President Droupadi Murmu: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବା ଯୋଜନା ସ୍ଥଗିତ ରଖାଯାଇଛି। ରାଷ୍ଟ୍ରପତି ୩ ଦିନିଆ ଗସ୍ତରେ ଆସିବାର ଥିଲା। ଅକ୍ଟୋବର ୨୩ ତାରିଖ ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲା ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ରାଷ୍ଟ୍ରପତି ଭବନ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅବଗତ କରିବା ପରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ସେ ଅକ୍ଟୋବର ୨୩ ରୁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଓଡ଼ିଶାରେ ଗସ୍ତରେ ଆସିବାର ଥିଲା। ଅକ୍ଟୋବର ୨୩ରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳ ପହଞ୍ଚି ସେଠାରେ ୩ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଆଭାସୀ ଜରିଆରେ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ଥିଲା। 


COMMERCIAL BREAK
SCROLL TO CONTINUE READING

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିଲା। ସୋମବାର ବାୟୁସେନାର ଦୁଇଟି ହେଲିକେପ୍ଟରରେ ନଅ ଜଣ ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀ ଆସି ରାଷ୍ଟ୍ରପତି ଓହ୍ଲାଇବାର ହେଲିପେଡ ତଦାରଖ କରି ଫେରିଯାଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଗସ୍ତକାଳରେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି, ଉପରବେଡ଼ା, ରାଇରଂଗପୁର ସହ ପୁରୀ ଓ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତେ। ତେବେ ଅନିବାର୍ଯ୍ୟ କାରଣ ଯୋଗୁଁ ରାଷ୍ଟ୍ରପତିଙ୍କ ଗସ୍ତ ସ୍ଥଗିତ ରହିଛି ବୋଲି କୁହାଯାଇଛି ।