Puri News:(ଭୁବନେଶ୍ୱର) ଶ୍ରୀମନ୍ଦିରରେ ଆଜି ଏକ ବିଶେଷ ପରମ୍ପରା ପାଳନ କରାଯିବ। ଅଣସର ଘରେ ଥିବା ତିନି ବିଗ୍ରହଙ୍କୁ ପାରମ୍ପରିକ ଉପାୟରେ ପ୍ରସ୍ତୁତ ଫୁଲୁରି ତେଲ ମାଲିସ କରାଯିବ। ସ୍ୱତନ୍ତ୍ର ଦଇତା ଓ ପତିମହାପାତ୍ର ସେବକମାନେ ମଧ୍ୟାହ୍ନ ଧୂପ ପରେ ଏଥିପାଇଁ ଫୁଲୁରି ତେଲ ବିଜେ କରିବାକୁ ପରାମର୍ଶ ଦେବେ। ଏହିକ୍ରମରେ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ତିଆରି କରି ଆସୁଥିବା ବଡ଼ ଓଡ଼ିଆ ମଠକୁ ଏଥିଲାଗି ଆଦେଶ ପଠାଇବେ। ଏହିକ୍ରମରେ ବଡ଼ ଓଡ଼ିଆ ମଠ ପକ୍ଷରୁ ତିନୋଟି ତିନି ସରିକିଆ ମାଟି ଘଡ଼ିରେ ତେଲ ଆସି ଅଣସର ଘରେ ବିଜେ କରାଯିବ। ବିଶ୍ୱାସ ରହିଛି ଏହି ତେଲ ମାଲିସ ପରେ ଶ୍ରୀ ବିଗ୍ରହମାନେ ନବଯୌବନ ପ୍ରାପ୍ତ ହେବେ। 


COMMERCIAL BREAK
SCROLL TO CONTINUE READING

ଗତକାଲି ଅଣସର ପିଣ୍ଡିରେ ଶ୍ରୀ ଜିଉଙ୍କ ଅଙ୍ଗ ଫିଟା ନୀତି ହୋଇଥିଲା। ସନ୍ଧ୍ୟା ଧୂପ ପରେ ଜୟବିଜୟ ଦ୍ୱାରକୁ ବନ୍ଦ କରାଯାଇ ଦଇତା ସେବକମାନେ ଶ୍ରିଅଙ୍ଗରୁ ବିରୂପ କାଢ଼ି ନେଇଥିଲେ। ନୀତି ଅନୁସାରେ ଯାହା ଆବଶ୍ୟକ ସେ କାମ ସରିଲା ପରେ ଆଜି ତେଲ ମାଲିସ ଆରମ୍ଭ ହେବ। ପାରମ୍ପରିକ ଭାବେ  ଏହି ଦିବ୍ୟ ସୁବାସିତ ତେଲ ପ୍ରସ୍ତୁତ ନେଇ ପ୍ରାୟ  ଏକ ବର୍ଷ ସମୟ ଲାଗିଥାଏ । ଘଣାପେଡ଼ା ରାଶି ତେଲରେ କର୍ପୁର, ଚୁଆ ଆଦି ସହ ୭ ପ୍ରକାର ଔଷଧିୟ ଚେରମୂଳି ଓ ୧୪ ପ୍ରକାର ଫୁଲ ପକାଯାଇ ସ୍ବତନ୍ତ୍ରତାର ସହ ଏହି ତୈଳ ପ୍ରସ୍ତୁତ କରାଯାଏ । ପରେ ଏହାକୁ ହେରାପଞ୍ଚମୀ ଦିନ ମାଟିତଳେ ପୋତି ଦିଆଯାଏ।


 ଆଜି ଯାଏ ଏହି ପ୍ରସ୍ତୁତି ପ୍ରଣାଳି ଗୁପ୍ତ ରହିଛି। ଏହି ତେଲକୁ ଅଣସର ସମୟରେ କଢ଼ାଯାଇ ତାକୁ ଛଣା ଯାଏ। ଏବଂ ଶ୍ରୀମନ୍ଦିରର ଆଦେଶ ପାଇବା ପରେ ବଡ଼ ଓଡ଼ିଆ ମଠର ମହନ୍ତ ତାକୁ ଶ୍ରୀମନ୍ଦିର ବିଜେ କରିଥାଆନ୍ତି।  ଅଣସର ପଞ୍ଚମ ଦିନରେ ଏହି ତେଲକୁ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରେ ପତିମହାପାତ୍ର ଓ ଦଇତାପତି ସେବକ ମାନେ ମର୍ଦନ କରିଥାନ୍ତି।ଏହି ଫୁଲୁରୀ ତେଲ ଲାଗି ପରେ ମହାପ୍ରଭୁଙ୍କ ଜ୍ୱର ଜନିତ ପୀଡ଼ା ଲାଘବ ହେବା ସହ ସୁସ୍ଥତା ର ପ୍ରାକ ସୂଚନା ମିଳିଥାଏ ବୋଲି ବିଶ୍ୱାସ ରହିଅଛି ।