Puri Jagannath Temple: ଦିନକୁ ଦିନ ତେଜିବାରେ ଲାଗିଛି ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ । ଦିନ ବଢିବା ସହ ଭକ୍ତ ଓ ସେବାୟତଙ୍କ ମହଲରେ ବୃଦ୍ଧି ପାଇବାରେ ଲାଗିଛି ଅସନ୍ତୋଷ । ପ୍ରଶାସନ ପକ୍ଷରୁ ଏହାକୁ ଅଣଦେଖା କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ଖୋଲା ବିରୋଧ ଆରମ୍ଭ କରିଛନ୍ତି ସେବାୟତ, ଆଇନଜୀବୀ, ନେତା ଓ ବିଭିନ୍ନ ସଂଗଠନ । ସେପେଟ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ମୁହଁ ଖୋଲିଛି ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗ । ଏନେଇ ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛତିଶା ନିଯୋଗ ବୈଠକ ଡକାଯାଇଛି । ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ଅନୁଷ୍ଠିତ ହେବ ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଗୁରୁବାର ଦିନ ବସିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବାଚସ୍ପତି ତଥା ଜିଲ୍ଲା ବଜେଡ଼ି ସଭାପତୁ ମହେଶ୍ବର ମହାନ୍ତି କହିଛନ୍ତି ଯେ, ଶ୍ରୀମନ୍ଦିର ଚାରିଦ୍ବାର ବନ୍ଦ ଥିବା ଯୋଗୁଁ ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଯଥାରେ ବଡ଼ ଦାଣ୍ତରେ ଭକ୍ତଙ୍କ ଲମ୍ବା ଲାଇନ ଓ ଗହଳି ହେଉଛି । ଏମିତି କି, ମହାପ୍ରସାଦ ପାଇଁ ମଧ୍ୟ ଶ୍ରଦ୍ଧାଳୁମାନେ ଶୋଷଣର ଶିକାର ହେଉଛନ୍ତି । ଆନନ୍ଦ ବଜାରରେ ଯେଉଁ ଦରରେ ମହାପ୍ରସାଦ ମିଳିବା କଥା ତା ଠାରୁ ଚଢା ଦରରେ ଭକ୍ତମାନେ ମହାପ୍ରସାଦ କିଣୁଛନ୍ତି । ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇ ପ୍ରଶାସନ ଏନେଇ ବିଚାର କରୁ ବୋଲି ସେ ମତ ଦେଇଛନ୍ତି । ସେପଟେ କୋଭିଡ଼ ସମୟରେ ଚାରିଦ୍ବାର ବନ୍ଦ ପଦକ୍ଷେପ ସ୍ବାଗତଯୋଗ୍ୟ ଥିଲା । କିନ୍ତୁ ମହାମାରୀ ପରେ ଚାରିଦ୍ବାର ବନ୍ଦ ନେଇ କିଏ ଅଧିକାର ଦେଲା? କାହା ମତ ବା ପରାମର୍ଶରେ ଏହାକୁ ବନ୍ଦ କରାଯାଇଛି ? ବୋଲି ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗ ସଭାପତି ପ୍ରଶ୍ନ କରିଛନ୍ତି । ତୁରନ୍ତ ପୂର୍ବ ଭଳି ଚାରିଦ୍ବାର ପ୍ରବେଶ ଓ ପ୍ରସ୍ଥାନ ନେଇ ବ୍ୟବସ୍ଥା କରିବା ସହ ଭକ୍ତମାନଙ୍କୁ ମହାପ୍ରସାଦ ନେବା ପାଇଁ ଉତ୍ତର ଦ୍ବାର ଉନ୍ମୁକ୍ତ କରାଯାଉ। ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ଭିତର କାଠ ଓ ବାହାର କାଠ ଉପରେ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଉ। ଭକ୍ତମାନେ ଏଠାରେ ଛିଡ଼ା ହେବା ଦ୍ବାରା ଅଯଥା ଭିଡ଼ ବଢୁଛି, ତେଣୁ ଭିତର କାଠ ଓ ବାହାର କାଠରୁ ଦର୍ଶନ ପରେ ଭକ୍ତମାନେ ଯେପରି ସଙ୍ଗେ ସଙ୍ଗେ ବାହାରକୁ ବାହାରିଯିବେ ସେନେଇ ବ୍ୟବସ୍ଥା କରାଯାଉ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି ।


ସେପଟେ, ଗୁରୁବାର ଦିନ ପୁରୀ ଓକିଲ ସଂଘ ପକ୍ଷରୁ କାର୍ଯ୍ୟକାରୀ ପରିଷଦ ବୈଠକରେ ଏନେଇ ଆଲୋଚନା ହୋଇଥିଲା । ବୈଠକ ପରେ ସଂଘ ସଂପାଦକ ତଥା ଆଇନଜୀବୀ ବିଭୂତି ଶଙ୍କର ତ୍ରିପାଠୀ କହିଛନ୍ତି ଯେ, ପୂର୍ବଭଳି ଶ୍ରୀମନ୍ଦିର ଚାରିଦ୍ବାର ଦେଇ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରିବାକୁ ପୁରୀ ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ଦାବି ଉପସ୍ଥାପନ ପାଇଁ କାର୍ଯ୍ୟକାରୀ ପରିଷଦର ସଭାପତି, ଉପସଭାପତି, ସଂପାଦକଙ୍କ ସହ ଅନ୍ୟ ବରିଷ୍ଠ ଆଇନଜୀବୀଙ୍କୁ ନେଇ ୧୦ ଜଣିଆ କମିଟି ମଧ୍ଯ ଗଠନ କରାଯାଇଛି। ଶୁକ୍ରବାର ଦିନ ଏହି ଦାବି ନେଇ କମିଟି ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିବା ନେଇ ନିଷ୍ପତି ହୋଇଛି। ପରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ । ଆବଶ୍ୟକ ପଡ଼ିଲେ କମିଟି ମୁଖ୍ୟମନ୍ତ୍ରୀଙ୍କୁ ବି ସାକ୍ଷାତ କରିବ। ତଥାପି ଯଦି ଦାବି ପୂରଣ ନ ହୁଏ ତେବେ ସଂଘ ପକ୍ଷରୁ ପୁନର୍ବାର ବୈଠକ ଡକାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସଂଘ ସଂପାଦକ ମତ ଦେଇଛନ୍ତି ।


ଏହା ବି ପଢନ୍ତୁ-Horoscope Today 21 July 2023: ଯାତ୍ରା ସମୟରେ ସତର୍କ ରୁହନ୍ତୁ ଏହି ୨ ରାଶି, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଶୁକ୍ରବାର


ପ୍ରକାଶ ଥାଉ କି, ଏନେଇ ଜନମତ ସୃଷ୍ଟି ଉଦ୍ଦେଶ୍ୟରେ ରବିବାର ଦିନଠାରୁ ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆରମ୍ଭ ହୋଇଛି ଦସ୍ତଖତ ସଂଗ୍ରହ ଅଭିଯାନ । ଦସ୍ତଖତ ସଂଗ୍ରହ ପରେ ଆସନ୍ତା ୧ ତାରିଖରେ ୧ ଲକ୍ଷ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ । ସିଂହଦ୍ବାରରୁ ଆରମ୍ଭ ହୋଇଥିବା ଏହି ଦସ୍ତଖତ ଅଭିଯାନରେ ଭକ୍ତ, ସେବାୟତଙ୍କ ସହ ବୁଦ୍ଧିଜୀବୀ ଓ ନିଯୋଗ ସାମିଲ ହୋଇଛନ୍ତି ।