ପୁରୀ: ପୁରୀ ଜିଲ୍ଲାରେ ଏବେ ବି ବାର୍ଡ ଫ୍ଲୁ ଆତଙ୍କ ଜାରି ରହିଛି। ତେଣୁ ସଂକ୍ରମିତ ଅଞ୍ଚଳରେ ୩ମାସ କୁକୁଡ଼ା ଚାଷ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ୩ମାସ ଯାଏଁ କୁକୁଡ଼ା ଚାଷ ଉପରେ ପୁରୀ ପ୍ରଶାସନର କଟକଣା ଜାରି ହୋଇଛି। ଜିଲ୍ଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ଚାରୋଟି ଗ୍ରାମରେ ବାର୍ଡ ଫ୍ଲୁ ଚିହ୍ନଟ କରାଯିବା ପରେ ତତ୍ପରତା ଦେଖାଇଛି ପ୍ରଶାସନ। 


COMMERCIAL BREAK
SCROLL TO CONTINUE READING

ପିପିଲି ବ୍ଲକର ୮୬୧ଟି କୁକୁଡ଼ା ଫାର୍ମରୁ ୫୫ଟି ଫାର୍ମ ସିଲ ହୋଇଛି। ଡେଲାଙ୍ଗ ବ୍ଲକରେ ୩୪୪ଟି ଫାର୍ମ ରହିଛି। ବିଶୋଧନ କରି ୬୪ଟି ଫାର୍ମକୁ ସିଲ୍ କରାଯାଇଛି। ସେହିଭଳି ସତ୍ୟବାଦୀରେ ୨୨ଟି କୁକୁଡ଼ା ଫାର୍ମକୁ ବିଶୋଧନ କରି ସିଲ କରିଛି ପ୍ରାଣୀ ସମ୍ପଦ ବିଭାଗ। ସେହିପରି ସଂକ୍ରମିତ ଅଞ୍ଚଳର ୧ କିମି ଭିତରେ କୁକୁଡ଼ା ଚାଷ ହେବ ନାହିଁ। ୧-୧୦ କିମି ବ୍ୟାସାର୍ଦ୍ଧରେ କୁକୁଡ଼ା ବାହାରକୁ ପଠାଯିବନି। ୧୫ ଦିନରେ ଥରେ କୁକୁଡ଼ା ନମୁନା ପରୀକ୍ଷା କରାଯିବ। ଯଦି ନେଗେଟିଭ୍ ଆସିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।