Puri News: ପୁରୀ ଜିଲ୍ଲା ପରିଷଦ ସଭା ଗୃହରେ ବସିଲା ଜିଲ୍ଲା ଯୋଜନା କମିଟି ବୈଠକ । ଏହି ବୈଠକରେ ଜିଲ୍ଲାର ବାର୍ଷିକ ଯୋଜନା ପ୍ରସ୍ତୁତି ବେଳେ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଆଲୋଚନା କରାଯାଇଥିବା ସୂଚନା ମିଳିଛି । ସଂସଦୀୟ ବ୍ୟାପାର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ପୁରୀ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ଦୃଷ୍ଟିରୁ ପୁରୀ ଜିଲ୍ଲା ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏଣୁ ଜିଲ୍ଲାରେ ଯେକୌଣସି ସମସ୍ୟାର ତ୍ବରିତ ସମାଧାନ ନେଇ ପ୍ରତ୍ୟେକ ଅଧିକାରୀ ଧ୍ୟାନ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ୨୦୨୨-୨୩ ବର୍ଷ ପାଇଁ ଜିଲ୍ଲାକୁ ୧୩୯୦ କୋଟି ୧୭ ଲକ୍ଷ ଟଙ୍କାର ମଞ୍ଜୁରୀ ମିଳିଛି। ମୋଟ ୯ଟି ବିଭାଗ ପାଇଁ ଏହି ଅର୍ଥ ମଞ୍ଜୁର ହୋଇଛି। କୃଷି ପାଇଁ ୪୬ କୋଟି ୯୦ ଲକ୍ଷ ଟଙ୍କା, ଗ୍ରାମ୍ୟ ଉନ୍ନୟନ ୨୯୭ କୋଟି ୭ ଲକ୍ଷ ଟଙ୍କା, ଜଳସେଚନ, ଡ୍ରେନେଜ ଓ ବନ୍ୟା ନିୟନ୍ତ୍ରଣ ପାଇଁ ୮୦ କୋଟି ୧୦ ଲକ୍ଷ ଟଙ୍କା, ବିଦ୍ୟୁତ କ୍ଷେତ୍ର ପାଇଁ ୮ କୋଟି ୮୦ ଲକ୍ଷ , ଶିଳ୍ପ ଓ ଖଣି ପାଇଁ ୫ କୋଟି ୯୩ ଲକ୍ଷ, ରାସ୍ତା ଓ ପରିବହନ ପାଇଁ ୨୨୨ କୋଟି ୭୭ ଲକ୍ଷ, ବିଜ୍ଞାନ, ବୈଷୟିକ ଜ୍ଞାନ ଓ ପରିବେଶ ପାଇଁ ୩ କୋଟି ୫୮ ଲକ୍ଷ, ଅର୍ଥନୈତିକ ସେବା ପାଇଁ ୧୯ କୋଟି ୭୦ ଲକ୍ଷ, ସାମାଜିକ ସେବା ପାଇଁ ୭୦୫ କୋଟି ୩୨ ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଛି। ସେହିପରି ୨୦୨୩-୨୪ ବର୍ଷ ପାଇଁ ୯ଟି ବିଭାଗରେ ମୋଟ ୧୫୨୭ କୋଟି ୨୨ ଲକ୍ଷ ଟଙ୍କାର ପ୍ରସ୍ତାବ ରହିଛି। କୃଷି କ୍ଷେତ୍ର ପାଇଁ ୫୧ କୋଟି ୫୯ ଲକ୍ଷ, ଗ୍ରାମ୍ୟ ଉନ୍ନୟନ ପାଇଁ ୩୨୬ କୋଟି ୭୮ ଲକ୍ଷ, ଜଳସେଚନ, ଡ୍ରେନେଜ ଓ ବନ୍ୟା ନିୟନ୍ତ୍ରଣ ପାଇଁ ୮୮ କୋଟି ୧୧ ଲକ୍ଷ, ଶକ୍ତି ବିଭାଗ ପାଇଁ ୯ କୋଟି ୬୮ ଲକ୍ଷ, ଶିଳ୍ପ ଓ ଖଣି ପାଇଁ ୬ କୋଟି ୫୨ ଲକ୍ଷ, ରାସ୍ତା ଓ ପରିବହନ ପାଇଁ ୨୪୫ କୋଟି ୫ ଲକ୍ଷ, ବିଜ୍ଞାନ, ବୈଷୟିକ ଜ୍ଞାନ ଓ ପରିବେଶ ପାଇଁ ୩ କୋଟି ୯୩ ଲକ୍ଷ, ଅର୍ଥନୈତିକ ସେବାରେ ୧୯ କୋଟି ୭୦ ଲକ୍ଷ ଓ ସାମାଜିକ ସେବା ପାଇଁ ୭୭୫ କୋଟି ୮୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ମିଳିଛି।


Also Read-Puri Jagannath Temple: ଆଜି କୃଷ୍ଣ ଓ ବଳରାମ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି


ପ୍ରକାଶ ଥାଉ କି, ଜିଲ୍ଲାରେ ଶୀତଳ ଭଣ୍ଡାରର ବ୍ୟବସ୍ଥା ଥିଲେ ମଧ୍ଯ ଅଚଳ ହେତୁ ଏହା ଲୋକଙ୍କ କାମରେ ଆସିପାରୁନାହିଁ। ସ୍ବାସ୍ଥ୍ୟ ବ୍ୟବସ୍ଥା କଥା ତ ନ କହିବା ଭଲ । ସାମାନ୍ୟ ରୋଗରେ ପଡ଼ିଲେ ମଧ୍ଯ ସିଏଚସି ଓ ପିଏଚସିରୁ ରୋଗୀମାନଙ୍କୁ ଭୁବନେଶ୍ବର ରେଫର କରାଯାଉଛି। ମେଡିକାଲରେ ଡାକ୍ତର ଅଭାବ ଯୋଗୁଁ ସ୍ବାସ୍ଥ୍ୟ କେନ୍ଦ୍ରରେ ସଠିକ୍ ଭାବେ ଚିକିତ୍ସା ସୁବିଧା ମିଳିପାରୁନାହିଁ।  ଅନ୍ୟପଟେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଆବଶ୍ୟକ ଶିକ୍ଷକ ନାହାଁନ୍ତି।  ଧନୁଆ ନଦୀରେ ଆସୁଥିବା ବନ୍ୟା ୧୫ଟି ପଞ୍ଚାୟତବାସୀଙ୍କ ଦୁଃଖ ଦୁର୍ଦ୍ଦଶାରେ ରହିଥିବା ବେଳେ ଏହାର ସ୍ଥାୟୀ ସମାଧାନ ହେଉନାହିଁ।  ତେବେ ଜିଲ୍ଲା ଯୋଜନା କମିଟି ବୈଠକରେ ଏଭଳି ବିଭିନ୍ନ ସମସ୍ୟା ନେଇ କ୍ଷୋଭ ପ୍ରକାଶ କରିଛନ୍ତି କମିଟି ସଦସ୍ୟ। ଏହି ବୈଠକରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା (Tusharkanti behera), ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ଉପାଧ୍ୟକ୍ଷ ସ୍ୱାଧୀନ ନାୟକ, ଜିଲ୍ଲାପାଳ ସମର୍ଥ ବର୍ମା( Puri Collector Samarth Verma) ପ୍ରମୁଖ ଉପସ୍ଥିତ ଥିଲେ।