Puri Anand Bazaar: ସୀମା ଲଙ୍ଘିଛି ଆନନ୍ଦବଜାରର ବିଶୃଙ୍ଖଳା। କେତେବେଳେ ଏହା ରଣକ୍ଷେତ୍ର ପାଲଟୁଛି ତ ଆଉ କେତେବେଳେ ନୀରିହ ଭକ୍ତ ଏଠାରେ ଆକ୍ରମଣର ଶିକାର ହେଉଛନ୍ତି। ସେପଟେ ଦିନକୁ ଦିନ ବଢିବାରେ ଲାଗିଛି ଅଣ ସେବାୟତଙ୍କ ଦୌରାତ୍ମ୍ୟ। ଫଳରେ ଧାର୍ମିକ ମହତ୍ତ୍ୱ ହରାଉଛି ଆନନ୍ଦବଜାର । ଅଵଢ଼ାକୁ ଚଢା ଦରରେ ବିକୁଥିବା ଦଲାଲ ମାନଙ୍କ ଯୋଗୁଁ ମହାପ୍ରସାଦ ପାଇବାରୁ ବଞ୍ଚିତ ହେଉଛି ଅନେକ ଭକ୍ତ । ବିଳମ୍ବରେ ହେଉ ପଛେ ଏହି ମାମଲା କଡା ପଦକ୍ଷେପ ଗ୍ରହଣ କରିଛି ସୁଆର ମହାସୁଆର ନିଯୋଗ। ଅଣସେବକ ଓ ସୁପକାର ଅଣସେବକଙ୍କୁ ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ଏହି ନିୟମ ଉଲଂଘନ କରେ ତାହାଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଶ୍ରୀମନ୍ଦିରରେ ବଢିଛି ଅଣସେବାୟତଙ୍କ ଦୌରାତ୍ମ୍ଯ। ସୀମା ଟପିଛି ଭକ୍ତଙ୍କ ସହ ଅଣସେବାୟତଙ୍କ ଦୁର୍ବ୍ୟବହାର । ସୁପକାର ନୁହେଁ ଏଠାରେ ଅଣ ସୁପକାର କରୁଛନ୍ତି ମହାପ୍ରସାଦ ବିକ୍ରି। ଚଢା ଦରରେ ଭକ୍ତଙ୍କୁ ବିକା ଚାଲି ଅବଢ଼ା । ବିରୋଧ କଲେ ଭକ୍ତଙ୍କୁ ଗୋଡାଇ ଗୋଡାଇ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି । ଏମିତି କି ମରଣାନ୍ତକ ଆକ୍ରମଣ କରିବାକୁ ପଛାଉନାହାଁନ୍ତି ଦଲାଲ ଅଣସେବକ । ପ୍ରକାଶ ଥାଉ କି, ଗତ ୧୦ ତାରିଖରେ ରଣକ୍ଷେତ୍ର ପାଲଟିଥିଲା ଆନନ୍ଦବଜାର।  ଏହି ଅଭାବନୀୟ ଘଟଣା ପରେ ଜଣେ ଅଣସେବକଙ୍କୁ ଗିରଫ କରାଯାଇଛି । କିନ୍ତୁ ଏବେ ବି ଅନେକ ଅଣସେବକ ପତିଆରା ଦେଖାଇ ଆତଙ୍କିତ କରୁଥିବା ଦେଖିବାକୁ ମିଳୁଛି । ନିର୍ଦ୍ଧାରିତ ଦର ଠାରୁ ଚଢା ଦରରେ ଭକ୍ତଙ୍କୁ ମହାପ୍ରସାଦ ବିକ୍ରି କରାଯାଉଛି । ଖାଲି ଏତିକି ନୁହେଁ, ଆବଶ୍ୟକତା ଠାରୁ ଅଧିକ ମହାପ୍ରସାଦ କିଣିବା ଲାଗି ମଧ୍ଯ ଭକ୍ତଙ୍କୁ ବାଧ୍ୟ କରାଯାଉଛି । ତେବେ ଭକ୍ତଙ୍କ କହିବା କଥା ଚଢା ରେଟରେ ଅବଢ଼ାର ଦଲାଲି ବିକ୍ରି ଯୋଗୁଁ ପେଟପୁରା ମହାପ୍ରସାଦ ଟିକିଏ କିଣିବା ସମ୍ଭବ ହେଉନାହିଁ । ଧାର୍ମିକ ସ୍ଥଳକୁ ବ୍ୟବସାୟ ସ୍ଥଳୀରେ ପରିଣତ ନ କରାଯାଉ ବୋଲି ଭକ୍ତ ଦାବି କରିଛନ୍ତି। ସେପଟେ, ବିଳମ୍ବରେ ହେଲେ ବି ଆନନ୍ଦବଜାର ବିଶୃଙ୍ଖଳା ପରେ ସୁଆର ମହାସୁଆର ନିଯୋଗର ଚେତା ପଶିଛି। ଆନନ୍ଦବଜାରରେ କେହି ଅଣସେବାୟତ ମହାପ୍ରସାଦ ବିକ୍ରି କରିପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । କୌଣସି ସୁପକାର ଅଣସେବକଙ୍କୁ ମହାପ୍ରସାଦ ବିକ୍ରୟ କାର୍ଯ୍ୟରେ ନିୟୋଜିତ କରିପାରିବେ ନାହିଁ। ଯଦି ଏହି ନିୟମର ଉଲଂଘନ ହୁଏ ତେବେ ସଂପୃକ୍ତ ସୁପକାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। କୌଣସି ଅବଢ଼ା କିମ୍ବା ଶୁଖିଲା ପ୍ରସାଦ ବିକ୍ରି ହେଉଥିବା ଦୋକାନରେ ଅଣ ସେଵାୟତଙ୍କୁ ନରଖିବାକୁ ବିଜ୍ଞପ୍ତି ଜାରି କରାଯାଇଛି।  ଏଥିରେ ଖିଲାପ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ ଓ ସୁପରଭାଇଜରଙ୍କୁ ଚିଠି କରିଛି ନିଯୋଗ । ସେଵାୟତ ହେଉନ୍ତୁ ଅବା ଅଣସେଵାୟତ ବିଶୃଙ୍ଖଳାକାରୀଙ୍କୁ କଠିନ ଦଣ୍ଡ ଦିଆଯାଉ ବୋଲି ଅପିଲ କରିଛି ନିଯୋଗ । ସେପଟେ ଆନନ୍ଦ ବଜାରରେ ମହାପ୍ରସାଦ ଦର ତାଲିକା ନଲାଗିବା ଯୋଗୁଁ ଭକ୍ତ ଦଲାଲଙ୍କ ପାଲରେ ପଡୁଥିବାରୁ ତୁରନ୍ତ ଦର ତାଲିକା ଲଗେଇବାକୁ ଦାବି କରାଯାଇଛି ।


ସେପଟେ ଅରୁଣ ସ୍ତମ୍ଭ ଠାରୁ ଆରମ୍ଭ କରି ଭିତରକାଠ ସବୁଠାରେ ପୋଲିସର ସୁରକ୍ଷା ବ୍ଯବସ୍ଥା ରହିଥିବା ବେଳେ ଆନନ୍ଦ ବଜାରରେ କାହିଁକି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇନାହିଁ ବୋଲି ପ୍ରଶ୍ନ କରିଛି ନିଯୋଗ ସଂପାଦକ । ଅନ୍ୟପଟେ କେବଳ ଆନନ୍ଦ ବଜାରରେ ନୁହେଁ, ଶ୍ରୀମନ୍ଦିର ଦର୍ଶନ ବ୍ଯବସ୍ଥାରେ ମଧ୍ୟ ବହୁ ଅପରାଧି ଧୂଳିଆ କାର୍ଯ୍ଯରେ ନିୟୋଜିତ ଥିବା ଅଭିଯୋଗ ହୋଇଛି । ସମସ୍ତ ଧୁଳିଆ ସେବକଙ୍କ ଅପରାଧିକ ରେକର୍ଡ ଯାଞ୍ଚ କରାଯିବା ସହ ଯେଉଁମାନେ ଅପରାଧିକ ମାମଲା ସହ ଜଡିତ ଥିବା ପ୍ରମାଣ ମିଳିବ ସେମାନଙ୍କୁ ତୁରନ୍ତ ସେବାରୁ ବହିଷ୍କାର କରାଯିବା ନେଇ ଦାବି ହୋଇଛି।