Odisha News : ଭୁବନେଶ୍ୱର, ପାଦଚଲା ଲୋକମାନେ କିପରି ସୁରୁଖୁରୁରେ ଯାତାୟାତ କରିପାରିବେ ସେଥିପାଇଁ ସେମାନଙ୍କ ପାଇଁ ଫୁଟ୍ ପାଥ୍ କରାଯାଇ ଥିଲା। ସମସ୍ତ ମୁଖ୍ୟ ରାସ୍ତା କଡ଼ରେ ଏହାକୁ ନିର୍ମାଣ କରାଯାଇଛି। ରାଜଧାନୀରେ କିନ୍ତୁ ଏହି ଫୁଟ୍ ପାଥ୍ ରାସ୍ତାକୁ ଅନେକ ସ୍ଥାନରେ ଜବରଦଖଲ କରିନେଲେଣି। କେଉଁଠି ଉଠା ଦୋକାନୀ ପସରା ମେଲାଇଛନ୍ତି ତ ଆଉ କେଉଁଠି ସଧାରଣ ଲୋକଙ୍କ ବାଇକ ପାର୍କିଂ ସ୍ଥଳ ପାଲଟିଛି। ଏପରିକି ଅଟୋ ଚାଳକ ରାସ୍ତାର ଅଧା ପର୍ଯ୍ୟନ୍ତ ଗାଡ଼ି ପାର୍କିଂ କରିଦେଉଛନ୍ତି। ବିଶେଷ କରି ରାଜଧାନୀର ଏଜି ଛକରୁ ରାଜମହଲ ପର୍ଯ୍ୟନ୍ତ ଏହି ସମସ୍ୟା ଦେଖିବାକୁ ମିଳିଛି। ସଧାରଣ ଲୋକଙ୍କ ପାଇଁ ବହୁତଳ ପାର୍କିଂ ବ୍ୟବସ୍ଥା ହୋଇଥିଲେ ହେଁ ସେଠାରେ ଗାଡ଼ି ପାର୍କିଂ ନ କରି ନୋ ପାର୍କିଂରେ ଗାଡ଼ି ରଖୁଛନ୍ତି। ଫଳରେ ପାଦ ଚଲା ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।


COMMERCIAL BREAK
SCROLL TO CONTINUE READING

ରାଜମହଲ ଛକରୁ ଏଜି ଛକର ଦୂରତା ପ୍ରାୟ ଏକ କିମି ଭିତରେ ହେବ। କିନ୍ତୁ ଏହି ଏକ କିମି ରାସ୍ତା ପାର ହେବାକୁ ବହୁ ସମୟ ଲାଗୁଛି। କାରଣ ରାସ୍ତାର ଗୋଟିଏ ପାର୍ଶ୍ୱ ଉଠାଦୋକାନୀଙ୍କ କବଜା ରହିଛି। ବିଶେଷ କରି ଅଧିକାଂଶ ଠେଲା ଗାଡ଼ି ଗୁଡ଼ିକ ଜାମ୍ କରିଦେଉଛନ୍ତି। ଏଜି ଛକରୁ ରାଜମହଲ ଛକ ମଧ୍ୟରେ ଉଠାଦୋକାନୀ ଅଛନ୍ତି। ସେମାନଙ୍କ ମଧ୍ୟରେ ଥିବା ସ୍ଥାୟୀ ଦୋକାନୀମାନେ ଫୁଟ୍ ପାଥ୍ ଗୋଟେ କଡ଼ରେ ନିଜ ଜିନିଷ ଗଦାଇ ରଖୁଥିବା ବେଳେ ଅନ୍ୟପଟେ ଅସ୍ଥାୟୀ ଦୋକାନୀମାନେ ପସରା ମେଲାଇ ଦେଉଛନ୍ତି। ସେହିପରି ଅନେକ ଲୋକ ଠେଲାଗାଡ଼ି ଧରି ଠିଆ ହୋଇ ବେପାର କରୁଛନ୍ତି। ରାସ୍ତାର ଅଧା ପର୍ଯ୍ୟନ୍ତ ଏହି ଜବରଦଖଲ ଥିବାରୁ ଲୋକେ ଚାଲି ଚାଲି ଯିବା ସମୟରେ ପଛପଟୁ ଗାଡ଼ି ଆସି ଧକ୍କା ମାରିବା ଭଳି ସ୍ଥିତି ଉପୁଜୁଛି। ଅଧିକାଂଶ ସମୟରେ ଛୋଟମୋଟ ଦୁର୍ଘଟଣା ମଧ୍ୟ ଘଟୁଛି। ରାସ୍ତା ଏତେ ସଙ୍କୁଚିତ ହୋଇଯାଉଛି ଯେ, ଏହି ଏକ କିମି ରାସ୍ତା ଚାଲିଚାଲି ଅତିକ୍ରମ କରିବାକୁ ଅଧ ଘଣ୍ଟା ଲାଗିଯାଉଛି। 


ସେହିପରି ସିଆର୍‌ପି ଛକରୁ ଷ୍ଟୁଆର୍ଟ ଛକ ପର୍ଯ୍ୟନ୍ତ ଥିବା ରାସ୍ତାରେ ବିଶେଷ କରି ସଂଧ୍ୟା ହେବା ମାତ୍ରେ ଚାରିଚକିଆ ଯାନ ଠାରୁ ଆରମ୍ଭ କରି ସାଇକେଲ୍ ପର୍ଯ୍ୟନ୍ତ ମନଇଚ୍ଛା ରାସ୍ତାରେ ପାର୍କିଂ କରୁଛନ୍ତି। ଏଥିସହ ରାସ୍ତାକଡ଼ରେ ଖୋଲାଯାଇଥିବା  ଦୋକାନ ଗୁଡ଼ିକ ଯୋଗୁ ଯାତ୍ରୀମାନେ ହଇରାଣରେ ପଡୁଛନ୍ତି। ପୂର୍ବରୁ ଯଦିଓ ସେଠାରେ ଟିକେ ରାସ୍ତା ଚଉଡ଼ା ଥିଲା, କିନ୍ତୁ ସହର ସୋନ୍ଦର୍ଯ୍ୟକରଣ ନାଁରେ ରାସ୍ତାକଡ଼ ଫୁଟ୍‌ପାଥ୍ ଓ ମେଡିଆନ୍ କରାଯିବା ଫଳରେ ରାସ୍ତା ଆହୁରି ସଙ୍କୁଚିତ ହୋଇଯାଇଛି। ଫଳସ୍ବରୂପ ପଥଚାରୀ ଚାରିଶହ ମିଟର ରାସ୍ତା ପାର୍ ହେବାକୁ ୨୫ମିନିଟ୍ ସମୟ ଲାଗି ଯାଉଛି। ଏନେଇ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ, ଏନ୍‌ଫୋର୍ସମେଣ୍ଟ ଟିମ୍ ସଂଧ୍ୟା ସମୟରେ ନିୟମିତ ଚଢ଼ଉ କରୁଛି। ରାସ୍ତାକୁ ଜବର ଦଖଲକାରୀଙ୍କ ଠାରୁ ଫାଇନ୍ ଆଦାୟ ହେଉଛି। ଆଗକୁ ଆହୁରି ନିୟମ କଡ଼ାକଡ଼ି କରା‌ଯିବ ବୋଲି କହିଛନ୍ତି।