Cyclone Dana(ଭୁବନେଶ୍ୱର): ସମ୍ଭାବ୍ୟ ବାତ୍ୟା ‘ଦାନା’ କୁ ମୁକାବିଲା ପରିବା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ସହଯୋଗର ହାତ ବଢ଼ାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‍ଡିଆର୍‍ଏଫ୍‍ର ଟିମ୍‍କୁ ବିଭିନ୍ନ ରାଜ୍ୟରୁ ଆଣି ଓଡ଼ିଶାରେ ମୁତ୍ତୟନ କରାଯାଇଛି। ଏହାସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ରିଲିଫ୍‍ ସାମଗ୍ରୀ ମଧ୍ୟ ବାୟୁସେନାର ବିମାନ ଯୋଗେ ଭୁବନେଶ୍ୱରରରେ ପହଞ୍ଚିଛି। 

 

ଭାରତ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ସ୍ପଷ୍ଟ କରାଯିବା ପରେ ଓଡ଼ିଶା ସରକାର ସହାୟତା ମାଗିଥିଲେ। ଯାହାକୁ ଭିତ୍ତିକରି କେନ୍ଦ୍ର ସରକାର ରାଜ୍ୟକୁ ଆବଶ୍ୟକ ବଳ ଓ ସାମଗ୍ରୀ ଯୋଗାଇଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ ୧୫୦ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଏକ ଦଳକୁ ଭୁବନେଶ୍ୱରରେ ଗତରାତିରେ ପହଞ୍ଚାଯାଇଛି। ଏମାନଙ୍କୁ ପଞ୍ଜାବରୁ ଅଣାଯାଇଛି। ବାତ୍ୟା ପ୍ରଭାବିତ ହେବାକୁଥିବା ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା, ବାତ୍ୟା ସମୟରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବା ଏବଂ ବାତ୍ୟା ପରବର୍ତ୍ତୀ ସମୟରେ ରାସ୍ତାଘାଟକୁ ସଫା କରିବା ସହ ଯୋଗାଯୋଗକୁ ପୁଣିଥରେ ସ୍ୱଭାବିକ କରିବା ଲାଗି ଏହି ଦଳଙ୍କ ସହାୟତା ନେବେ ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଆଦେଶରେ ଏହି ଦଳ କାର୍ଯ୍ୟ କରିବେ। ଏହି ଲକ୍ଷ୍ୟରେ ବାୟୁସେମାନରର ଦୁଇଟି ବିମାନ ଆଇଏଲ୍‍ ୭୬ ଏବଂ ଏଏନ୍‍ ୩୨ ବିମାନ ଭଟିଣ୍ଡାରୁ ଭୂବନେଶ୍ୱରରେ ପହଞ୍ଚିଛି। 

 

ଏହା ପୂର୍ବରୁ ଓଡ଼ିଶାରେ ମୁତ୍ତୟନ ଥିବା ଏନ୍‍ଡିଆର୍‍ଏଫ୍‍ ଟିମ୍‍କୁ ରାଜ୍ୟ ସରକାରଙ୍କୁ ପକ୍ଷରୁ ପ୍ରଭାବିତ ଜିଲ୍ଲାକୁ ପଠାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ସକାଳ ସାଢ଼େ ୫ଟା ସୁଦ୍ଧା ବାତ୍ୟା ‘ଦାନା’ ପାରାଦୀପଠାରୁ ୫୬୦ କିଲେମିଟର ଦୂର ସମୁଦ୍ରରେ ରହିଛି। ଏହା ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଏହା କ୍ରମଶଃ ତୀବ୍ର ଏବଂ ଶକ୍ତିଶାଳୀ ହୋଇ ଆସନ୍ତା କାଲି ପାହାନ୍ତାରେ  ଓଡ଼ିଶାର ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦୀପ ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ପାର କରିବ। ଏହି ସମ୍ରୟରେ ପବନର ବେଗ ୧୧ରୁ ୧୧୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବାତ୍ୟାର ପ୍ରଭାବରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଆଜିଠାରୁ ବର୍ଷା ଆରମ୍ଭ ହେବ। ଆସନ୍ତାକାଲି ଏହା ତୀବ୍ର ହେବ ବୋଲି କୁହାଯାଇଛି।  ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ଯାଜପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ୨୪ ଓ ୨୫ ତାରିଖ ଦୁଇଦିନ ଭୀଷଣ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏପରିକି ଏହା ୨୧ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଇଛି। 

 

ବର୍ଷା ହେତୁ ଅନେକ ସ୍ଥାନରେ ନଦୀର ଜଳପତନ ବୃଦ୍ଧି ହେବା ସହ ବିଭିନ୍ନ ସ୍ଥାନରେ ପାଣି ଜମା ହେବା ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏଣୁ ଏଭଳି ପରିସ୍ଥିତିକୁ ଏଡ଼ାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷାବଳ ମୁତ୍ତୟନ କରାଯିବା ସହ ଜଳ ପରିଚାଳନା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯିବା ସହ ପ୍ରଭାବିତ ଜିଲ୍ଲାମାନଙ୍କରେ ଉଦ୍ଧାର କାର୍ଯ୍ୟକୁ ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ତତ୍ତ୍ୱାବଧାନରେ ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ପ୍ରଦାନ କରିଛନ୍ତି।