Hera Panchami: ଆଜି ଆଷାଢ଼ ଶୁକ୍ଲପକ୍ଷ ଷଷ୍ଠି ତିଥି । ଏହି ତିଥିରେ ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି ଆଜି ରାତ୍ରରେ ଅନୁଷ୍ଠିତ ହେବ। ଏବେ ଆଡପମଣ୍ଡପରେ ମହାପ୍ରଭୁ ମାନବୀୟ ଲୀଳା କରୁଛନ୍ତି। ପରିବାରରେ ଯେପରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡା ଏବଂ ରାଗ ଅଭାମାନ ରହିଥାଏ ଆଜିର ହେରାପଞ୍ଚମୀ ନୀତି ତାର ଏକ ଉଦାହରଣ ସଦୃଶ। ନବଦିନାତ୍ମକ ଘୋଷଯାତ୍ରାର ଆଜି ହେଉଛି ପଞ୍ଚମ ଦିନ। ଆଜିର ଦିନରେ ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହେବ ପବିତ୍ର ହେରାପଞ୍ଚମୀ ନୀତି। 


COMMERCIAL BREAK
SCROLL TO CONTINUE READING

ALSO READ: Petrol Diesel Price Today: ଭୁବନେଶ୍ବରରେ ଆଜି କେତେ ରହିଛି ପେଟ୍ରୋଲ-ଡିଜେଲ ଦର?


ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରାରେ ନିଜ ପ୍ରାଣପ୍ରିୟା ପତ୍ନୀ ମା ମହାଲଷ୍ମୀଙ୍କୁ ଛାଡି ଜନ୍ମବେଦୀକୁ ଆସିଥିବାରୁ ମା ମହାଲଷ୍ମୀ ଅଭିମାନ କରିଛନ୍ତି। ଶ୍ରୀମନ୍ଦିରରୁ ମା ବିମଳାଙ୍କ ପରାମର୍ଶରେ ମୋହିନୀ ଚୂର୍ଣ୍ଣ ଧରି ଘଣ୍ଟଘଣ୍ଟା ସହ ଆଜି ମା ମହାଲଷ୍ମୀ ସୁସଜିତ ପାଲିଙ୍କିରେ ନନ୍ଦିଘୋଷ ରଥ ନିକଟକୁ ଆସି ରାଗ ଜର୍ଜରିତ ହୋଇ ଖଣ୍ଡେ ରଥକାଠ ଭାଙ୍ଗିବେ। ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟଧୂପ ଚାଲିଥିବାରୁ ଟେରା ପଡ଼ିଥାଏ। ଦର୍ଶନ ନ ପାଇ କେବଳ ଆଜ୍ଞାମାଳ ପାଇଁ ମା ମହାଲଷ୍ମୀ ନାକଚଣା ଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ।


ଅନ୍ୟପଟେ ପବିତ୍ର ରୁକ୍ମିଣୀହରଣ ଏକଦଶୀରେ ମହାପ୍ରଭୁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ଗଇଁଠାଳ ମଧ୍ୟ ଫିଟାନାହିଁ। ତେବେ ଗଇଁଠାଳ ଫିଟିନଥିବା ବେଳେ ଅଣସର ଘରେ ଜ୍ୱରରେ ପୀଡିତ ହୋଇ ମହାପ୍ରଭୁ ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀକୁ ଆସିଛନ୍ତି। ଅନ୍ୟପଟେ ଆଡପମଣ୍ଡପରେ ଦର୍ଶନ କରିବା ସହ ଆଡପ ଅବଢା ପାଇ ଭକ୍ତମାନେ କୃତାର୍ଥ ହେଉଛନ୍ତି।


ସେପଟେ ଆସନ୍ତାକାଲି ତିନିରଥର ଦକ୍ଷିଣମୋଡ଼ କରାଯିବ। ସକାଳଧୂପ ସରିବା ପରେ ତିନିଜଣ ପୂଜାପଣ୍ଡା ସାମନ୍ତ ତିନୋଟି ମହାପ୍ରଭୁଙ୍କ ଅଜ୍ଞାମାଳ ନେଇ ଆସି ତିନି ରଥ ନିକଟରେ ପହଂଚିବା ପରେ ରଥ ଗୁଡିକ ଟଣା ହୋଇ ନାକଚଣା ଦ୍ୱାର ଅଭିମୁଖେ ନିଆଯିବ | ସେଥିପାଇଁ ଆଜି ତିନିରଥର ମରାମତି କାର୍ଯ୍ୟ ହୋଇଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତିନିରଥର ଯାଞ୍ଚ କରାଯାଇଛି। 


ଶ୍ରୀମନ୍ଦିର ବୈଷୟିକ ଟିମ୍ ଓ ପୂର୍ତ୍ତ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ନନ୍ଦିଘୋଷ, ତାଳଧ୍ଵଜ, ଦେବଦଳନ ରଥର ଯାଞ୍ଚ କରାଯାଇଛି। ସେପଟେ ଆସନ୍ତା ୧୪ ତାରିଖ ନବମୀ ସନ୍ଧ୍ୟା ଦର୍ଶନ । ସେହିଦିନ ସକାଳ ୭ ଟା ରୁ ଅପରାହ୍ନ ୫ ଟା ଯାଏଁ ହିଁ ଦର୍ଶନ ଚାଲିବ। ଅପରାହ୍ନ ୫ ଟା ପରେ ଆଉ ଦର୍ଶନ ମିଳିବ ନାହିଁ। ତା ପରଦିନ ବାହୁଡା଼ଯାତ୍ରା ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଗତକାଲି ବନକଲାଗି ନୀତି ଯୋଗୁ ଆଜି ସକାଳୁ ନୀତି ବିଳମ୍ବରେ ଆରମ୍ଭ ହୋଇଥିଲା । ତେବେ ନୀତିକୁ ତ୍ୱରାନ୍ୱିତ କରିବା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।