Puri News: ଆଜି ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ । ଗତକାଲି ଠାକୁରଙ୍କ ବଣଭୋଜି ବେଶ, କୋଳିବିକା, ବକାସୁର ଓ ଅର୍ଘ୍ୟଆସୁର ବଧ ନିତି ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁ ବାଳଗୋପାଳ ଓ ବଡ଼ଠାକୁର ବଳରାମ ବେଶ ହୋଇଥିଲେ । କିନ୍ତୁ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇବେ । ପରେ ଠାକୁର ମାନେ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଲୋକନାଥ ରୋଡ୍ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରିବେ । 


COMMERCIAL BREAK
SCROLL TO CONTINUE READING

ସେଠାରେ ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀଠାରେ ମହାପ୍ରଭୁଙ୍କ କାଳୀୟଦଳନ ଲୀଳା ସମାପନ ହେବ । ପରେ ଶୀତଳ ଭୋଗ ଓ ବନ୍ଦାପନା ହୋଇ ମହାପ୍ରଭୁ ବାହୁଡା ବିଜେ କରିବା ପରେ ଜୟବିଜୟ ଦ୍ୱାର ଠାରେ ଏକାଦଶୀ ଭୋଗ ଓ ବନ୍ଦାପନା ନୀତି ବଢିବା ପରେ ଠାକୁର ଦକ୍ଷିଣୀ ଘରକୁ ବିଜେ କରିବେ । ଏହାପରେ ଅନ୍ୟାନ୍ୟ ନୀତି ବଢିବା ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସଜ୍ଜିତ କରାଯିବ । 


ସେପଟେ ଗତକାଲି ରାତି ୧୧ଟା ୫୫ରେ ଅର୍ଘାସୁର, ବକାସୁର ବଦ୍ଧ ସାରି ପ୍ରଭୁ ଦକ୍ଷିଣୀ ଘରକୁ ବିଜେ କରିଥିଲେ। ୧ଟା ୧୦ରେ ଚନ୍ଦନଲାଗି ୨ଟା ୩୦ରେ ବଡ଼ସିଂହାର ଭୋଗ - ୧.୪୫ରେ ବଡ଼ସିଂହାର ବେଶ ପରେ ୩ଟାରେ ରାତ୍ର ପହୁଡ଼ ହୋଇଥିଲା। ତେବେ ଆଜି ଗୁରୁବାର ମାଜଣା ,କାଳୀୟଦଳନ ଏକାଦଶୀ,ଧେନୁକାସୁର ବଧ ପ୍ରସ୍ତାବ ରହିଛି। ଏଣୁ ନିତି ସୃଙ୍ଖଳିତ କରିବା ପାଇଁ ସକାଳ ୫ଟା୩୦ରେ ଦ୍ୱାରଫିଟା , ୬.୧୫ରେ ମଙ୍ଗଳଆଳତି ,. ୬.୫ରେ ଭିତରଶୋଧ , ୬.୨୦ରେ ମଇଲମ ଓ ୬.୫୫ରେ ତଡ଼ପଲାଗି ସମ୍ପର୍ଣ୍ଣ ହେବା ସହ ଦୈନନ୍ଦିନ ନିତି ଆଗକୁ ବଢିଛି। 
ସେପଟେ ଗତକାଲି ଶ୍ରୀମନ୍ଦିର ସମ୍ମୁଖରେ ବକାସୁର ବଦ୍ଧନିତି ସମାପନ ହୋଇଛି। ଶ୍ରୀମଦନ ମୋହନ ଓ ରାମକୃଷ୍ଣ ବିଜେ କରି ସିଂହଦ୍ଵାର ସମ୍ମୁଖରେ ଏହି ନିତି ସମାପନ ହୋଇଛି। ମହାପ୍ରଭୁ ବକାସୁର ଓ ଅର୍ଘାସୁରକୁ ବଦ୍ଧ କରିଛନ୍ତି। ସିଂହଦ୍ଵାର ଠାରେ ବକାସୁର ଓ ଅର୍ଘାସୁର ବଦ୍ଧନିତିକୁ ଦେଖିବା ପାଇଁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା।