଡ୍ ଆମ୍ବାସଡ଼ର୍ ଭାବରେ ଗ୍ରହଣ କରି ତାଙ୍କର ଫଟୋ ବ୍ୟବହାର ହୋଇଛି । ଏହି କାର୍ଡ଼କୁ ପରବର୍ତ୍ତି ସମୟରେ ବାରମ୍ବାର ରିଚାର୍ଜ କରିପାରିବେ । ଯାତ୍ରା ସମୟରେ ଉକ୍ତ କାର୍ଡ଼ ଗାଇଡ଼୍‌ଙ୍କୁ ଦେଖାଇବାକୁ ହେବ । ଗାଇଡ଼୍ ଇଟିଏମ୍ ମେସିନ୍‌ରେ କାର୍ଡ଼ ଟ୍ୟାପ୍ କରିବା ପରେ ଯାତ୍ରୀଙ୍କୁ ଏକ ଟିକେଟ୍ ମଧ୍ୟ ପ୍ରଦାନ କରାଯିବ । ଏହା ଫଳରେ ଜନସାଧାରଣଙ୍କୁ ଟିକେଟ୍‌ର ଉଚିତ ମୂଲ୍ୟ ପାଇଁ ପଇସା ଧରି ଯାତ୍ରା କରିବାର ଚିନ୍ତା ରହିବନାହିଁ । 


ମୋ ବସ୍‌କୁ ନିରନ୍ତର ବ୍ୟବହାର ଏବଂ ଭଲପାଇବା ଦେଉଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଧନ୍ୟବାଦ ଜଣାଇ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ତଥା ଭାରତୀୟ ପୁଲିସ୍ ସେବା ଅଧିକାରୀ ଶ୍ରୀ ଅରୁଣ ବୋଥ୍ରା କହିଛନ୍ତି ଯେ, “ଯାତ୍ରା ସମୟରେ ଯୋଗାଯୋଗ ବିହୀନ ଦେୟ ଏବଂ ମୋ ବସ୍ ସେବା ପୃଥିବୀର ସର୍ବୋତ୍ତମ ଜନ ପରିବହନ ସେବା ସହିତ ସମାନ କରିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜଣାଇଛନ୍ତି ।”


(ବିଦ୍ର: ଏହି ଆର୍ଟିକିଲରେ ପ୍ରଦାନ ସମସ୍ତ ତଥ୍ୟ ସରକାରଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଛି। ଏଥିରେ ଜୀ ଓଡି଼ଶା ନ୍ୟୁଜର ନିଜସ୍ୱ ତଥ୍ୟ ନୁହେଁ।)