Ratnabhandara: ଆଜି ସ୍ଥାନାନ୍ତର ହେବ ଶ୍ରୀମନ୍ଦିର(Srimandira) ଭିତର ରତ୍ନଭଣ୍ଡାର ଅଳଙ୍କାର। ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ଓ ସ୍ଥିତି ଅନୁଧ୍ୟାନ ପାଇଁ ୧୧ଜଣିଆ ପ୍ରତିନିଧି ଦଳଙ୍କୁ ବଛାଯାଇଛି। ସକାଳ ୯ଟା ୧୫ରୁ ୧୨ଟା ୧୫ ମଧ୍ୟରେ ପ୍ରତିନିଧି ଦଳ ତାଲା ଖୋଲି ରତ୍ନଭଣ୍ଡାର(Ratnabhandar) ଭିତରେ ପ୍ରବେଶ କରିବେ। ଏକ ପ୍ରସ୍ତୁତି ବୈଠକ ପରେ ପ୍ରତିନିଧି ଦଳ ରତ୍ନଭଣ୍ଡାର ଚାବି ନେଇ ଭିତରେ ପ୍ରବେଶ କରିବେ। ଯାଞ୍ଚ ବେଳେ ସବୁର ଟିକିନିଖି ଭିଡିଓଗ୍ରାଫି କରାଯିବ।


COMMERCIAL BREAK
SCROLL TO CONTINUE READING

ସୁରକ୍ଷା ଦୃଷ୍ଟିରେ ରଖି ଗୁରୁବାର ସକାଳ ୮ଟାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶରେ କଟକଣା ଲଗାଯାଇଛି। କଟକଣା ଅନୁଯାୟୀ ସକାଳ ୮ଟାରୁ ସିଂହଦ୍ୱାର ଛାଡ଼ି ଅନ୍ୟ ୩ ଦ୍ୱାର ବନ୍ଦ ରହିବ। ଶ୍ରୀମନ୍ଦିର ଭିତରକୁ ପ୍ରବେଶ ସହ ଦର୍ଶନ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ମୁଖ୍ୟ ପ୍ରଶାସକ। ଜାରି ହୋଇଥିବା ଏସଓପି ଅନୁଯାୟୀ ଅଧିକୃତ ବ୍ୟକ୍ତି ଓ ମନ୍ଦିର ସେବାରେ ରହିଥିବା ସେବାୟତ ପ୍ରଥମେ ଯିବେ। ପ୍ରଥମେ ଭିତର ରତ୍ନଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ଅଳଙ୍କାର ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର ପରେ ଏଏସଆଇକୁ ରତ୍ନ ଭଣ୍ଡାର ହସ୍ତାନ୍ତର କରାଯିବ ବୋଲି ଶ୍ରୀ ପାଢୀ ସୂଚନା ପ୍ରଦାନ କରିଛନ୍ତି। ଏହା ପରେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବ ଏଏସଆଇ। କେତେଦିନ ମଧ୍ୟରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ହୋଇପାରିବ ସେ ନେଇ ମଧ୍ୟ ସୂଚନା ପ୍ରଦାନ କରିବ ଏଏସଆଇ।


ପୂର୍ବରୁ ୧୩ ତାରିଖ ରବିବାର ଦିନ ୧ଟା ୨୮ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇଥିଲା। ରତ୍ନଭଣ୍ଡାର ଖୋଲିବା ପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର ଟିମ୍‌ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିଥିଲେ। ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି। ଏହାକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତରିତ କରାଯାଇଛି। ବାହାର ରତ୍ନଭଣ୍ଡାର ଖୋଲିବାର ପ୍ରାୟ ୨ ଘଣ୍ଟା ପରେ ଭିତର ରତ୍ନଭଣ୍ଡାର ତାଲା କଟା ଯାଇ ଖୋଲାଯାଇଥିଲା। ଚାବିରେ ନ ଖୋଲିବାରୁ କଟରରେ କଟା ଯାଇଥିଲା। ଭିତର ରତ୍ନଭଣ୍ଡାରର ଅଳଙ୍କାର କେବଳ ଦେଖାଯାଇଛି।