Rathayatra 2023: ନୂଆଦିଲ୍ଲୀ: ଆମେରିକାର ନ୍ୟୁଜର୍ସିର ପ୍ଲେନ ଫିଲ୍ଡ ସହରର ଇସକନ ମନ୍ଦିରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଳିତ ହୋଇଯାଇଛି। ଗତ ୨୦ ତାରିଖ ମଙ୍ଗଳବାର ଦିନ ଏହି ରଥଯାତ୍ରା ପାଳିତ ହୋଇଥିଲା। ଜଗନ୍ନାଥଙ୍କୁ ନାନା ପ୍ରକାରର ଫୁଲ ଓ ତୁଳସିର ମନଲୋଭ ଟାହିଆରେ ସଜାଇ ଦିଆଯାଇଥିଲା। ହରିନାମ, ହୁଳହୁଳି, ଘଣ୍ଟନାଦ,  ଶଙ୍ଖଧ୍ୱନୀରେ ମହାପ୍ରଭୁଙ୍କ ପହଣ୍ଡି ବିଜେ କରାଯାଇଥିଲା। କିର୍ତ୍ତନ ଓ ଜଣାଣ ମାଧ୍ୟମରେ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଇ ରଥରେ ବିଜେ କରାଇଥିଲେ। ପରେ ରଥ ପୂଜା, ଛେରା ପହଁରା, ଆଳତୀ, ଧୂପବନ୍ଦନା ମଧ୍ୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବନ୍ଦାପନା ସହ ନାନା ପ୍ରକାରର ବ୍ୟଞ୍ଜନ ଭୋଗ କରାଯାଇଥିଲା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମାଗତ ଭକ୍ତ ବୃନ୍ଦ କାଳିଆ ସାଆନ୍ତଙ୍କ ଅଶେଷ କରୁଣା ପାଇ ଭାବବିହ୍ୱଳ ହୋଇ ପଡ଼ିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅସୀମ କରୁଣାରୁ ରଥଯାତ୍ରା ଶେଷ ହୋଇଥିଲା। ରଥଯାତ୍ରା ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା, ଅଣବସର ନୀତି, ଗୁଣ୍ଡିଚା ମାର୍ଜନ, ନେତ୍ର ଉତ୍ସବ ଆଦି ପାଳିତ ହୋଇଥିଲା। ୧୨ ଶହରୁ ଅଧିକ ଭକ୍ତମାନେ ରଥଟାଣି ନେଇଥିଲେ। ପରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ମନ୍ଦିର କର୍ମକର୍ତ୍ତାଙ୍କ ତରଫରୁ ରଥଯାତ୍ରା ପୂର୍ବରୁ ଦେଶବିଦେଶରୁ ପ୍ରମୁଖ ସାଧୁସନ୍ଥଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥଙ୍କ କଥାର ଅନଲଇନରେ ପ୍ରସାରଣ କରାଯାଇଥିଲା। ଭକ୍ତମାନେ ଓଡ଼ିଶା, ଜଗନ୍ନାଥ ସଂସ୍କୃତି ପରମ୍ପରା ଏବଂ ଐତିହ୍ୟ ଉଫରେ ଅବଗତ ହୋଇଥିଲେ।  ଏହି ଅବସରରେ ମନ୍ଦିର ପ୍ରଶାସନ ସେବକ ତଥା ଓଡ଼ିଆ କର୍ମକର୍ତ୍ତା ହେମନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। 


