Odisha News: ରାଜ୍ୟରେ ଦୁଇ ଦିନ ଧରି ବର୍ଷା ଲାଗି ରହିଥିବା ବେଳେ ଅନ୍ୟପଟେ ବୈତରଣୀ ନଦୀ (Baitarani River) ଫୁଲିବାରେ ଲାଗିଛି । ଆଖୁଆପଦାଠାରେ ବୈତରଣୀର ବିପଦସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ୧୭.୮୫ ମିଟର ରହିଛି । ବୈତରଣୀ ନଦୀରେ ଚଳିତ ବର୍ଷର ଦ୍ବିତୀୟ ବନ୍ୟା ଜଳ ଆସିଛି । ବନ୍ୟାକୁ ଚାଷୀକୂଳ ଚିନ୍ତାରେ ପଡ଼ିଥିବା ବେଳେ ଯଦି ବନ୍ୟା ଜଳ ଆସେ ତାହାଲେ ଏହା ଯାଜପୁର ଜିଲ୍ଲାର ଦଶରଥପୁର ପ୍ରତି ବିପଦ ଆଣିବ ବୋଲି କୁହାଯାଉଛି । ବିଶେଷ କରି ଗତ ୧୦ ଦିନ ମଧ୍ୟରେ ବୈତରଣୀ ନଦୀବନ୍ଧର ଦୁଇଟି ସ୍ଥାନରେ ଧସିଯାଇଛି। ଅଧିକ ବର୍ଷା ହେଲେ ନଦୀବନ୍ଧର ବଳକା ଅଂଶ ଧସିଯାଇ ଜନବସତିକୁ ବନ୍ୟା (flood) ପାଣି ମାଡ଼ିଯିବାର ଆଶଙ୍କା ମଧ୍ଯ ରହିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଦଶରଥପୁର ବ୍ଲକ୍ କମାରଢିହି ପଞ୍ଚାୟତ ଅନ୍ତର୍ଗତ ବଳରାମପୁର (Balarampur) ନିକଟରେ ଗତକାଲି ବୈତରଣୀ ନଦୀବନ୍ଧରେ ପ୍ରାୟ ୨୦୦ ଫୁଟ ଧସି ଯାଇଥିଲା । ଜଳସେଚନ ବିଭାଗ ପକ୍ଷରୁ ଧସିଥିବା ସ୍ଥାନରେ ଜେସିବି ବ୍ୟବହାର ସହ ବଲ୍ଲା ପୋତାଯାଇ ମରାମତି କାର୍ଯ୍ୟ କରାଯାଉଛି । ବର୍ତମାନ କେବଳ ୫୦ ଫୁଟ ମଧ୍ଯରେ ବଲ୍ଲା ପୋତାଯାଇଛି । ଯାହା ବନ୍ୟା ଜଳକୁ ଅଟାକାଇବାରେ ସକ୍ଷମ ନୁହେଁ ବୋଲି କୁହାଯାଉଛି । ସେପଟେ ନଦୀର ଜଳସ୍ତର ବଢୁଥିବା ଯୋଗୁଁ ମରାମତି ମଧ୍ଯ ସଠିକ୍ ଭାବେ ହୋଇପାରୁନାହିଁ । ମରାମତି ସଠିକ୍ ଭାବେ ହୋଇପାରୁନଥିବାରୁ ବଳରାମରପୁରଠାରେ ଧସିଥିବା ସ୍ଥାନରେ ଘାଇ ସୃଷ୍ଟି ହେବାର ଆଶଙ୍କା ମଧ୍ଯ ରହିଛି । ଧସିଥିବା ବନ୍ଧ ନିକଟରେ କମାରଡ଼ିହି ପଞ୍ଚାୟତର ବଳରାମପୁର, କୟାଁ ପଞ୍ଚାୟତକ ଇଚ୍ଛାପୁର, ଗୁଣଣ୍ଠୁଣିପଡ଼ା, ନିଜାମପୁରର ନୂଆପାଟଣା ଆଦି ଗାଁ ରହିଥିବା ବେଳେ ବିରିପଟା, ପାଲଟପୁର, କମାରଡ଼ିହି, ଖାନନନଗର, ଦତ୍ତପୁର, ଦୁଦୁରାଅନ୍ତା, ଥାଲକୁଡି, ପାଲଟପୁର, ଜାଫରପୁର ଆଦି ପଞ୍ଚାୟତ ପ୍ରତି ବନ୍ୟା ବିପଦ ଥିବା କୁହାଯାଉଛି ।


ପ୍ରକାଶ ଥାଉ କି, ଗୁରୁବାର ଦିନ ସକ୍ରିୟ ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ତତ-ସଂଲଗ୍ନ ଉତ୍ତର ଓଡ଼ିଶୀ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ତଳରେ ୭.୬ କିମି ଯାଏ ବ୍ୟାପିଛି । ଏହାର ପ୍ରଭାବରେ ଶୁକ୍ରବାର ଦିନ ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର, ଦେବଗଡ଼, , ସୁବର୍ଣ୍ଣପୁର, ଝାରସୁଗୁଡ଼ା ଓ ବରଗଡ଼ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଯାଇଛି। ଲଘୁଚାପ ଆସନ୍ତା ୨ରୁ ୩ ଦିନ ଯାଏ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଉତ୍ତର ଛତିଶଗଡ଼ ମଧ୍ଯ ଦେଇ ଗତି କରିବାର ସମ୍ଭାବନା ରହିଛି । ଏଥିସହ ମୌସୁମୀଜନିତ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ଏହାର ପୂର୍ବ ଭାଗ ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ଦେ‌ହରି, ରାଞ୍ଚି ମଧ୍ୟ ଦେଇ ଓଡ଼ିଶାର ବାଲେଶ୍ବରରୁ ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ତତ୍‌ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଯାଏ ଲମ୍ବିଛି।


ଫଳରେ ରାଜ୍ୟରେ ଏବେ କିଛି ଦିନ ବର୍ଷା ସମ୍ଭାବନା ରହୁଛି। ଶନିବାର ଦିନ ମଧ୍ୟ ଲଘୁଚାପର ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ ସତର୍କ ଜାରି କରାଯାଇଛି । ଏହାର ପ୍ରଭାବରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ଦେବଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି (Thunderstorm) ସହ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ତେଣୁ ବିଭାଗ ପକ୍ଷରୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ (Yellow alert) ଜାରି କରାଯାଇଛି।