Press and Registration of Periodicals Bill 2023: ଭୁବନେଶ୍ୱର: ଲୋକସଭାରେ ଆଜି ପାରିତ ହୋଇଛି ପ୍ରେସ ଏବଂ ନିୟମିତ ପତ୍ରିକା ପଞ୍ଜୀକରଣ ବିଲ୍‍-୨୦୨୩। ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇ ରାଷ୍ଟ୍ରପତିଙ୍କ ପାଖକୁ ଅନୁମୋଦନ ପଠାଯାଇଛି। ଏହି ବିଲ୍ ଅନୁମୋଦନ ହୋଇସାରିବା ପରେ ୧୮୬୭ ପ୍ରେସ ଏବଂ ପୁସ୍ତକ ପଞ୍ଜୀକରଣ ଆଇନକୁ ବାଦ ଦେବ। ଏହି ଆଇନ ଅଧିକରୁ ଅଧିକ ଜନସାଧାରଣଙ୍କୁ ସାମ୍ବାଦିକତା ଆଡ଼କୁ ଆକର୍ଷିତ କରିବା ଏବଂ ଉଦ୍ୟୋଗୀ କରାଇବାକୁ ଉଦ୍ଦିଷ୍ଟ ବୋଲି କହିଛନ୍ତି ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। 


COMMERCIAL BREAK
SCROLL TO CONTINUE READING

ପ୍ରେସ ଏବଂ ନିୟମିତ ପତ୍ରିକା ବିଲ୍‍-୨୦୨୩ ଦ୍ୱାରା ଖବରକାଗଜ ପ୍ରକାଶନ କରିବାକୁ ଚାହୁଁଥିବା ସାଧାରଣ ଲୋକଙ୍କୁ ଅନୁମୋଦନ ଲାଗି ସରକାରୀ କାର୍ଯ୍ୟାଳୟ ଯିବାରୁ ବାରଣ କରିଛି। ଘରେ ବସି ଇଣ୍ଟରନେଟ୍‍ ମାଧ୍ୟମରେ ଯେ କୌଣସି ବ୍ୟକ୍ତି ଖବରକାଗଜ ନାମ ଆବେଦନ କରିବା ସହ ପଞ୍ଜିକରଣ କରାଇପାରିବେ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ୨ ମାସ ଭିତରେ ଶେଷ ହେବ ବୋଲି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ଏହି ବିଲ୍‍ ନୂଆ ଭାରତର ଆକାଂକ୍ଷାକୁ ପୂରଣ କରିବା ସହ ଦେଶବାସୀଙ୍କୁ ମୋଦୀ ଗ୍ୟାରେଣ୍ଟି ର ଆଉ ଏକ ସୁଯୋଗ ଉନ୍ମୁକ୍ତ କରିବ ବୋଲି କହିଛନ୍ତି।


ପୂର୍ବରୁ ଜିଲ୍ଲାପାଳଙ୍କ ଅଫିସ କିମ୍ବା ଅତିରିକ୍ତ ଜିଲ୍ଲାପାଳ ଅଥବା ପୁଲିସ ଆୟୁକ୍ତଙ୍କ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କୁ ଖବରକାଗଜ ପାଇଁ ଆବେଦନ କରିବାକୁ ପଡୁଥିଲା। ହେଲେ ପ୍ରେସ ଏବଂ ନିୟମିତ ପତ୍ରିକା ବିଲ୍‍-୨୦୨୩ ରେ ଆଉ ଏଥିପାଇଁ କୌଣସି ବ୍ୟବସ୍ଥା ରହିବ ନାହିଁ। ପୁଣି ବର୍ଷ ବର୍ଷଧରି ଫାଇଲ୍‍ ବିଳମ୍ବିତ ହୋଇ ପଡ଼ିବ ନାହିଁ। ଯେଉଁଟି ନାମ ପାଇଁ ବିବାଦ ଆସିବ ତାହାକୁ ତୁରନ୍ତ ପ୍ରକାଶ କରାଯାଇ ପ୍ରତ୍ୟାହାର କରାଯିବ। ପୁଣି ଗୋଟିଏ ରାଜ୍ୟରେ ପ୍ରକାଶ ପାଉଥିବା ନାଁ ଅନ୍ୟ ରାଜ୍ୟରେ ପ୍ରକାଶ ପାଉଥିଲେ ତାହାକୁ ତୁରନ୍ତ ବାତିଲ୍‍ କରିବା କ୍ଷମତା ପ୍ରେସ ରେଜିଷ୍ଟ୍ରାର ଙ୍କ ହାତରେ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। 


ଗତ ୨୦୧୧ ବର୍ଷରେ ଏହି ପୁରୁଣା ଆଇନକୁ ସଂଶୋଧନ କରାଯାଇଥିଲା। ହେଲେ ତାହା ଦେଶବାସୀଙ୍କ ଆକାଂକ୍ଷା ପୂରଣ କରି ପାରି ନଥିବା ସରକାର ଅନୁଭବ କରିଥିଲେ। ଏହି ନୂଆ ଆଇନରେ ବହି ପଞ୍ଜିକରଣକୁ ରେଜିଷ୍ଟ୍ରାର ଅଫ୍ ନ୍ୟୁଜପେପର୍ସ ଫର୍ ଇଣ୍ଡିଆ (Registrar of Newspapers for India) ଆର୍‍ଏନ୍‍ଆଇ (RNI) ଠାରୁ ଦୂରରେ ରଖାଯାଇଛି। ଶିକ୍ଷା ବିଭାଗ ଦ୍ୱାରା ପୁସ୍ତକ ପଞ୍ଜିକରଣ ସମ୍ପନ୍ନ କରାଯିବ। 


ବିଦ୍ୟାଳୟ, ମହାବିଦ୍ୟାଳୟ ଅଥବା ବିଶ୍ୱବିଦ୍ୟାଳୟରୁ ପ୍ରକାଶିତ ହେଉଥିବା ପତ୍ରପତ୍ରିକା ଏହି ପଞ୍ଜିକରଣରୁ ମୁକ୍ତ କରାଯାଇଛି। ଏହା ଯୁବପିଢିଙ୍କ ସ୍ୱାଧିନତାର ଅଭିବ୍ୟକ୍ତିରେ ଅଧିକ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ବର୍ତ୍ତମାନ ଦେଶରେ ୧ ଲକ୍ଷ ୬୬ ହଜାର ୮୭ ଖବରକାଗଜ ସହ ପତ୍ରିକା ନାମ ପଞ୍ଜୀକୃତ ହୋଇଛି। ସେଧିମଥିରୁ ୧ ଲକ୍ଷ ୩୯ ହଜାର ୯୦୭ ଖବରକାଗଜ ପ୍ରକାଶିତ ହୋଇଛି। ବିଗତ ୨ ମାସ ମଧ୍ୟରେ ପ୍ରେସ ରେଜିଷ୍ଟ୍ରାର ମାସକୁ ୩୧୪ ନୂଆ ଖବରକାଗଜ ନାମ ଯାଞ୍ଚ କରିଛନ୍ତି। ସେଧିମଧ୍ୟରୁ ୨୧୦ ପଞ୍ଜୀକୃତ ହୋଇଛି।