Rajnikant Singh: ବିଧାନସଭା ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂହ । ସାଂଗଠନିକ କାର୍ଯ୍ୟରେ ମନୋନିବେଶ କରିବା ଲାଗି ସେ ନିଜ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି । ଏହି ପଦବୀ ଏକ ସାମ୍ବିଧାନିକ ପଦବୀ ହୋଇଥିବାରୁ ସେ ଦଳୀୟ ବା ସାଂଗଠନିକ କାର୍ଯ୍ୟ କରିପାରୁ ନଥିବା  ନିଜ ପ୍ରତିକ୍ରିୟାରେ କହିଛନ୍ତି। ତେବେ ତାଙ୍କୁ ଏଯାଏଁ ଦଳ କୌଣସି ସାଂଗଠନିକ କାର୍ଯ୍ୟରେ ନିଯୁକ୍ତି ଦେଇନାହାନ୍ତି।        


COMMERCIAL BREAK
SCROLL TO CONTINUE READING

ରଜନୀକାନ୍ତ ସିଂହ ଅନୁଗୁଳ ବିଧାନସଭା ଆସନରୁ ୨୦୦୪ରୁ କ୍ରମାଗତ ଭାବେ ୪ଥର ଅର୍ଥାତ୍‍ ୨୦୦୯, ୨୦୧୪ ଓ ୨୦୧୯ରେ ବିଧାନସଭାକୁ ସଦସ୍ୟ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ପୂର୍ବରୁ ଶ୍ରୀ ସିଂହ ରାଜ୍ୟ ସରକାରଙ୍କ ଖଣି ଓ ଇସ୍ପାତ ମନ୍ତ୍ରୀ ଦାୟିତ୍ୱ ମଧ୍ଯ ତୁଲାଇଛନ୍ତି । ୨୦୧୯ ଜୁନ୍‍ ମାସରେ ତାଙ୍କୁ ଉପବାଚସ୍ପତି ପଦବୀ ପ୍ରଦାନ କରାଯାଇଥିଲା। ସେବେଠାରୁ ସେ ଉପବାଚସ୍ପତି ଦାୟିତ୍ୱରେ ଥିଲେ ।


ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମୟରେ ସେ ଉପ-ବାଚସ୍ପତି ରହିବା ସହ ସ୍ୱଳ୍ପ ସମୟ ପାଇଁ ବାଚସ୍ପତି ଦାୟିତ୍ୱ ଗ୍ରହଣ କରିଥିଲେ । ଏହାସହ ବିକ୍ରମ କେଶରୀ ଆରୁଖଙ୍କ ସମୟରେ ମଧ୍ଯ ସେ ଉପ-ବାଚସ୍ପତି ରହିଥିଲେ। ୨୦୨୩ ମେ ମାସରେ ଶ୍ରୀ ଆରୁଖ ବାଚସ୍ପତି ପଦବୀରୁ ଇସ୍ତଫା ଦେବା ପରେ ଶ୍ରୀ ସିଂହ ବାଚସ୍ପତି ହେବେ ବୋଲି ଚର୍ଚ୍ଚା ହେଉଥିଲା। ଅନେକ ଦିନ ସେ ବାଚସ୍ପତି ଦାୟିତ୍ୱ ବି ତୁଲାଇଥିଲେ। ହେଲେ ବିଜେଡି଼ ଗତ ବିଧାନସଭା ଅଧିବେଶନ ପୂର୍ବରୁ ପ୍ରମିଳା ମଲ୍ଲ୍ଲିକଙ୍କୁ ବାଚସ୍ପତି ଭାବେ ମନୋନୀତ କରିଥିଲା। ଏବେ ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ରଜନୀକାନ୍ତ ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି।


ସାଧାରଣତଃ ବାଚସ୍ପତି ଓ ଉପ ବାଚସ୍ପତି ପଦବୀ ଦଳୀୟ ନିଷ୍ପତ୍ତି ଅନୁସାରେ ଗ୍ରହଣ କରାଯାଏ। ହେଲେ ଦଳ ପକ୍ଷରୁ କୌଣସି ସୂଚନା ବା ଆଦେଶ ନଥାଇ ଶ୍ରୀ ସିଂହଙ୍କ ଇସ୍ତଫା କିଛି ନୂଆ ସମୀକରଣ ଆଡ଼କୁ ନଜର ଆକର୍ଷଣ କରୁଛି। ଦଳରେ ତାଙ୍କ ପ୍ରଭାବ ହ୍ରାସ ପାଇବା ଅବା ନିଜର ସ୍ୱାଭିମାନ ତାଙ୍କୁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିବା ବି ଆଲୋଚନା ହେଉଛି।


Also Read-Nitish Kumar: ବିଧାନସଭାରେ ଅରୁଚିକର ମନ୍ତବ୍ୟ ପାଇଁ ଭୁଲ ମାଗିଲେ ବିହାର ମୁଖ୍ୟମନ୍ତ୍ରୀ