Weather News: ଡିସେମ୍ୱର ୨୪ରୁ ପୁଣି ଭିଜିବ ରାଜ୍ୟ, ସତର୍କ କରାଇଲା ପାଣିପାଗ ବିଭାଗ
Weather Update: ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ କମିଛି କିନ୍ତୁ କିଛି ଜିଲ୍ଲାରେ କୋହଲା ପାଗ ରହିଛି । ଦକ୍ଷିଣ ଉପକୂଳର କିଛି ସ୍ଥାନରେ ଆଜି ବର୍ଷା ହେବ ବୋଲି କୁହାଯାଇଛି । କିନ୍ତୁ ପୁଣି ଦୁଇଦିନ ପରେ ରାଜ୍ୟରେ ବର୍ଷା ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କାରଣରୁ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି ।
ଦକ୍ଷିଣ ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଉତ୍ତର ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି ।
ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ପୂର୍ବରୁ ଡିସେମ୍ୱର ୨୦ରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଥିଲା ।
ଗୋଟିଏ ପଟେ ରାଜ୍ୟରେ ଶୀତ ବଢିଥିବା ସମୟରେ ବର୍ତ୍ତମାନ ବର୍ଷା କଷ୍ଟକୁ ଦ୍ୱିଗୁଣିତ କରିଛି । ଘରୁ ବାହାରିଲେ ଲୋକେ ରେନିକୋର୍ଟ ପିନ୍ଧିବେ ନା ଶୀତବସ୍ତ୍ର ତାହା ଏବେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ।
ରାଜ୍ୟର ଅନେକ ଜିଲ୍ଲା ଗୁଡିକରେ ବର୍ତ୍ତମାନ କୋହଲା ପାଗ ରହିଛି । ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହୋଇଥିବା ସୂଚନା ମିଳିଛି ।
ଅଦିନିଆ ବର୍ଷା କାରଣରୁ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି ରାଜ୍ୟର ଚାଷୀ । ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ବର୍ଷା କାରଣରୁ ଧାନ ଓଦା ହୋଇଥିବା ବିଭିନ୍ନ ସ୍ଥାନରେ ନଜରକୁ ଆସିଛି । ଯଦି ଆଗକୁ ବର୍ଷା ଲାଗି ରୁହେ ତେବେ ଧାନ ଗଜା ହେବାର ଭୟ ଚାଷୀଙ୍କୁ ଘାରିଛି ।