ପାରାଦ୍ଵୀପ: ବାତ୍ୟା ଦାନାକୁ ନେଇ ପାରାଦ୍ଵୀପ ବନ୍ଦର ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଉଛି। ଆଜି ସଂଧ୍ୟା ପୂର୍ବରୁ ବନ୍ଦରର ବର୍ଥରେ ଥିବା ସମସ୍ତ ଜାହଜରୁ ପଣ୍ୟ ପରିବହନ ଓ ଲୋଡିଂ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଆଜି ସୁଦ୍ଧା ଆଙ୍କରେଜରେ ଥିବା ଜାହାଜ ଗୁଡ଼ିକ ଆବଶ୍ୟକୀୟ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି। ବାତ୍ୟାର ପରବର୍ତୀ ପଦକ୍ଷେପ ଯଥା ଗଛ କାଟିବା, ରାସ୍ତା ସଫା କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ପ୍ଲଟରେ ଥିବା କାର୍ଗୋ ଗୁଡିକୁ ବର୍ଷା ଓ ପବନରୁ ସୁରକ୍ଷିତ ରଖିବା ପାଇଁ ବନ୍ଦର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆଙ୍କରେଜରେ ଥିବ ଜାହାଜ ଗୁଡିକୁ ସମୁଦ୍ରର ସୁରକ୍ଷିତ ସ୍ଥାନରେ ଲଙ୍ଗର ପକାଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା। ଗଭୀର ଅବପାତ ବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି। ପାରାଦ୍ଵୀପ ରାଡାର ଇମେଜରେ ବାତ୍ୟାର ଚିତ୍ର ଦୃଶ୍ୟମାନ ହୋଇଛି। ଏହା ପାରାଦୀପରୁ ୫୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ପଶ୍ଚିମବଙ୍ଗ ସାଗରଦ୍ବୀପରୁ ୬୩୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟାପ୍ରତି ଏବେ ୧୮ କିମି ବେଗରେ ଆଗକୁ ବଢୁଛି। ତେବେ ବାତ୍ୟା ନେଇ ଆଇଏମ୍‌ଡି ପକ୍ଷରୁ ବୁଲେଟିନ୍‌ ଜାରି ହୋଇନି। ଗୁରୁବାର ଏହା ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବ। ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୩ କିମି ବେଗରେ ଗତି କରୁଛି। ୨୪ ରାତି କିମ୍ବା ୨୫ ସକାଳେ ଉପକୂଳ ଅତିକ୍ରମ କରିବ। ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ।