Puri News: ଆଜି ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି । ଏ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି। ଏହି ଦିନ ସ୍ୱୟଂ ବ୍ରହ୍ମା ମହାପ୍ରଭୁଙ୍କର ପୁଷ୍ୟାଭିଷେକ ବା ଜଳାଭିଷେକ କରାଇଥିଲେ ବୋଲି ବାମଦେବ ସଂହିତା ଓ ସ୍କନ୍ଦ ପୁରାଣରେ ବର୍ଣ୍ଣିତ ରହିଛି। କାଳ କାଳ ଯୁଗ ଯୁଗ ଧରି କାଳିଆ ସାଆନ୍ତ ନୀଳାଦ୍ରୀ କନ୍ଦରର ପାବନ ପୁରୁଷୋତ୍ତମ କ୍ଷେତ୍ରରେ ବିରାଜମାନ କରି ବାର ମାସରେ ତେର ଯାତ୍ରା କରିଥାନ୍ତି। ଶ୍ରୀମନ୍ଦିରରେ ପାଳନ କରାଯାଉଥିବା ବାରଯାତ୍ରା ତେର ପର୍ବ ମଧ୍ୟରୁ ନୀଳାଦ୍ରୀ ମହୋଦୟାଷ୍ଟମୀ ବା ନିଳାଦ୍ରୀ ମହୋଦୟ ନୀତି ହେଉଛି ତ୍ରୈୟୋଦଶ ପର୍ବ। ଆଜି ପ୍ରାତଃ ସମୟରୁ ମଙ୍ଗଳ ଆଳତୀ ସମ୍ପୁର୍ଣ୍ଣ ହୋଇ ନିତ୍ୟ ଅବକାଶ , ଗୋପାଳ ବଲ୍ଲଭ , ସକାଳ ଧୂପ ପୂଜା ବଢିସାରିବା ପରେ ଗତଦିନ ଅଧିବାସ ହୋଇଥିବା ୧୦୮ ଜଳଗରା କୁ ପ୍ରତିହାରୀ ମାନଙ୍କ ସୁରକ୍ଷାରେ ଗରାବଡୁ ସେବକମାନେ ବାଘମୁହଁ ବାନ୍ଧି ଘଣ୍ଟ , ଛତା , କାହାଳୀ , ତଳିଛ ପଟୁଆରରେ ଆସି ଚାରି ଥରରେ ଚାରିପନ୍ତି କରି ରଖନ୍ତି ।


COMMERCIAL BREAK
SCROLL TO CONTINUE READING

ALSO READ: Tirgrahi Yog 2024: ଭାଗ୍ୟ ବଦଳାଇବ ତ୍ରିଗ୍ରାହୀ ଯୋଗ, ଲକ୍ଷପତି ହେବେ ଏହି ସବୁ ରାଶି!


ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ଯଥାକ୍ରମେ ୩୫,୩୩, ୨୨ ଓ ୧୮ ଗରା ପାଣିରେ ପ୍ରତୀକାତ୍ମକ ଭାବେ ଦର୍ପଣ ଉପରେ ସ୍ନାନ କରାଯାଇଥାଏ। ପୂଜାପଣ୍ଡା ସଂସ୍କାର କରି ଜଳଲାଗି କରାନ୍ତି । ପୁଷ୍ୟାଭିଷେକ ନୀତି ପରି ଏ ଅଭିଷେକ ନୀତି ହୁଏ । ଏହା ପରେ ରୂପା ପିଙ୍ଗଣ ତିନିଟିରେ ପଣ୍ଡା, ପତି ଓ ମୁଦିରସ୍ତ ଚନ୍ଦନ ବିଜେ କରାଇ ଆଣି ସିଂହାସନ ଉପରେ ସଂସ୍କାର କରାଇ ପୃଷ୍ଠାଳକଙ୍କ ସହିତ ଚନ୍ଦନ ସର୍ବାଙ୍ଗ କରିଥାନ୍ତି । ତା'ପରେ, ଧୋପଖାଳ ହୋଇ ଯାତ୍ରାଙ୍ଗ ଭୋଗ ଓ ମଧ୍ୟାହ୍ନ ଧୂପ ଛାମୁକୁ ଆସିଥାଏ । ଏହି ଧୂପ ଉଠିଲେ ଦକ୍ଷିଣ ଭୋଗ ସରି ରାମକୃଷ୍ଣ ଓ ମଦନମୋହନ ସିଂହାସନକୁ ବିଜେ କରନ୍ତି । ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ପୂଜାପଣ୍ଡା ଷୋଡ଼ଶ ଉପଚାରରେ ଧୂପ ମଣୋହି କଲା ପରେ, ପାଣି ପଡ଼ି ଧୋପଖାଳ ହୁଏ ଓ ତିନିବାଡ଼ରେ ବନ୍ଦାପନା ହେଲା ପରେ ପୂଜାପଣ୍ଡା ଆଜ୍ଞା ମାଳ ଦେଲେ ଠାକୁର ଠାକୁରାଣୀ ଚନ୍ଦନ ଯାତ୍ରାକୁ ବିଜେ କରନ୍ତି । ଏହି ଦିନକୁ ମନ୍ଦିରର ବାର୍ଷିକତ୍ସୋବ ଭାବେ ମଧ୍ୟ ପାଳନ କରାଯାଏ। ବୈଶାଖ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଏକ ପବିତ୍ର ଦିନ ହୋଇଥିବାରୁ ଏହି ଦିନ ଦାନପୂଣ୍ୟ ଆଦି କାର୍ଯ୍ୟ କରାଯାଇଥାଏ।