(ବ୍ରହ୍ମପୁର, ପ୍ରେମାନନ୍ଦ ପୂଜାରୀ): ବ୍ରହ୍ମପୁର ମହାନଗର ନିଗମର( Berhampur Municipal Corporation) ବିଜିପୁର ପୋଖରୀ କଡ଼ରେ ରାସ୍ତା କାମ ପାଇଁ ପ୍ରାୟ ୧୦ଟି ବରଗଛ କାଟିବାକୁ ବ୍ରହ୍ମପୁର ମହାନଗର ନିଗମ ଯୋଜନା ରହିଥିବା ବେଳେ ପରିବେଶ ପ୍ରେମୀ ଙ୍କ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି। ଏନେଇ ଉନ୍ନୟନ କାର୍ଯ୍ୟ ସମୟରେ ବୃକ୍ଷକୁ ସୁରକ୍ଷା ଦେବା ପାଇଁ କମିଶନରଙ୍କୁ ଦାବିପତ୍ର ଦେଇଛନ୍ତି ପରିବେଶପ୍ରେମୀ। ବ୍ରହ୍ମପୁର ସହରରେ ମହାନଗର ନିଗମ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସବୁ ସମୟରେ ଜାରି ରହିଛି।


COMMERCIAL BREAK
SCROLL TO CONTINUE READING

ଏହି ସମୟରେ ବିନା କାରଣରେ ସହରରେ ବହୁ ବର୍ଷ ଧରି ରହିଥିବା ବୃକ୍ଷ ଗୁଡ଼ିକ କଟା ଯିବାକୁ ଯୋଜନା କରିଛି  ବ୍ରହ୍ମପୁର ମହାନଗର ନିଗମ। ଏହାକୁ ନଜରରେ ରଖି ସହରରେ ଉନ୍ନୟନ କାର୍ଯ୍ୟ ସମୟରେ ବୃକ୍ଷକୁ ସୁରକ୍ଷା ଦେବା ସହ ଉକ୍ତ ସ୍ଥାନରେ ବୃକ୍ଷକୁ ରଖିବା ପାଇଁ ବିକଳ୍ପ ପନ୍ଥା ଆପଣାଇବା ପାଇଁ କମିଶନର ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ବ୍ରହ୍ମପୁର ସବୁଜ ବାହିନୀ। ବର୍ତ୍ତମାନ ସହରର ବିଜିପୁର ପୋଖରୀ ନିକଟରେ ଥିବା ବର ଗଛ ଗୁଡିକର ସୁରକ୍ଷା ପାଇଁ ବିକଳ୍ପ ଭାବେ ରାସ୍ତାକୁ ସମତୁଲ କରିବା ସହ ଶନିବାର ଦିନ କାମକୁ ବନ୍ଦ କରିବାକୁ ଅନୁରୋଧ କରାଯାଇଥିଲା। 


ସୂଚନା ଅନୁଯାୟୀ ବ୍ରହ୍ମପୁରର କଂଗ୍ରେସ ଅଫିସରୁ ବିଜିପୁର ଛକ ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତାରେ ନୂତନ ନାଳ ନିର୍ମାଣ ସକାଶେ ଖନନ ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧ୍ବ ବର ଗଛ ଗୁଡିକୁ କାଟିବା ପାଇଁ ଯୋଜନା ରହିଛି। ଏହି ଗଛ ଗୁଡିକର ସୁରକ୍ଷା ପାଇଁ ବ୍ରହ୍ମପୁର ସବୁଜ ବାହିନୀର ସଦସ୍ୟ ବ୍ରହ୍ମପୁର କମିଶନର ଜେ ସୋନାଲଙ୍କୁ ଦାବି ପତ୍ର ଦେବା ସହ ଗଛ ନ କାଟି ବିକଳ୍ପ ବାହାର କରାଯାଉ ବୋଲି କହିଥିଲେ। କାରଣ ସ୍ଥାନୀୟ ଗଛ ଗୁଡିକରେ ହଜାର ହଜାର ପକ୍ଷୀ ବାସ କରୁଥିବା ବେଳେ ପଥଚାରିମାନଙ୍କୁ ଏକ ସୁସ୍ଥ ପରିବେଶ ଯୋଗାଇଆସୁଛି। 


କମିଶନର ଜେ ସୋନାଲ ମଧ୍ୟ ଗଛ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେବା ସହ ଏହାର ବିକଳ୍ପ ସକାଶେ ତର୍ଜମା କରିବେ ବୋଲି ସଙ୍ଗଠନକୁ କହିଛନ୍ତି । ଏହି ଦାବିପତ୍ର ପ୍ରଦାନରେ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ ପ୍ରକାଶ, ପି ବିନୋଦ, ଗଣେଶ ପାଣିଗ୍ରାହୀ, ସାଗର ପ୍ରସାଦ ପାତ୍ର, ଶିବରାମ ବେହେରା,ପ୍ରବୀଣ ନାୟକ, ବି ସୂର୍ଯ୍ୟ ନାରାୟଣ ପାତ୍ର,ବାଲାଜୀ ବେହେରା ,ସୁଜିତ ଗୌଡ଼, ଆକାଶ ରାଉତ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। 


ଅପରପକ୍ଷରେ ବିଜେପି ତରଫରୁ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇବା ସହିତ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ବିଜିପୁର ପୋଖରୀ କଡ଼ରେ ୧୪ ଟି ବର ଓ ଓସ୍ତ ଗଛ ରହିଛି। କେତେକ ଗଛର ବୟସ ଶତାୟୁ ରୁ ଉର୍ଦ୍ଧ୍ବ ହେବ। ବର୍ତ୍ତମାନ ଯେଉଁ ଡ୍ରେନ ନିର୍ମାଣ ପାଇଁ ମୂଳ କୁ ଗୁଡ଼ିକୁ ଖୋଳାଯାଇଛି ।‌ ବିଶାଳ ବୃକ୍ଷ ଯେ କୌଣସି ସମୟରେ ଧରାଶାୟୀ ହେବାର ଆଶଂକା ରହିଛି। ତେଣୁ ତୁରନ୍ତ ରାସ୍ତା କାମ ବନ୍ଦ କରିବାକୁ ବ୍ରହ୍ମପୁର ମହାନଗର ନିଗମ କୁ ବିଜେପି ଦଳର ପକ୍ଷରୁ ଦାବି ପ୍ରଦାନ କରାଯାଇଛି।