ସୂଚନା ଯୋଗ୍ୟ ଗତକାଲି ରବିବାର ହେରାପଞ୍ଚମ ନୀତି ଅନୁଷ୍ଠିତ ହୋଇଥିଲା। ରାଗ ତମତମ ଲକ୍ଷ୍ମୀ ଠାକୁରାଣୀ ମାଉସୀ ଘରକୁ ଆସି ନନ୍ଦିଘୋଷ ରଥକୁ ଭାଙ୍ଗିଛନ୍ତି। ଇତିହାସ କୁହେ ରଥଯାତ୍ରାଠାରୁ ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ। ରଥଯାତ୍ରାରେ ଜଗନ୍ନାଥ ନିଜ ପତ୍ନୀଙ୍କୁ ଉପେକ୍ଷା କରି ନିଜର ଭାଇ ଓ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯିବାପରେ, ମହାଲକ୍ଷ୍ମୀ ରୋଷ ହୋଇ ଏହାର କାରଣ ପଚାରିବା ନିମନ୍ତେ ଏକ ସୁସଜ୍ଜିତ ପାଲିଙ୍କିରେ ଆଡ଼ପ ମଣ୍ଡପକୁ ଯାତ୍ରା କରିଥାନ୍ତି । ତେବେ ମହାଲକ୍ଷ୍ମୀଙ୍କ କ୍ରୋଧ ଜର୍ଜରିତ ରୂପ ଦେଖି ମହାପ୍ରଭୁଙ୍କ ସେବକମାନେ ଗୁଣ୍ଡିଚା ମନ୍ଦିରର ମୁଖ୍ୟଦ୍ୱାର ବନ୍ଦ କରିଦିଅନ୍ତି । ନାକଚଣା ବାଟ ଦେଇ ଜଗମୋହନକୁ ଯାଇ ବିମଳାଙ୍କ ପ୍ରଦତ୍ତ କର୍ପୁରରେ ଲକ୍ଷ୍ମୀ ଆଳତି କରନ୍ତି । ପତ୍ନୀଙ୍କ ରାଗ ଶାନ୍ତ କରିବା ପାଇଁ ମହାପ୍ରଭୁ ଦୁଇଦିନ ମଧ୍ୟରେ ଫେରିଯିବାର ପ୍ରତିଶ୍ରୁତି ଦେଇ ରଥ ଦକ୍ଷିଣ ମୋଡ଼ କରିବା ନିମନ୍ତେ ବରାଦ କରିଥାନ୍ତି । ଲୋକାଚାର ଦୃଷ୍ଟିରୁ ଜଗନ୍ନାଥ ଲକ୍ଷ୍ମୀଙ୍କୁ ସିଂହାସନ ପାଖକୁ ନ ନେବାରୁ କ୍ରୋଧ ଜର୍ଜରିତା ପତ୍ନୀ ରଥର କିଛି ଅଂଶ ଭାଙ୍ଗି ଦେଇ ହେରାଗୌରୀ ସାହି ବାଟେ ଫେରି ଆସନ୍ତି । ଜଗନ୍ନାଥ ନିଜ କଥା ରଖିବାରେ ଅସଫଳ ହେବାରୁ ଫେରିବା ଦିନ ବଳଭଦ୍ର ଓ ସୁଭଦ୍ରା ନିଳାଦ୍ରୀ ମଣ୍ଡପକୁ ବିଜେ କଲେ ମଧ୍ୟ ପ୍ରଭୁଙ୍କ ପାଇଁ ଦ୍ୱାର ବନ୍ଦ ରହେ। ଏହା ଲକ୍ଷ୍ମୀ ନାରାୟଣ କଳି ଭାବେ ପରିଚିତ।


ଶ୍ରୀମନ୍ଦିର ଇତିହାସରୁ ଜଣାଯାଏ, ହେରାପଞ୍ଚମୀ ଉତ୍ସବ ମହାରାଜା କପିଳେନ୍ଦ୍ରଦେବଙ୍କ ସମୟରୁ ପାଳିତ ହୋଇଆସୁଅଛି । ଏହାପୂର୍ବରୁ ଏହି ଉତ୍ସବ କେବଳ ପ୍ରତୀକାତ୍ମକ ଭାବେ ଏକ ପୂଜାମନ୍ତ୍ର ବିଧିରେ ପାଳିତ ହେଉଥିଲା । ମାଦଳା ପାଞ୍ଜିର ବର୍ଣ୍ଣନାନୁସାରେ, ସେତେବେଳେ ମା ମହାଲକ୍ଷ୍ମୀ ଓ ଶ୍ରୀ ଜଗନ୍ନାଥଙ୍କୁ ଦୀପ ତଥା ଅନ୍ୟାନ୍ୟ ପବିତ୍ର ଦ୍ରବ୍ୟରେ ପୂଜା କରାଯାଉଥିଲା । ପରବର୍ତ୍ତୀ ସମୟରେ ରାଜା କପିଳେନ୍ଦ୍ର ଦେବଙ୍କଦ୍ୱାରା ମହାଲକ୍ଷ୍ମୀଙ୍କ ଏକ ସୁବର୍ଣ୍ଣ ପ୍ରତିମାନେଇ ଲୌକିକ ପୂଜାଚାର ପଦ୍ଧତିରେ ମହାଡମ୍ବରରେ ଏହି ଉତ୍ସବ ପାଳନ କରାଗଲା । ଏହି ପବିତ୍ର ହେରାପଞ୍ଚମୀ ପାଳନ ମାଧ୍ୟମରେ ସାମାଜିକ ଜୀବନରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଅନାବିଳ ପ୍ରେମର ଏକ ଭିନ୍ନ ପରିପ୍ରକାଶ ହେବା ସହ ଏହା ଗୃହସ୍ଥମାନଙ୍କ ପାଇଁ ଏକ ଶିକ୍ଷଣୀୟ ଚଳଣୀର ବାର୍ତ୍ତା ବହନ କରୁଛି ।