Puri News: ଦୋଳେଚ ଦୋଳଗୋବିନ୍ଦ, ଚାପେଚ ମଧୁସୂଦନ। ରଥେତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ଲଭ୍ୟତେ। ଅର୍ଥାତ ଚାପରେ ଭକ୍ତ ମଧୁସୂଦନ ରୂପରେ ପ୍ରଭୁଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି । ମାନବୀୟ ଲୀଳାଖେଳା କରୁଥିବା ମହାପ୍ରଭୁ ସାଧାରଣ ମଣିଷ ପରି ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ ଜଳକ୍ରୀଡ଼ା କରିଥାନ୍ତି ମହାପ୍ରଭୁ। ଅକ୍ଷୟ ତୃତୀୟା ତିଥିରୁ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇଥିଲା। ୨୧ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ଯାତ୍ରାର ଆଜି ଅନ୍ତିମ ପର୍ବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ,ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବ ପାଲିଙ୍କି ଓ ବିମାନରେ ଘଣ୍ଟ,ଛତା,କାହାଳୀ,ଭକ୍ତଙ୍କ ହରିବୋଲ ଧ୍ୱନିରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବା ପରେ ପୁଷ୍କରିଣୀର ଅଗ୍ନିକୋଣରୁ ଐସାନ୍ୟ କୋଣ ପର୍ଯ୍ୟନ୍ତ ୭ ଘେରା ଲେଖାଏଁ ୨୧ଘେରା ଜଳକ୍ରୀଡ଼ା କରିବାର ପରମ୍ପରା ରହିଛି।


COMMERCIAL BREAK
SCROLL TO CONTINUE READING

ସେପଟେ ପରମ୍ପରା ମୁତାବକ ଆଜି ରଥଖଳାରେ ସମ୍ପାଦିତ ହୋଇଛି ଚକାଡେରା ନୀତି। ପରମ୍ପରା ଅନୁଯାଇ ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଏକ ପଟୁଆରରେ ଆଜ୍ଞାମାଳ ଶ୍ରୀନଅରକୁ ଅଣାଯିବା ପରେ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବାୟତମାନେ ୩ ରଥର ଅଖରେ ୨ଟି ଲେଖାଏଁ ଚକକୁ ସଂଯୋଗ କରି ପ୍ରଥମ ହରିବୋଲ ପକାଇ ଚକଡେରା ନିତି ଅନୁଷ୍ଠିତ ହୁଏ। ଏହାପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳକୁ ରଥ ଚକ ଉପରେ ରଖି ଚକଡେରା କାମକୁ ଅନୁକୂଳ କରନ୍ତି। ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଭଉଁରୀ ତିଥିରେ ପ୍ରଥମ ଚକଅଖ ସଂଯୋଗ କରାଯାଇଥାଏ।


ସେପଟେ ଭକ୍ତଙ୍କ ଭିଡ ଓ ଶୃଙ୍ଖଳିତ ନୀତିକାନ୍ତି ପାଇଁ ପୋଲିସ ତରଫରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ତିନି ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସହ ଆଞ୍ୟାମାଳ ବିଜେ ସମୟରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଢଙ୍ଗରେ ସମାପନ କରାଯିବ। ସେପଟେ ଆଜି ସକାଳୁ ସକାଳୁ ଚକଅଖ ଡେରାଯିବା ପୂର୍ବରୁ ତିନିରଥର ଦୁଇଟି ଲେଖାଏଁ ଚକ ରଥଖଳାରୁ ଆସି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରହିବା ପରେ ସେଥିରେ ପାଣିଆଆପଟ ସେବକଙ୍କ ଦ୍ବାରା ପାଣି ଢଳାଯାଇ କମାର ସେବକଙ୍କ ଦ୍ବାରା ପନ୍ଧାରୀରେ ଯୋଖିଆ ବାଡିଆ ଅନୁକୂଳ ହୋଇଛି। ପରେ ଅଖରେ ପୋଲାଙ୍ଗ ତେଲ ବୋଳା ହୋଇଥିଲା। ଅନ୍ୟପଟେ ରଥଖଳାରେ ପ୍ରାୟତଃ ୨୨ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥନିର୍ମାଣ କାର୍ଯ୍ୟ ଶେଷ ହେଵ ଲକ୍ଷ ରହିଛି। ତେବେ ମହାପ୍ରଭୁଙ୍କ ଏହି ଚକଅଖ ଡେରା ନୀତି ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ବେଳେ ଏହାକୁ ଦେଖି ଭକ୍ତ ଶ୍ରଦ୍ଧାଳୁ ବେଶ୍ ଖୁସି ପ୍ରକଟ କରିଛନ୍ତି ।