GI Tag: ବହୁ ପ୍ରତୀକ୍ଷାର ଅନ୍ତ । ପୂରଣ ହେଲା ଦୀର୍ଘ ଦିନର ଦାବି । ଶେଷରେ ଶନିବାର କଟକ ତାରକସିକୁ ମିଳିଲା ଜିଆଇ ମାନ୍ୟତା (GI Tag) । ଭାରତ ସରକାରଙ୍କ ଡିପାର୍ଟମେଣ୍ଟ ଫର ପ୍ରମୋସନ୍ ଅଫ ଇଣ୍ତଷ୍ଟ୍ରିଜ ଆଣ୍ତ ଇଣ୍ଟରନାଲ ଟ୍ରେଡ଼ ଅଧୀନସ୍ଥ ଜିଓଗ୍ରାଫିକାଲ ଇଣ୍ତିକେସନସ ରେଜିଷ୍ଟ୍ରି ରୂପା ତାରକସିର (silver Tarkashi) ଆବେଦନକୁ ପଞ୍ଜୀକୃତ କରିଛି । ଏହା ଦ୍ବାରା ଓଡ଼ିଶାର ଜିଆଇ ଟ୍ୟାଗ୍ ତାଲିକାରେ ରୂପା ତାରକସି ୨୬ ନମ୍ବର ସ୍ଥାନରେ ରହିଛି ।


COMMERCIAL BREAK
SCROLL TO CONTINUE READING

କଟକର ରୂପା ତାରକସି ବିଶ୍ବ ପ୍ରସିଦ୍ଧ ଅଟେ । ତେବେ ଏହାକୁ ଜିଆଇ ଟ୍ୟାଗ୍ ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା । ଦି ଓଡ଼ିଶା ଷ୍ଟେଟ୍ କୋଅପରେଟିଭ ହ୍ୟାଣ୍ତିକ୍ରାଫ୍ଟସ୍ କର୍ପୋରେସନ୍ ଲିମିଟେଡ଼ (Odisha state cooperative handicrafts corporation ltd) ପକ୍ଷରୁ ରୂପା ତାରକସିକୁ ଜିଆଇ ଟ୍ୟାଗ ପ୍ରଦାନ ନିମନ୍ତେ ୨୦୨୧ରେ ଆବେଦନ କରାଯାଇଥିଲା । ରୂପା ତାରକସି କାରୁକାର୍ଯ୍ୟ ତ୍ରୟୋଦଶ ଶତାଦ୍ଦୀରୁ କଟକ ସହରରେ ଆରମ୍ଭ ହୋଇଥିଲା । ଏହି କାରୁକାର୍ଯ୍ୟ ଓଡ଼ିଶୀ ନୃତ୍ୟଶିଳ୍ପୀ ପିନ୍ଧୁଥିବା ଗହଣା ସମେତ ବିଭିନ୍ନ ଅଳଙ୍କାର, ସାଜସଜ୍ଜା ପାଇଁ ବ୍ୟବହାର କରାଯାଉଥିବା କାରୁଖଚିତ ସାମଗ୍ରୀ, ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ଦୁର୍ଗା ପୂଜା ସମୟରେ ଦେବୀଙ୍କୁ ଲାଗି କରାଯାଇଥିବା ଅଳଙ୍କାର ଓ ମେଢରେ ଚାନ୍ଦିର ସାଜସଜ୍ଜା ଏକ ଅନନ୍ୟ ଆକର୍ଷଣ ତଥା ପରମ୍ପରା ପାଲଟିଛି ।


ନିକଟରେ ରାଜ୍ୟର ୮ଟି ଉତ୍ପାଦକୁ ଜିଆଇ ଟ୍ୟାଗ୍ ମିଳିଥିଲା । ଢେଙ୍କାନାଳର ମଗଜି, କୋରାପୁଟର କଳାଜିରା ଚାଉଳ, ମୟୂରଭଞ୍ଜର କାଇ ଚଟଣି, ନୟାଗଡ଼ର କଣ୍ଟେଇମୁଣ୍ତି ବାଇଗଣ, ଖଜୁରି ଗୁଡ଼, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍, ଲାଞ୍ଜିଆ ସୌରା ଚିତ୍ରକଳାକୁ ଜିଆଇ ମାନ୍ୟତା ମଳିଥିଲା ।ରୂପା ତାରକସିକୁ ଜିଆଇ ମାନ୍ୟତା ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଏନେଇ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଛନ୍ତି , ଏନେଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘କଟକ ରୂପା ତାରକସି ଜିଆଇ ମାନ୍ୟତା ପାଇବା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ । ଶତାଦ୍ଦୀ ପୁରୁଣା ଏହି ହସ୍ତକଳା କେବଳ କଟକକୁ ନୁହେଁ ବରଂ ସାରା ଓଡ଼ିଶାକୁ ବିଶ୍ବରେ ପରିଚିତ କରାଇପାରିଛି । ଓଡ଼ିଶାବାସୀ ବିଶେଷ କରି କଟକ ସହରବାସୀ ଓ ଜିଲ୍ଲା ପ୍ରଶାସନକୁ ଶୁଭେଚ୍ଛା’ ।