Srimandir Secret Rituals: ରେଖାପଞ୍ଚମୀରେ ମହାପ୍ରଭୁଙ୍କୁ ଲାଗି ହେଲା ରାହୁ ରେଖା
Rahu Rekha Ritual at Srimandir: ରେଖାପଞ୍ଚମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ରାହୁ ରେଖା।
Rekha Panchami at Srimandir: ସେପ୍ଟମ୍ବର ୪ ତାରିଖ ସୋମବାର ଥିଲା ଭାଦ୍ରବ ମାସ କୃଷ୍ନପକ୍ଷ ପଞ୍ଚମୀ ତିଥି। ଯାହାକୁ ରେଖାପଞ୍ଚମୀ କୁହାଯାଏ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଥିଲା ରାହୁ ରେଖା। ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ରାହୁ ରେଖାକୁ ଚତୁଃର୍ଦ୍ଧା ମୂର୍ତ୍ତିଙ୍କୁ ଲାଗି କରାଯାଇଥିଲା।
ମହାପ୍ରଭୁଙ୍କ ଅନେକ ଗୁପ୍ତନୀତି ମଧ୍ୟରୁ ରାହୁ ରେଖା (Rahu Rekha Ritual at Srimandir) ଲାଗି ଏକ ଗୁପ୍ତନୀତି (Secret Rituals of Srimandir) ହୋଇଥିବାରୁ ଦଇତାପତି ସେବାୟତ (Sevayat of Srimandir) ଗୋଷ୍ଠୀଗତ ଭାବେ ଏହି ନୀତିକୁ ନିଷ୍ଠାର ସହ ସମ୍ପାଦନ କରିଥିଲେ। ପ୍ରଥମ ଭୋଗମଣ୍ଡପ ସରିବା ପରେ ରାହୁରେଖା ଲାଗି ନୀତି ଆରମ୍ଭ ହୋଇଥିଲା। ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନର (Shri Jagannath Temple Administration) ସୂଚନା ଅନୁଯାଇ ଆଜି ଅପରାହ୍ନ ତିନିଟାରୁ ରାତି ଆଠଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।
ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ଗରା ଜଳରେ ସ୍ନାନ କରି ଥଣ୍ଡା ଜ୍ୱରରେ ପୀଡିତ ହେବା ପରେ ଶ୍ରୀଜିଉଙ୍କ ଶ୍ରୀମୁଖରୁ ରାହୁ ରେଖା କାଢି ଦିଆଯାଇଥିଲା। ପୁନର୍ବାର ସୋମବାର ଦେଉଳ କରଣ, ତଢଉ କରଣ, ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ଭଣ୍ଡାର ଘରୁ ରାହୁ ରେଖା କଢାଯାଇଥିଲା। ପ୍ରଥମ ଭୋଗମଣ୍ଡପ ସରିବା ପରେ ପୁଷ୍ପାଳକ ସେବାୟତ ଝୋବାକଣ୍ଠି, ମଇଲମ କରିବା ସହ ମହାଜନ ସେବାୟତ ଭୂଦେବୀ ଏବଂ ଶ୍ରୀଦେବୀଙ୍କୁ ଖଟ ଶେଜ ଘରେ ବିରାଜମାନ କରାଇଥିଲେ।
ଏହାପରେ ପତିମହାପାତ୍ର ସେବାୟତ ରାହୁରେଖା ସଂସ୍କାର କରି ସାରିବା ପରେ ୪ ବାଡର ବାଡଗ୍ରାହୀ ଓଷୁଅ ଏବଂ କନା ଦ୍ୱାରା ଚତୁଃର୍ଦ୍ଧା ମୂର୍ତ୍ତିଙ୍କୁ ଶ୍ରୀମୁଖରେ ରାହୁରେଖା ଲାଗି କରାଇତିଲେ। ରାହୁରେଖା ନୀତି ସମାପ୍ତ ପରେ ଠାକୁରଙ୍କୁ ମହାସ୍ନାନ କରାଯାଇଥିଲା। ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ସୋମବାର ସକାଳ ୫ଟା ୮ ମିନିଟ ସମୟରେ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତି ସମ୍ପର୍ଣ୍ଣ ହେବା ପରେ ମଙ୍ଗଳାଳତୀ, ମଇଲମ, ତଡପଲାଗି ସହ ଅନ୍ଯାନ୍ଯ ନିତି ବଢିଥିଲା। ଯେହେତୁ ରାହୁରେଖା ଲାଗି ପାଇଁ ଅପରାହ୍ନ ତିନିଟାରୁ ପାଞ୍ଚଘଣ୍ଟା ଧରି ଦର୍ଶନ ବନ୍ଦ ରହିବାର ଥିଲା। ସେଥିପାଇଁ ଭକ୍ତ ଶୃଙ୍ଖଳିତ ଦର୍ଶନ କରିଛନ୍ତି।