Odisha Governors Visits Puri Temple: ଅକ୍ଟୋବର ୩୦ ତାରିଖ ସୋମବାର ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ସୋମବାର ଓଡ଼ିଶା ମାଟିରେ ଗତକାଲି ପହଞ୍ଚିଥିଲେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ପ୍ରଥମେ ରାଜ୍ୟପାଳ ଟ୍ରେନ ଯୋଗେ ସୋମବାର ଭୋର ପ୍ରାୟ ୫:୦୫ ସମୟରେ ପୁରୀ ରେଳ ଷ୍ଟେସନ ଠାରେ ପହଞ୍ଚିଥିଲେ। ସେଠାରୁ ସିଧାସଳଖ ରାଜଭବନ ଯାଇ ବିଶ୍ରାମ ନେବା ସହିତ ପୂର୍ବାହ୍ନ ପ୍ରାୟ ୧୦:୦୦ ସମୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ସିଧାସଳଖ ଭୁବନେଶ୍ୱର ଯାଇ ରାଜଭବନ ଠାରେ ରାତ୍ରୀଯାପନ କରିଛନ୍ତି। ଅକ୍ଟୋବର ୩୧ ତାରିଖ ମଙ୍ଗଳବାର ରାଜଧାନୀ ଭୁବନେଶ୍ୱର ଠାରେ ସକାଳ ପ୍ରାୟ ୮:୪୫ ମିନିଟ ସମୟରେ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧: ୪୫ ସମୟରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରାୟ ୮୦ଜଣ ବନ୍ଧୁ ପରିବାର ବର୍ଗ ମଧ୍ୟ ତାଙ୍କ ସହ ଆସିଛନ୍ତି। ନବ ନିଯୁକ୍ତି ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ଶ୍ରୀମନ୍ଦିରରେ ଜଗା ଦର୍ଶନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ସୋମବାର ଦିନ ପ୍ରାୟ ୧୧:୦୦ ସମୟ। ଶ୍ରୀମନ୍ଦିର ସିଂହଦ୍ୱାରରେ ପହଁଞ୍ଚିବା ପରେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ ସ୍ୱାଗତ କରିଥିଲେ। ସାଥିରେ ରହିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ବିଜେପି ମୁଖପାତ୍ର ସମ୍ବିତ ପାତ୍ର,ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ଏବଂ ଲଳିତେନ୍ଦୁ ବିଦ୍ଯାଧର ମହାପାତ୍ର, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଏବଂ ସମସ୍ତ ଜିଲ୍ଲା ବିଜେପି କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ସେଵାୟତ। 


ଶ୍ରୀମନ୍ଦିର ଯାଇ ପ୍ରଥମେ ବାଇଶି ପାହାଚରେ କାଶୀ ବିଶ୍ୱନାଥ ଦର୍ଶନ ସହ ପରେ ଲକ୍ଷ୍ମୀ ମନ୍ଦିର,ବିମଳା ମନ୍ଦିର,ପାର୍ଶ୍ୱ ଦେବାଦେବୀ, ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ। ପ୍ରାୟ ଏକଘଣ୍ଟା କାଳ ଶ୍ରୀମନ୍ଦିରରେ ରହିବା ସହ ମହାପ୍ରଭୁଙ୍କୁ ଦେଖି ଭାବବିହ୍ଵଳ ହୋଇଥିଲେ। ମଙ୍ଗଳବାର ରାଜ୍ୟର ୨୬ ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ ପୂର୍ବରୁ ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିବା ସହ ନୂତନ ଦାୟିତ୍ୱକୁ ଗ୍ରହଣ କରିବାକୁ ଯାଉଛନ୍ତି ରଘୁବର ଦାସ। ପୂର୍ବରୁ ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଭାବରେ ନିଜର ଦାୟୀତ୍ୱ ସୁଚାରୁରୂପେ ନିର୍ବାହ କରି ସାରିଛନ୍ତି।


କେନ୍ଦ୍ର ସରକାରଙ୍କ ବିକାଶର ଯୋଜନା କିପରି ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଗୁରୁତ୍ୱ ରହିବ ବୋଲି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପ୍ରତିକ୍ରିୟାରେ କହିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ରାଜ୍ୟର ପ୍ରଗତିରେ ଦେଶର ପ୍ରଗତି। ଓଡ଼ିଶାରେ ଏକପାଖିଆ ନ ହୋଇ ସୁଶାସନ କିପରି ହୋଇପାରିବ ସେ ଦିଗ ପ୍ରତି ଧ୍ୟାନ ଦିଆଯିବ। ଲୋକଙ୍କ ସମସ୍ୟା ଶୁଣିବା ପାଇଁ ୨୪ ଘଣ୍ଟା ରାଜଭବନ ଦ୍ୱାର ଖୋଲା ରହିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ରଘୁବର ଦାସ। ରାଜ୍ୟରୁ ଗରିବୀ ହଟେଇବା ମୁଖ୍ୟ ଲକ୍ଷ ରହିବ। ସେପଟେ ଆନ୍ଧ୍ର ପ୍ରଦେଶ ଠାରେ ହୋଇଥିବା ମୃତାହତଙ୍କ ପାଇଁ ଦୁଃଖପ୍ରକାଶ କରିବା ସହ ସେମାନଙ୍କ ପରିବାର ପାଇଁ  ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥିବା କହିଛନ୍ତି। ସେଇଭଳି ଧର୍ମ ପରମ୍ପରା ବଞ୍ଚି ରହିବା ଦ୍ୱାରା ଭାରତ ଖୁବଶୀଘ୍ର ବିଶ୍ୱଗୁରୁ ହୋଇପାରିବ କହିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ। 


ସେପଟେ ସେବାୟତଙ୍କ ସାଙ୍ଗରେ ଶ୍ରୀମନ୍ଦିର ଶୃଙ୍ଖଳା ସହ ଭକ୍ତଙ୍କ ସୁରୁଖୁରୁ ଦର୍ଶନ ଉପରେ ଆଲୋଚନା କରିଛନ୍ତି। ଅନ୍ୟପଟରେ ସିଂହଦ୍ୱାରରେ ଜଗାଦର୍ଶନ ପାଇଁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କୁ ହାତ ହଲେଇ ଅଭିବାଦନ ଦେବା ସହ ଜୟ ଜଗନ୍ନାଥ କହି ଅଭିବାଦନ ଦେଇଥିଲେ।ଏହା ତାଙ୍କର ତୃତୀୟ ଶ୍ରୀମନ୍ଦିର ଗସ୍ତ ବୋଲି କହିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ ତୃଣମୂଳ ସ୍ତରରୁ ଆସିଛନ୍ତି। ତେଣୁ ସବୁର ଉର୍ଦ୍ଧ୍ୱରେ ରହି ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ରାଜ୍ୟ ପାଇଁ କାମ ନିଶ୍ଚୟ କରିବେ। ରାଜନୀତିରୁ ଓହରିଥିଲେ ମଧ୍ୟ ସେ ଯେହେତୁ ଲୋକଙ୍କ ସେବା କରି ଆସିଛନ୍ତି,ତେଣୁ ଏବେ ମଧ୍ୟ ସେବା କରିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି।