Puri Sri Mandira: ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ । ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି । ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ଏହି ବେଶରେ ହରି ଅର୍ଥାତ ବିଷ୍ଣୁ ଓ ହର ଅର୍ଥାତ ଶିବଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଛନ୍ତି। ତେବେ କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ରତ୍ନସିଂହାସନରେ ଅଧିଷ୍ଠିତ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ଆଜି ହେଉଛି ସୋମବାର। ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ହେଲେ ଭକ୍ତଙ୍କ ଗହଳିକୁ ନିୟନ୍ତ୍ରଣ କରିପାରିନି ଶ୍ରୀମନ୍ଦିର ପ୍ରଶାସନ । କାରଣ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। 


COMMERCIAL BREAK
SCROLL TO CONTINUE READING

ଗତକାଲି ରବିବାର ତଥା ଛୁଟିଦିନ ଥିବାରୁ ଆଜି ସକାଳୁ ମହାପ୍ରଭୁଙ୍କ (Lord Jagannath) ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଛି। ସିଂହଦ୍ୱାର ସେଡ ନଥିବାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଆବାଳବୃଦ୍ଧ ବନିତା ମହାପ୍ରଭୁଙ୍କ ଟିକିଏ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଖରାରେ ଛିଡ଼ା ହୋଇଛନ୍ତି । ରାଜ୍ୟ ବାହାରୁ ଓ ଦେଶ ବାହାରୁ ଆସିଥିବା ଜଗା ପ୍ରେମୀଙ୍କ ଦୁଃଖ ନକହିଲେ ସରେ । ସେପଟେ ଅଣନିଃଶ୍ୱାସୀ ହୋଇଛନ୍ତି ବୃଦ୍ଧା ହବିଷ୍ୟାଳି। ଖରାରେ ଘଣ୍ଟା ଘଣ୍ଚା ବିନା ପାଣି ବିନା ଛାଇ ରେ ଛିଡ଼ା ହୋଇ କଷ୍ଟ ଭୋଗିଛନ୍ତି ଶ୍ରଦ୍ଧାଳୁ । ଅନ୍ୟପଟରେ ଶ୍ରୀମନ୍ଦିର ଭିତରେ ବି ଭିତର ବେଢା, ସାଚ ପାହାଚ, ନାଟ ମଣ୍ଡପ, ଭିତର କାଠ, ସବୁଠି ସ୍ଥିତି ଗମ୍ଭୀର । ଆଉ ଭକ୍ତ ମାନେ ଏହାକୁ ଶ୍ରୀମନ୍ଦିର ପ୍ରଶାସନର ଦୋଷ ବୋଲି ଆକ୍ଷେପ କରିବା ଆରମ୍ଭ କରିଛନ୍ତି । 


ଅନେକ ଦିନରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ (Srimandira Parikrama Prakalpa) କାମ ଚାଲିଥିବା ବେଳେ କାହିଁକି ଶ୍ରୀମନ୍ଦିରର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯାଉନି ତାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଭକ୍ତଙ୍କ ପାଇଁ ଏବେ ଯନ୍ତ୍ରଣାଦାୟକ ହେଲାଣି। ମହାପ୍ରଭୁଙ୍କ ଟିକିଏ ଦର୍ଶନ ପାଇଁ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ସହ ସଂଘର୍ଷ କରିବାକୁ ପଡୁଛି। ଶ୍ରୀମନ୍ଦିର ଭିତର ହେଉ ବା ବାହାରେ ପ୍ରତିଦିନ ଠେଲାପେଲା ପରିସ୍ଥିତି ଉପୁଜୁଛି। ତେବେ ଭକ୍ତଙ୍କ ରୋଷ ଯେ, ଏମିତି ଅବସ୍ଥା ହୋଇଥିଲେ ମଧ୍ୟ ନା ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ଦୃଷ୍ଟି ଦେଉଛି ନା ଜିଲ୍ଲା ପ୍ରଶାସନ। ସେପଟେ ଏପରି ଦର୍ଶନ ବ୍ୟବସ୍ଥାକୁ ନେଇ ଖୋଦ୍ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏନେଇ ପ୍ରଶ୍ନ ଉଠାଇଛନ୍ତି । 


ତେବେ କାର୍ତ୍ତିକ ମାସ ଶେଷ ହେବାକୁ ଯାଉଥିବା ବେଳେ ବୋଇତ ବନ୍ଦାଣ ସହ ଆଉ ଗୋଟିଏ ମାସ ପରେ ଆଗକୁ ଆସୁଛି ନୂଆବର୍ଷ । ସେ ସମୟରେ ଭକ୍ତଙ୍କୁ ଶ୍ରୀମନ୍ଦିରର ଚାରିଦ୍ୱାର ଦେଇ ପ୍ରବେଶ ନକରାଇଲେ ଦର୍ଶନ ବ୍ୟବସ୍ଥା ଖୁବ ଭୟଙ୍କର ହେବ ବୋଲି ଆଶା କରାଯାଉଛି। ତେବେ ବେଳେ ଥାଉ ଥାଉ ଶ୍ରୀମନ୍ଦିର ପ୍ରଶାସନ (Temple Administration) ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି। 


Also Read: ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ, ଭକ୍ତଙ୍କ ପ୍ରବଳ ଗହଳି


Also Read: Odisha Assembly: କାହାକୁ ବାଛିବେ ସୁପ୍ରିମୋ, ଉପବାଚସ୍ପତି ରେସ୍ ରେ ଅଛି ଏହିସବୁ ନାମ