Rath yatra 2023: ଦିନ କେଇଟା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା  (Rath yatra 2023)। ଏଥିଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ବଡ଼ ଦେଉଳରୁ ବାହାରି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଭକ୍ତଙ୍କ ଗ୍ରହଣକୁ ଆସେବି ଜଗତର ନାଥ ଜଗନ୍ନାଥ । ତେବେ ନେଇ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ମହାପ୍ରଭୁ୍ଙ୍କ ରଥ ନିର୍ମାଣରେ ଲାଗିଛନ୍ତି ରଥ ନିର୍ମାଣକାରୀ ସେବକ। ରଥ ଖଳାରେ ତିନି ରଥର ମହାରଣା ମାନଙ୍କ ଦ୍ୱାରା ଗରଗରା, ଚଉଦ ନାହାକା, ଚାରି ନାହାକା ଓ ପାଞ୍ଚ ଦଣ୍ଡା ନିର୍ମାଣ ଚାଲିଥିବା ବେଳେ ରୂପକାର ସେବକ ମାନେ କୋଣ ଗୁଜ ଓ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ସେପଟେ ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ଦଣ୍ଡା କଣ୍ଟା ନିର୍ମାଣ ଶେଷ କରି ତିନି ରଥର ଯୋଖା କଣ୍ଟା ନିର୍ମାଣ କରୁଛନ୍ତି। ତାଳଧ୍ୱଜ ରଥର ଦୁଇଟି ଗରଗରାର ନିର୍ମାଣ ମଙ୍ଗଳବାର ଦିନରୁ ଶେଷ ହୋଇଥିଲେ ହେଁ, ଦୋୟ ଗରଗରାରେ ଉଭୟ ପାର୍ଶ୍ୱ ବିନ୍ଧ କାର୍ଯ୍ୟ ଜାରୀ ରହିଛି । ତାଳଧ୍ୱଜ ରଥର ତିନୋଟି ଚାରି ନାହାକର ନିର୍ମାଣ ଶେଷ ହୋଇ ଚତୁର୍ଥ ଚାରି ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇଛି ।


COMMERCIAL BREAK
SCROLL TO CONTINUE READING

ତାଳଧ୍ୱଜ ରଥର (Taladhwaja ratha) ୧୧ ଗୋଟି ଚଉଦ ନାହାକା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ବାକି ତିନୋଟି ରଥର ଚଉଦ ନାହାକାର ନିର୍ମାଣ କାର୍ଯ୍ୟ ଜାରି ରହିଛି। ତାଳଧ୍ୱଜ ରଥର ତିନି ଗୋଟି ଦଣ୍ଡାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଆଉ ଦୁଇଟି ଦଣ୍ଡାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥର ଦୁଇଟି ପାର୍ଶ୍ୱ ଦଣ୍ଡାରୁ ଗୋଟିକର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ଦର୍ପଦଳନ ରଥର (Debadalana rath) ଦୁଇଟି ଗରଗରାର ନିର୍ମାଣ କାର୍ଯ୍ୟ ମଧ୍ଯ ଇତି ମଧ୍ଯରେ ସରିଥିବା ବେଳେ ରଥର ଦୁଇଟି ଗରଗରାର ଉଭୟ ପାର୍ଶ୍ୱରେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ରଥର ୧୨ ଗୋଟି ଚଉଦ ନାହାକାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆଉ ଦୁଇଟିର ନିର୍ମାଣ ଶେଷ ପର୍ଯ୍ୟାୟରେ। ଏହା ସହ ରଥର ତିନି ଗୋଟି ପାଞ୍ଚ ଦଣ୍ଡା ନିର୍ମାଣ ଶେଷ ହୋଇଥିଲା ଆଉ ଦୁଇଟିର ଚଉପଟ କାର୍ଯ୍ୟ ଜାରି ରହିଥିବା ସହ ଦୁଇଟି ପାର୍ଶ୍ୱ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ନନ୍ଦିଘୋଷ ରଥର (Nandighosha rath) ଦୁଇଟି ଗରଗରାର ନିର୍ମାଣ କାର୍ଯ୍ୟ ପ୍ରଥମେ ଶେଷ ହୋଇଥିବା ବେଳେ ରଥର ଉଭୟ ପାର୍ଶ୍ୱ ବିନ୍ଧ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ସେପଟେ ଦୁଇଟି ଚାରି ନାହାକ ନିର୍ମାଣ କାମ ଶେଷ ସରିଥିବା ବେଳେ ନାହାକାର ଚଉପଟ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି । ବର୍ତ୍ତମାନ ଏହାର କେବଳ ଆଠ କୋଣି ଅଂଶ କାର୍ଯ୍ୟ ବାକି ରହିଛି। ଆଜି ସୁଦ୍ଧା ୪ ଗୋଟି ଦଣ୍ଡାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଅଞ୍ଚମ ଦଣ୍ଡାର ଚଉପଟ କାର୍ଯ୍ୟ ଜାରି ରହିଥିବା ସହ ଗୋଟିଏ ପାର୍ଶ୍ୱ ଦଣ୍ଡାର ଚଉପଟ ପାଇଁ ଚିତା କାର୍ଯ୍ୟ ଆରମ୍ଭ ହୋଇଛି।


ଏହା ବି ପଢନ୍ତୁ-Bhubaneswar News: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ତ , ୟୁନିଟ୍ ୧ ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର


ତିନିରଥର ରୂପକାର ସେବକ ମାନେ ଜୋରସୋରରେ ରଥ ନିର୍ମାଣ କାର୍ଯ୍ୟରେ ଲାଗିପଡ଼ିଛନ୍ତି । ରଥର କୋଣ ଗୁଜ ବା ସାଲ ଗୁଜ ଓ ତିଖ ଗୁଜ ଗୁଡିକରେ ରୂପ ଖୋଦେଇ ସହ ଅଳଙ୍କାର ତଥା ପଲିସ କାର୍ଯ୍ୟ ମଧ୍ଯ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦୋଳବେଦୀ ଠାରେ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ କରତି ସେବକ ମାନେ ଶେଷ କରିଛନ୍ତି। ତିନି ରଥର ଓଝା ସେବକମାନେ ରଥ ପାଇଁ ଆବଶ୍ୟକ ଦଣ୍ଡା ବିଡ଼ିଆ, ଅଗ ପାତେଳିରୁ ମୋଟ ୨୩୧ଟି କଣ୍ଟା ନିର୍ମାଣ ଶେଷ କରି ଯୋଖା କଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି।