Odisha News: କଟକ: କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଏବଂ ନୂଆଦିଲ୍ଲୀସ୍ଥିତ ଅନ୍ତର୍ଜାତୀୟ ଚାଉଳ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପ୍ରାୟୋଜିତ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି ହାସଲ) ଉପରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚଳିତ ଡିସେମ୍ବର 13 ଓ 14 ତାରିଖ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଗଭୀର ଜଳ ମଧ୍ୟରେ ଥିବା ଜୀବନ, ବିଶେଷକରି ମତ୍ସ୍ୟସମ୍ପଦ ପରି ଜଳଜ ଜୀବ କିଭଳି ଗୁରୁତ୍ୱପୂର୍ଣ୍ଣ ପରିବେଶ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି, ତାହାର ନିଦାନ ସାଙ୍ଗକୁ ଜଳଜ ପରିବେଶ ସଂରକ୍ଷଣ ପାଇଁ ସ୍ଥାୟୀ ସମାଧାନର ପନ୍ଥା ବାହାର କରିବା । 


COMMERCIAL BREAK
SCROLL TO CONTINUE READING

ସମ୍ମିଳନୀର ପ୍ରଥମ ଦିନ କିଛି ପ୍ରଭାବଶାଳୀ ଆଲୋଚନା ଏବଂ କେତୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଜଳଜ ପରିବେଶକୁ ନେଇ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାପାଇଁ ଏହି ସମ୍ମିଳନୀରେ ବହୁ ବିଶିଷ୍ଟ ବାଗ୍ମୀ, ଶିଳ୍ପପତି ଏବଂ ବୁଦ୍ଧିଜୀବୀ ଏକାଠି ହୋଇଥିଲେ। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ବିଜ୍ଞାନ ବିଭାଗର ଡିନ୍ ପ୍ରଫେସର ଜୟପ୍ରକାଶ ଭଟ୍ଟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଥମ ଦିନର ପ୍ରଥମ ଅଧିବେଶନରେ ମହାନଦୀର ନାନାବିଧ ସମସ୍ୟା ଓ ଏହାର ସମାଧାନକୁ ନେଇ ଡ. ଜେ. ପି. ଭଟ୍ଟ ଏବଂ ଡ. ଅଜୟ କୁମାର ମିଶ୍ରଙ୍କ ସମ୍ପାଦିତ “ମହାନଦୀ: ଏନଭିରନମେଣ୍ଟାଲ ଚ୍ୟାଲେଞ୍ଜେସ୍ ଆଣ୍ଡ୍ ୱେ ଫରୱାର୍ଡ” ଏବଂ ଡାଏଟମର ବିବିଧତା ଓ ଏହାର ପରିବେଶଗତ ମହତ୍ତ୍ୱକୁ ନେଇ ପ୍ରଫେସର ରଚନା ନୌଟିୟାଲ ଏବଂ ପ୍ରଫେସର ପ୍ରକାଶ ନୌଟିୟାଲଙ୍କ ଦ୍ୱାରା ଲିଖିତ “ଦ ଆଟଲାସ୍ ଅଫ୍ ହିମାଳୟ ଡାଏଟମ୍ସ” ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏଥିସହ  ‘ଔରାସିଓର ପ୍ରାଇଭେଟ୍ ଲିମିଟେଡ୍’ ସହିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଦୁଇଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହା ଭୂ-ବିଜ୍ଞାନ କ୍ଷେତ୍ରରେ ଗବେଷଣା ଏବଂ “ସ୍କାଏଲାଇନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଜିଓଇନଫରମେଟିକ୍ସ” ସହ ଶିକ୍ଷାଗତ ଏବଂ ବୈଷୟିକ ସହଯୋଗକୁ ପ୍ରୋତ୍ସାହିତ କରିବା ନିମନ୍ତେ ଉଦ୍ଦିଷ୍ଟ ଥିଲା ।


