Odisha News: ଡିଜି ସମ୍ମିଳନୀରେ କଣ ହେବ ?
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ତିନିଦିନିଆ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀ। ଦେଶର ସମସ୍ତ ରାଜ୍ୟରୁ ପୁଲିସ ମହାନିର୍ଦ୍ଦେଶକ ଏବଂ ମହାଆରକ୍ଷୀ ନିରୀକ୍ଷକ(IG)ମାନେ ଏଥିରେ ଯୋଗ ଦେଉଛନ୍ତି। ସାରା ଦେଶ ଏହି ଅଧିବେଶନରେ କଣ ନିର୍ଯାସ ଆସିବ ତାହାକୁ ଅପେକ୍ଷା କରିଛି। ଆସନ୍ତୁ ନଜର ପକାଇବା ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ କଣ ହେବାକୁ
Odisha News: ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ତିନିଦିନିଆ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀ। ଦେଶର ସମସ୍ତ ରାଜ୍ୟରୁ ପୁଲିସ ମହାନିର୍ଦ୍ଦେଶକ ଏବଂ ମହାଆରକ୍ଷୀ ନିରୀକ୍ଷକ(IG)ମାନେ ଏଥିରେ ଯୋଗ ଦେଉଛନ୍ତି। ସାରା ଦେଶ ଏହି ଅଧିବେଶନରେ କଣ ନିର୍ଯାସ ଆସିବ ତାହାକୁ ଅପେକ୍ଷା କରିଛି। ଆସନ୍ତୁ ନଜର ପକାଇବା ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ କଣ ହେବାକୁ ଯାଉଛି।
ପ୍ରଥମ ଦିନରେ ଗୃହ ମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟ ଲୋକସଭା ଭବନର ସମ୍ମିଳନୀ କକ୍ଷରେ ଏହି ସଭା ଅନୁଷ୍ଠିତ ହେବ। ଯେଉଁଥିରେ ପ୍ରଥମ ପ୍ରସଙ୍ଗ ସ୍ୱରୂପ ରହିଛି ଆତଙ୍କବାଦର ମୁକାବିଲା। ବିଭିନ୍ନ ସମୟରେ ରାଜ୍ୟ ତଥା ଦେଶର ବିଭିନ୍ନ କୋଣରେ ବିଦେଶୀ ଆତଙ୍କବାଦୀଙ୍କ ସମ୍ପର୍କ ଓ ଦେଶ ବିରୋଧୀ ତତ୍ତ୍ୱର ମୁକାବିଲା ପାଇଁ ଏହି ସମ୍ମିଳନୀରେ ଆଲୋଚନା ହେବ। ମୁଖ୍ୟତଃ ଲୋକଙ୍କୁ ଉସକାଇବା, ଜାତି ଧର୍ମ ବର୍ଣ୍ଣ ବିରୋଧୀ ସନ୍ତ୍ରାସବାଦ କାର୍ଯ୍ୟକଳାପକୁ ମିଡିଆ ଓ ଟେକନୋଲୋଜି ସହାୟତାରେ ବ୍ୟାପକ କରିବା ପାଇଁ ନିଆଯାଉଥିବା ପଦକ୍ଷେପକୁ କିପରି ମୁକାବିଲା କରାଯାଇପାରିବ ସେନେଇ ଏହି ସମ୍ମିଳନୀରେ ଆଲୋଚନା ହେବ। ଏଥିରେ ଭାରତର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଇଜି ଓ ଡିଜି ପୁଲିସମାନଙ୍କୁ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ନୂଆ ତନ୍ତ୍ର ପ୍ରତି ସତର୍କ ରହିବାକୁ ମନ୍ତ୍ର ଫୁଙ୍କିବେ।
ସେହିପରି ବିଭିନ୍ନ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଥିବା ନକ୍ସଲ ତଥା ବାମପନ୍ଥି ଉଗ୍ରବାଦୀଙ୍କ ମୁକାବିଲା ମଧ୍ୟ ଏକ ଚର୍ଚ୍ଚାର ବିଷୟ ହେବ। ନୂଆ ଅପରାଧିକ ଆଇନ, ନିଶା ଦ୍ରବ୍ୟ କାରବାର, ଏବଂ ଉପକୂଳବର୍ତ୍ତି ସୁରକ୍ଷାକୁ ଏହି ସମ୍ମିଳନୀରେ ଆଲୋଚନାର ବିଷୟ ଭାବେ ଗ୍ରହଣ କରାଯାଇଛି। ଓଡ଼ିଶା ଏହି ୫ଟି ଯାକ କ୍ଷେତ୍ରରେ ସମସ୍ୟାକୁ ସମ୍ମୁଖିନ କରୁଛି। ୪୮୦ କିଲୋମିଟର ଦୀର୍ଘ ସାମୁଦ୍ରିକ ଉପକୂଳରେ ବିଦେଶୀ ତତ୍ତ୍ୱଙ୍କ ପ୍ରବେଶ ଅନେକ ସମୟରେ ରାଜ୍ୟର ଆଇନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରିଛି। ବିଶେଷ କରି ବାଂଲାଦେଶ, ଶ୍ରୀଲଙ୍କା ପଟୁ ଉଗ୍ରବାଦୀ ବିଭିନ୍ନ ରୂପରେ ରାଜ୍ୟରେ ପ୍ରବେଶ କରି ଆତଙ୍କୀ କାର୍ଯ୍ୟକଳାପ ଚଳାଉଥିବା ନଜରକୁ ଆସିଛି। ଏହି କ୍ରମରେ ସବୁକୁ ମୁକାବିଲା କରିବା ପାଇଁ କଣ ରଣନୀତି ଦେଶର ବିଭିନ୍ନ ରାଜ୍ୟରେ ନିଆଯାଉଛି ତାହା ରାଜ୍ୟ ପାଇଁ ଶିକ୍ଷଣୀୟ ହେବ। ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ସରକାର ଉଦ୍ଦେଶ୍ୟ ଏବଂ ଆଇନ ଶୃଙ୍ଖଳା ରକ୍ଷାପ୍ରତି ପ୍ରତିବଦ୍ଧତାକୁ ଦୋହରାଇବେ। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଭାରତୀୟ ରାଜନୀତିକ ଆଭିମୁଖ୍ୟକୁ ରକ୍ଷା କରିବା ତଥା ଲୋକଙ୍କ ସ୍ୱାଧିନତାକୁ ସୁରକ୍ଷିତ ରଖିବା ପାଇଁ ପୁଲିସ ବଳର ଭୂମିକା ବାବଦରେ ଏଥିରେ ଉଲ୍ଲେଖ କରାଯିବ। ଏହା ସହିତ ପ୍ରଧାନମନ୍ତ୍ରୀ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁଲିସ ସେବା ପଦକ ପ୍ରଦାନ କରିବେ।