Odisha News: ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ଚୋରାଚାଲାଣ ହେଉଥିବା ୩ ବାଲି ବୋଝେଇ ଟ୍ରାକ୍ଟରକୁ ପୁଣି ଜବତ କରିଛି କାଶୀନଗର ପୋଲିସ। ବଂଶଧାରା ନଦୀ ମୁହାଣରୁ ବେଆଇନ ଭାବେ ବାଲି ମାଫିଆ ବାଲି ଚୋରାଚାଲାଣ କରିଥିବା ବେଳେ ରାଜ୍ୟ ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବହାନୀ ହେଉଛି। ମଙ୍ଗଳବାର ରାତ୍ର କାଶୀନଗର ଥାନା ଅଧିକାରୀ ସୁନୀଲ ବେହେରାଙ୍କ ପରାମର୍ଶକ୍ରମେ ଏଏସଆଇ ଏଲ. ଭି ପ୍ରସାଦ ପାଟ୍ରୋଲିଂ କରୁଥିବା ବେଳେ ବେଆଇନ ତଥା ବିନା ରସିଦରେ ବାଲି ଚୋରାଚାଲାଣ କରୁଥିବା ୩ ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରିଥିଲେ।


COMMERCIAL BREAK
SCROLL TO CONTINUE READING

ସେମାନଙ୍କ କାଗଜପତ୍ର ନ ଥିବା ଜାଣି ୩ ଟ୍ରାକ୍ଟରକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରାଯାଇଥିବା ସୁଚନା ମିଳିଛି। ଉକ୍ତ ବେଆଇନ ବାଲି ବୋଝେଇ ୩ ଟ୍ରାକ୍ଟରକୁ ଗଜପତି ଜିଲ୍ଲା ଖଣି ବିଭାଗକୁ ହସ୍ତାନ୍ତର କରାଯିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି। କିଛି ଦିନ ହେଲା କାଶୀନଗର ଅଞ୍ଚଳରେ ବହୁ ବେଆଇନ ଭାବେ ଟ୍ରାକ୍ଟର, ଟ୍ରକ୍, ମ୍ୟାକ୍ସ ପିକଅପ୍ ଗାଡ଼ିରେ ବାଲି ଚୋରାଚାଲାଣ କରୁଥିବା ବେଳେ ପୁଲିସ ଧରି ବାରମ୍ବାର ଖଣି ବିଭାଗକୁ ହସ୍ତାନ୍ତର କରୁଛି।


ଖଣି ବିଭାଗ କେବଳ ଜରିମାନା ଆଦାୟ କରି ସେମାନଙ୍କୁ ଛାଡି ଦେଉଥିବା ବେଳେ ପୁଣି ସରକାରଙ୍କ ନିୟମ ଉଲ୍ଲଙ୍ଘନ କରି ବାଲି ମାଫିଆ ବାଲି ଚୋରାଚାଲାଣ କରିଥିବା ଏଠାରେ ଦେଖୁବାକୁ ମିଳିଛି। ଉକ୍ତ ବେଆଇନ ବାଲି ଚୋରାଚାଲାଣ ଗାଡ଼ି ଓ ବ୍ୟକ୍ତିମାନଙ୍କ ଉପରେ ଜିଲ୍ଲା ପ୍ରଶାସନ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।