ଉଦଘାଟନୀ କାର୍ଯ୍ୟକ୍ରମରେ ‘ଏଚଏନବି ଗଡ଼ୱାଲ’ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ. ପ୍ରକାଶ ନୌଟିୟାଲ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜଳଜ ପରିବେଶ ସଂରକ୍ଷଣ ନିମନ୍ତେ ନିର୍ଦ୍ଧାରିତ ରଣନୀତି ଉପରେ ଆଲୋଚନା କରିଥିଲେ। ‘କେଣ୍ଟ୍ ଆରୋ ସିଷ୍ଟମ୍ସ ଲିମିଟେଡ୍’ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଡ. ମହେଶ ଗୁପ୍ତା ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ରଜିତା କୁଲକର୍ଣ୍ଣି ପ୍ରମୁଖ ଯୋଗଦେଇ ସ୍ଥାୟୀ ଜଳସମ୍ପଦ ପରିଚାଳନା ଉପରେ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ପ୍ରଫେସର ରଚନା ନୌଟିୟାଲ ଓ ପ୍ରଫେସର ମାଧୋ ସିଂହ ବିଷ୍ଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ଜଳଜ ପରିବେଶ ପାଇଁ ନିର୍ଦ୍ଦିଷ୍ଟ ଆହ୍ୱାନ ଓ ଏହାର ସମାଧାନ ଉପରେ ଆଲୋଚନା ହୋଇଥିଲା। ଏଥିରେ ପ୍ରଫେସର ରଚନା ନୌଟିୟାଲ ଗଡ଼ୱାଲ ହିମାଳୟର ବିଭିନ୍ନ ଡାଏଟମ୍ ସମ୍ପର୍କରେ ଉଲ୍ଲେଖ କରିଥିବା ବେଳେ ଡ. ନାରାୟଣ ଜେନା ଜଳଜୀବଙ୍କ ପାଇଁ ଶୈବାଳ କିପରି ଅବକ୍ଷୟ ହେଉଛି ସେକଥା ଉଲ୍ଲେଖ କରିଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନିଗ୍ଧା ସ୍ନେହାଞ୍ଜଳି ପୂର୍ବ ଘାଟରେ ମଧୁର ଜଳ ମାଛଙ୍କ ପାଇଁ ସଂରକ୍ଷଣ କ୍ଷେତ୍ର ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଅଧିବେଶନ ଶେଷରେ ଡଃ. ଡି. କେ. ହରି ଏବଂ ଡଃ. ହେମା ହରି ଜଳ ପରିଚାଳନାକୁ ନେଇ ଏକ ଅନଲାଇନ୍ ଉପସ୍ଥାପନ କରିଥିଲେ । ଏଥିରେ ଏସଡିଜି-୧୪ ସହିତ ଶୈକ୍ଷିକ ପ୍ରୟାସର ସମନ୍ୱୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।


ଡିସେମ୍ବର ୧୪ ଦ୍ୱିତୀୟ ଦିବସରେ ସମ୍ମିଳନୀରେ କାର୍ବନ ଚାଷ ପାଇଁ ଚାହିଦା, ଏହାର ପୁନରୁଦ୍ଧାର ନିମନ୍ତେ ମୃତ୍ତିକା ଏବଂ ଜଳ ସଂରକ୍ଷଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆଇଆରଆରଆଇର ଡାକ୍ତର ଆନ୍ଥୋନି ଫୁଲଫୋର୍ଡ ଏବଂ ଡ. ଅଜୟ କୁମାର ମିଶ୍ରଙ୍କ ସମେତ ଅନ୍ୟ ବିଶେଷଜ୍ଞମାନେ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ଏବଂ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରିବାରେ କାର୍ବନ କୃଷିର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନିସା ଆଝାରୁନ୍ନିସା ସହରାଞ୍ଚଳ ବନ୍ୟା ଦୁର୍ବଳତା ଏବଂ ସ୍ପଞ୍ଜ ସିଟି ସମାଧାନ ଉପରେ ଆଲୋଚନା କରିଥିବା ବେଳେ ଡ. କାବେରୀ ଦେବୈୟା ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂ ଇଣ୍ଟରନ୍ୟାସନାଲ ସେଣ୍ଟରରେ ପ୍ରକୃତି ଭିତ୍ତିକ ସମାଧାନ ବ୍ୟବହାର କରି ହ୍ରଦ ପୁନରୁଦ୍ଧାର ଉପରେ ଏକ କେସ୍ ଷ୍ଟଡି ଉପସ୍ଥାପନ କରିଥିଲେ।


ପ୍ରଦୀପ କୁମାର ପଟ୍ଟାଯୋଶୀ ଉପକୂଳ ଓ ସାମୁଦ୍ରିକ ପରିବେଶ ଉପରେ ଶିଳ୍ପ ପ୍ରଭାବର ବିଶ୍ଳେଷଣ, ଡ. ପି. ଆର. ସିଂହ ଗଙ୍ଗା ନଦୀ ପ୍ରଣାଳୀରେ ବିଦେଶୀ ମାଛ ପ୍ରଜାତିର ଆକଳନ ଏବଂ ଭୁବନେଶ୍ୱର ଓୟୁଏଟିର ଅବସରପ୍ରାପ୍ତ ପ୍ରାଧ୍ୟାପକ ସଞ୍ଜୟ ସାମନ୍ତରାୟ ନଦୀ ପରିବେଶ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ଆୟୋଜକ ସମ୍ପାଦକ ସତ୍ୟଜିତ ଆର୍ଯ୍ୟ ଧନ୍ୟବାଦ ଅର୍ପଣ କରିବା ସହ ବକ୍ତା, ଅଂଶଗ୍ରହଣକାରୀ ଓ ପ୍ରଯୋଜକମାନଙ୍କ ଅବଦାନ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।