Puri Sri Mandira: ପୁରୀ ଶ୍ରୀମନ୍ଦିରକୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଚାରିପଟେ ବଡ଼ ବଡ଼ ଲାଇଟ୍ ଲଗାଯାଇଥିଲା। ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ରାତିରେ ମଧ୍ୟ ଦୂରକୁ ସ୍ପଷ୍ଟ ଦେଖାଯାଉଥିଲା। ଠିକାଦାର ରାତାରାତି ଲାଇଟ୍ ଖୋଲିନେଇଥିବା ଘଟଣାରେ ଅଭିଯୋଗ ଆସିବା ପରେ ପୁଣି ଲାଇଟ୍ ଲଗାଯାଇ ଥିଲା। ଏହି ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ଆମିକସ୍‌କ୍ୟୁରି ଏନ୍‌ ସି ମହାନ୍ତି। ଏହା ଦୁଃଖଦ ଓ ନିନ୍ଦନୀୟ ବୋଲି କହିଛନ୍ତି ଶ୍ରୀ ମହାନ୍ତି। 


COMMERCIAL BREAK
SCROLL TO CONTINUE READING

ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ନାଟମଣ୍ଡପ ବିମ୍‌ କାମ ଶେଷ ପରେ ଅନ୍ୟାନ୍ୟ ମରାମତି କାମ ଚାଲିଛି। ଶ୍ରୀ ମହାନ୍ତି ଗତକାଲି ଏହାର ସ୍ଥିତାବସ୍ଥା ଯାଞ୍ଚ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ଖୁବଶୀଘ୍ର ଖୋଲିବ ବୋଲି ଏନ୍‌ ସି ପାଲ୍‌ କହିଥିବା ସେଶ୍ରୀ ମହାନ୍ତି କହିଛନ୍ତି। ତେବେ ଶ୍ରୀମନ୍ଦିର ଭିତରେ କେବୁଲ ଖୋଲୁଥିବା ବେଳେ ୪ ଜଣଙ୍କୁ ସିଂହଦ୍ବାର ଥାନା ପୁଲିସ ପକ୍ଷରୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। 
ଶ୍ରୀ ମହାନ୍ତି କହିଛନ୍ତି, ଏଭଳି ଶ୍ରୀମନ୍ଦିରରୁ ଲାଇଟ୍ କାଟିଦେବା ଦୁର୍ଭାଗ୍ୟଜନକ। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। 


ଲାଇଟ୍‌ ପୁନଃଚାଲୁ ହେବ ବୋଲି ମୁଖ୍ୟ ଶାସନ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ। ଯେଉଁମାନେ ଲାଇନ୍‌ କାଟିଥିଲେ, ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏଣୁ ଆଜି ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିଲି। ଲାଇଟ୍‌ ଲାଗୁଥିବା ଦେଖିବାକୁ ପାଇଲି। ଏହା ଦେଖି ଖୁସି ଲାଗିଲା ବୋଲି ସେ କହିଛନ୍ତି। ଓଡ଼ିଶାରେ ଏଭଳି ଲାଇଟ୍ ମିଳୁଥିବା ବେଳେ ଦିଲ୍ଲୀରୁ କାହିଁକି ଲାଇଟ୍ ଆସିଥିଲା ପ୍ରଶ୍ନରେ ଶ୍ରୀ ମହାନ୍ତି କହିଛନ୍ତି, ତୃତୀୟ ମହଲା ନିର୍ଦ୍ଦେଶରେ ଏସବୁ ହୋଇଥିଲା ବୋଲି ଶୁଣିବାକୁ ମିଳୁଛି। କିନ୍ତୁ ଏବେ ତ ତୃତୀୟ ମହଲା ନାହିଁ। ତେଣୁ ଆଗାମୀ ଦିନରେ ତଦନ୍ତ ହେଲା ପରେ ସତ କ’ଣ, ମିଛ କ’ଣ ଜଣାପଡ଼ିବ। ମୁଖ୍ୟ ଶାସନ ସଚିବ ମଧ୍ୟ ଏନେଇ ଏତଲା ଦେଇଥିବା ସେ ସୂଚନା ଦେଇଛନ୍ତି।


ଅନ୍ୟପଟେ ଏସମ୍ପର୍କରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗଣମାଧ୍ୟମକୁ କହିଥିଲେ ଯେ, ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ବଡ଼ଦାଣ୍ଡ ଆଦି ଆଲୋକୀକରଣ କରାଯାଇଥିଲା। ଶ୍ରୀମନ୍ଦିର ଉପରେ ଫୋକସିଂ ଲାଇଟ୍‌ ସବୁ ପଡ଼ୁଥିଲା। ପ୍ରାଥମିକ ଅନୁସନ୍ଧାନରୁ ଦିଲ୍ଲୀର ଏକ ଘରୋଇ ଇଭେଣ୍ଟ ସଂସ୍ଥା ଏହି ଆଲୋକୀକରଣ ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ଏ ଦିଗରେ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ବି ଆରମ୍ଭ ହୋଇଛି। ସମ୍ପୃକ୍ତ ଇଭେଣ୍ଟ୍‌ ସଂସ୍ଥାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। 


କେଉଁ ପରିସ୍ଥିତିରେ ଓ କାହା ଅନୁମତିରେ ସେ ଲାଇଟ୍‌ ଖୋଲି ନେଇଗଲେ, ତାର ଅନୁସନ୍ଧାନ ଜାରି ରହିଛି। ଲାଇଟ୍‌ ଖୋଲିନେବା ଅଭିଯୋଗରେ ଇଭେଣ୍ଟ୍‌ ସଂସ୍ଥାର ୪ଜଣଙ୍କୁ ବି ଅଟକ ରଖି ପଚରାଉଚରା କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି। ଅପରପକ୍ଷେ ଦିଲ୍ଲୀର ଇଭେଣ୍ଟ୍‌ ସଂସ୍ଥା ନାଁରେ ପୁଲିସ ନିଜ ତରଫରୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ସଚେତନ ନାଗରିକ ମଞ୍ଚ ବି ସିଂହଦ୍ବାର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛି। ଯେଉଁମାନେ ଲାଇଟ୍‌ ଖୋଲିବା ଭଳି ହୀନ ଚକ୍ରାନ୍ତ କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । 


Also Read: Odisha News: ଦିଲ୍ଲୀ ଗଲେ ସୁ‌ରେଶ ପୂଜାରୀ, ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ନେଇ ଚର୍ଚ୍ଚା