Odisha News(ଭୁବନେଶ୍ୱର): ରାଜ୍ୟର ବିଭିନ୍ନ ବିଭାଗ ଏବଂ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ପୁଣିଥରେ ଲୋକଙ୍କ ଦୁଃଖ ଶୁଣାଯିବ। ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଭାଗୀୟ ମୁଖ୍ୟ ଓ ସଚିବ ସ୍ତରରେ ଏପରି ଜନ ଶୁଣାଣି ପ୍ରତି ସୋମବାର ଅନୁଷ୍ଠିତ ହେବ। ସେମାନଙ୍କ ଅଭିଯୋଗକୁ ଆବଶ୍ୟକ ସ୍ଥଳେ ବିଭାଗୀୟ ସ୍ତରରେ ସମାଧାନ ପାଇଁ ଆଦେଶ ଦେବେ ନହେଲେ ତାହାକୁ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ସମସ୍ତ ବିଭାଗ, ଜିଲ୍ଲାପାଳ, ଅତିରିକ୍ତ ମୁଖ୍ୟ ସଚିବ, ବିଭାଗୀୟ ପ୍ରଧାନ ସଚିବଙ୍କ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୁହାଯାଇଛି,  ଆସନ୍ତା ଜୁଲାଇ ପହିଲାରୁ ପୁଣିଥରେ ଜନ ଶୁଣାଣି ଆରମ୍ଭ ହେବ । ସପ୍ତାହର ପ୍ରତ୍ୟେକ ସୋମବାରରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ବିଭାଗୀୟ ମୁଖ୍ୟଙ୍କ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ହେବାକୁ ସ୍ଥିର କରାଯାଇଛି । ସେହିପରି ଜିଲ୍ଲାସ୍ତରରେ ସ୍ଥାନୀୟ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକମାନେ ମିଳିତ ଭାବେ ପ୍ରତ୍ୟେକ ସୋମବାର ଜନ ଅଭିଯୋଗ ଶୁଣାଣି କରିବେ । 


ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏହି ଜନଶୁଣାଣି କାର୍ଯ୍ୟକ୍ରମକୁ ପୁନଃଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ସଚିବ, ସମସ୍ତ ବିଭାଗ ଓ ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକମାନଙ୍କୁ ଚିଠି ଲେଖାଯାଇଛି । ସମସ୍ତ ଅଭିଯୋଗ ଗ୍ରହଣ ଏବଂ ଶୁଣାଣି ପ୍ରକ୍ରିୟା ଜନ ଶୁଣାଣି ପୋର୍ଟାଲରେ ପଞ୍ଜୀକୃତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।