Odisha News: ଆଜି ଗୃହରେ ଆଳୁ ଓ ପୋଲାଭରମ ତାତି, ପ୍ରଭାବିତ ହୋଇପାରେ ଗୃହକାର୍ଯ୍ୟ
Odisha News: ଆନ୍ଧ୍ରପ୍ରଦେଶ ପାଇଁ ପୋଲାଭରମ୍ ପ୍ରକଳ୍ପ ବିକାଶ ଧାରାକୁ ତ୍ୱରାନ୍ୱିତ କରିବ ବୋଲି କୁହାଯାଉଥିବାବେଳେ ଓଡ଼ିଶା ପାଇଁ ଏହା କାଳ ବୋଲି ବିଚାର କରାଯାଉଛି। ଏହି ପ୍ରକଳ୍ପ ଦ୍ୱାରା ଦକ୍ଷିଣ ଓଡ଼ିଶାର ଅନେକ ଗାଁ ନିଶ୍ଚିହ୍ନ ହେବାର ଆଶଙ୍କା ରହିଛି। ଅପରପବକ୍ଷେ କେନ୍ଦ୍ର ସରକାର ଏହି ଆଶଙ୍କାକୁ ହେୟଜ୍ଞାନ କରି ପ୍ରକଳ୍ପ ଉଚ୍ଚତାକୁ ଆହୁରି ୪ ମିଟର ଅଧିକ କରିବା ଲାଗି ଅନୁମୋଦନ କରିଛନ୍ତି।
ଭୁବନେଶ୍ୱର: ଆନ୍ଧ୍ରରେ ପୋଲାଭରମ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ କେନ୍ଦ୍ରର ଆକୁଣ୍ଠ ସମର୍ଥନ ଓ ସହାୟତା ଘୋଷଣା ରାଜ୍ୟରେ ମୋହନ ମାଝି ସରକାରଙ୍କୁ ଅଡ଼ୁଆରେ ପକାଇଛି। ପୁଣି ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏ ବାବଦରେ କୌଣସି ଗୋଟିଏ ଶବ୍ଦ ନ କହିବା ତଥା ବିରୋଧୀ ଦଳରେ ଥିବାବେଳେ ଦୀର୍ଘସମୟ ଧରି ଏହି ପ୍ରକଳ୍ପକୁ ବିରୋଧ କରୁଥିବା ବିଜେପରି ନେତାମାନେ ଚୁପ୍ ରହିବା ଏବେ ପରିସ୍ଥିତିକୁ ଭିନ୍ନ ମୋଡ଼ ଦେଉଛି। ଉଭୟ ବିଜେଡି ଓ କଂଗ୍ରେସ ଏ ପ୍ରସଙ୍ଗରେ ରାଜ୍ୟ ବିଧାନସଭାରେ ଆଜି ସରକାରଙ୍କୁ ଘେରି ପାରନ୍ତି। ଏହାସହ ରାଜ୍ୟରେ ଆଳୁ ମିଶନ ଫେଲ ମାରିବା ଏବଂ ଆଳୁ ବଜାରରେ ଚଢ଼ା ଦରରେ ବିକ୍ରିକୁ ନେଇ ମଧ୍ୟ ସଭା ସରଗରମ ହୋଇପାରେ।
ଆନ୍ଧ୍ରପ୍ରଦେଶ ପାଇଁ ପୋଲାଭରମ୍ ପ୍ରକଳ୍ପ ବିକାଶ ଧାରାକୁ ତ୍ୱରାନ୍ୱିତ କରିବ ବୋଲି କୁହାଯାଉଥିବାବେଳେ ଓଡ଼ିଶା ପାଇଁ ଏହା କାଳ ବୋଲି ବିଚାର କରାଯାଉଛି। ଏହି ପ୍ରକଳ୍ପ ଦ୍ୱାରା ଦକ୍ଷିଣ ଓଡ଼ିଶାର ଅନେକ ଗାଁ ନିଶ୍ଚିହ୍ନ ହେବାର ଆଶଙ୍କା ରହିଛି। ଅପରପବକ୍ଷେ କେନ୍ଦ୍ର ସରକାର ଏହି ଆଶଙ୍କାକୁ ହେୟଜ୍ଞାନ କରି ପ୍ରକଳ୍ପ ଉଚ୍ଚତାକୁ ଆହୁରି ୪ ମିଟର ଅଧିକ କରିବା ଲାଗି ଅନୁମୋଦନ କରିଛନ୍ତି। ପୂର୍ବରୁ ହି ଉଚ୍ଚତା ୪୧.୧୫ ମିଟର ସ୍ଥିର କରାଯାଇଥିବା ବେଳେ ଏବେ ଏହି ଉଚ୍ଚତାକୁ ୪୫.୭୨ ମିଟରକୁ ବୃଦ୍ଧି କରାଯାଇଛି।
ପୋଲାଭରମ ପ୍ରକଳ୍ପ ଦ୍ୱାରା ନିକଟବର୍ତ୍ତୀ ଅଞ୍ଚଳର ୧୨୦୦ରୁ ୧୩୦୦ ଗାଁ ବା ପଡ଼ା ଜଳମଗ୍ନ ହେବ। ଏପରିକି ଏଥିରେ ୫୯୧୯ ଆଦିବାସୀଙ୍କ ସମେତ ୬୮୧୮ ଜଣ ପ୍ରଭାବିତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଜଳମଗ୍ନ ହେବାରୁ ଅନେକ ସେମାନଙ୍କ ଜୀବୀକା ହରାଇବେ। ଏହି ଅଭିଯୋଗକୁ ଭିତ୍ତିକରି ମାମଲା ଏବେ କୋର୍ଟରେ ରହିଛି। କିନ୍ତୁ ସରକାର ତାହାକୁ ଅଣଦେଖା କରି ପ୍ରକଳ୍ପକୁ ଅନୁମତି ପ୍ରଦାନ କରିବା ଏବଂ ତାହାକୁ ତିନି ବର୍ଷ ଭିତରେ ଶେଷ କରିବା ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା କରିଛନ୍ତି।
ଉଭୟ ବିଜେଡି ଓ କଂଗ୍ରେସ ଏହି ଘୋଷଣାକୁ ବିରୋଧ କରିଛନ୍ତି। ଏଣୁ ଆଜି ମଧ୍ୟ ବିଧାନସଭାରେ ମାମଲା ସରଗରମ ହେବା ସ୍ୱଭାବିକ। ବିରୋଧୀ ଦଳ ରାଜ୍ୟପାଳଙ୍କ ପୁଅଙ୍କ ମାଡ଼ ମରା ଘଟଣାରୁ ଓହରି ପୋଲାଭରମକୁ ନେଇ ବିଧାନସଭାରେ ନିଜ ଯୁକ୍ତି ରଖିବା ତଥା ଏ ବିଷୟରେ ଆଲୋଚନା ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି।
ଅପରପକ୍ଷେ ରାଜ୍ୟରେ ଆଳୁ ଦର ଅହେତୁକ ବୃଦ୍ଧି ପାଇବା ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପାରେ। ଏ ପ୍ରସଙ୍ଗରେ ଯଦିଓ ସରକାରୀ ଦଳ ପୂର୍ତବ ସରକାରଙ୍କ ବିଫଳ ଆଳୁ ମିଶନ ଉପରେ ଦୋଷ ଦେଇ ଖସିଯାଇପାରନ୍ତି କିନ୍ତୁ ପୋଲାଭରମ ସରକାରଙ୍କ ପୋଲ୍ ଖୋଲିବା ନିଶ୍ଚିତପ୍ରାୟ।