Subhadra Yojana: ଆଜି ଆସିବ ସୁଭଦ୍ରା ଟଙ୍କା। ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟରେ ଆଜି ପ୍ରାୟ ୩୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ୫ ହଜାର ଲେଖାଏଁ  ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ବାରିପଦାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଦ୍ବୀତିୟ ପର୍ଯ୍ୟାୟ ଟଙ୍କା  ପ୍ରଦାନ କରିବେ।  ଏଥିପାଇଁ ବାରିପଦାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୩୨ ଲକ୍ଷ ମହିଳାଙ୍କ ଏମପିସିଆଇ(  ନ୍ୟାସନାଲ୍ ପେମେଣ୍ଟ କୋ- ଅପରେସନ୍ ଅଫ ଇଣ୍ତିଆ) କ୍ଲିୟରାନ୍ସ ସମ୍ପୁର୍ଣ୍ଣ ହୋଇଥିବା  ଜଣାପଡିଛି। 

 



 

ଆଜି ଦିନ ୧୨ଟା ପୂର୍ବରୁ ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଆସିବ।  ଏଥିରେ ପ୍ରାୟ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପହଞ୍ଚିବ। ସେପଟେ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ, ସୁଭଦ୍ରା ଯୋଜନା ପାଇଁ ୧ କୋଟିରୁ ଅଧିକ ମହିଳା ଆବେଦନ କରି ପଞ୍ଜିକୃତ ହୋଇଛନ୍ତି।  ମହିଳାମାନେ ଏତେ ସଂଖ୍ୟାରେ ସୁଭଦ୍ରା ଯୋଜନା ପାଇଁ ଆଗ୍ରହ ଦେଖାଇଛନ୍ତି। ଡିଜିଟାଲ୍ ବ୍ୟବସ୍ଥାରେ ବି ମହିଳାମାନେ କେତେ ଦକ୍ଷ ତାହା ବି ପ୍ରମାଣିତ କରିଛନ୍ତି।

 

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୭ ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ  ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ଆଜି  ପ୍ରଥମ କିସ୍ତିର ଦ୍ବୀତିୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଡିସେମ୍ବର ସୁଧା ୧ କୋଟିରୁ ଅଧିକ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ।