Janmashtami 2023: ଆଜି ପବିତ୍ର ଜନ୍ମାଷ୍ଟମୀ। ଏନେଇ ଚଳଞ୍ଚଳ ଶ୍ରୀକ୍ଷେତ୍ର । ତେବେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ପୁରୀ ଶ୍ରୀମନ୍ଦିରରେ (Jagannath temple) ଅନୁଷ୍ଠିତ ହେବ ଶ୍ରୀକୃଷ୍ଣ ଜନ୍ମୋତ୍ସବ। ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପବିତ୍ର ଜନ୍ମାଷ୍ଟମୀ (Janmashtami 2023)  ପାଳନ କରାଯାଏ । ତେବେ ଏହି ଅବସରରେ ଶ୍ରୀମନ୍ଦିରରେ ସଂନ୍ଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯିବା ନେଇ ପରମ୍ପରା ରହିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି । ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ମହାପ୍ରଭୁଙ୍କ ନିକଟର ଜେଉଡ ଭୋଗ ଲାଗି କରାଯାଇଥିଲା। ଏହାକୁ ଗର୍ଭଉଦକ ବନ୍ଦାପନା’ ମଧ୍ଯ କୁହାଯାଇଥାଏ । ସ୍ବୟଂ କାଳିଆ ଠାକୁର ଦେବକୀ ରୂପ ଧାରଣ କରି ଗର୍ଭଧାରଣ କରିଥିବାରୁ ସୁଖ ପ୍ରସବ ଲାଗି ତାଙ୍କ ନିକଟରେ ଜନ୍ମାଷ୍ଟମୀ ଦିନ ‘ଜେଉଡ଼ ପ୍ରସାଦ’ ଲାଗି କରାଯାଇଥାଏ । ଗର୍ଭବତୀ ନାରୀମାନେ ସୁଖ ପ୍ରସବ ଲାଗି ଜେଉଡ଼ ଫଳ ଖାଇଥାନ୍ତି। ତେଣୁ ଜନ୍ମାଷ୍ଟମୀ ପୂର୍ବ ଦିନ ଶ୍ରୀଜଗନ୍ନାଥ ଦେବକୀ ରୂପ ଧାରଣ କରି ଜେଉଡ଼ ଭୋଗ ଖାଇଥାନ୍ତି। ତାଙ୍କ ଗର୍ଭରେ ଶ୍ରୀକୃଷ୍ଣ ରହିଥିବାରୁ ତାଙ୍କୁ ଗୋଟିଏ ଅଧିକ ବନ୍ଦାପନା କରାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତେଣୁ ତାଙ୍କଠାରୁ ଶ୍ରୀକୃଷ୍ଣ ସୃଷ୍ଟି ହୋଇଥିବା ବିଶ୍ବାସ ରହିଛି। ଲୀଳାମୟ ଠାକୁରଙ୍କ ଏହା ଏକ ଅଲୌକିକ ଲୀଳା ଅଟେ।


ପରେ ମହାଜନ ସେବକଙ୍କ ଦ୍ଵାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ଦେବକୀ ଓ ବସୁଦେବ ବେଶରେ ଜନ୍ମ ଚକଡାରେ ନିଶାର୍ଦ୍ଧରେ ପ୍ରଭୁ କୃଷ୍ଣ ଜନ୍ମ ନେବେ । ସଂନ୍ଧ୍ୟାଧୂପ ପରେ ସଂନ୍ଧ୍ୟା ଜୟବିଜୟ ଦ୍ବାର ବନ୍ଦ କରାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ । ଭଣ୍ତାର ଘର ସମ୍ମୁଖ ଭାଗରେ ପୂଜାପଣ୍ତା ସେବାୟତମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମ ମଣ୍ତଳୀ ଅଙ୍କନ କରିବେ । ସେଠାରେ ସୁନାର ଶ୍ରୀକୃଷ୍ଣ ମୂର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ଅଣାଯିବ। ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ଚରିତ୍ର ହୋଇ ଏହି ଜନ୍ମନୀତି ପାଳନ କରିବେ । ଏହାପରେ ମଦନମୋହନଙ୍କୁ ନାଭିକଟା ମଣ୍ତପକୁ ନିଆଯାଇ କୃଷ୍ଣ ଜନ୍ମଠାରୁ ଉପନୟନ ପର୍ଯ୍ୟନ୍ତ ନୀତି ଅନୁଷ୍ଠିତ ହେବ। ଜଗମୋହମ ନିକଟରେ ଏକ ଦୋଳିରେ ମଦନମୋହନଙ୍କୁ ରଖାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ କରାଯିବ ।


ଏହା ବି ପଢନ୍ତୁ-Janmashtami 2023: ଚଳିତ ବର୍ଷ ଜନ୍ମାଷ୍ଟମୀରେ ପାଳିତ ହେବ ଶ୍ରୀକୃଷ୍ଣଙ୍କ ଏତିକି ତମ ଜନ୍ମୋତ୍ସବ, ଜାଣନ୍ତୁ ପୂଜା ବିଧି ଓ ସମୟ