Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । ଅକାଳରେ ଚାଲିଗଲା ତିନି ନୀରିହ ଜୀବନ। ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ ଫୁଟ୍ ତଳକୁ ଖସିଲା ସ୍କଟି । ଫଳରେ ଘଟଣାସ୍ଥଳରେ  ତିନି ଜଣଙ୍କର ମୃତ୍ୟୁ ହୋଇଯାଇଛି। କନ୍ଧାମାଳ ଜିଲ୍ଲା ବୁଡାମାହା ବ୍ରିଜ୍ ରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି। ତେବେ,ସମସ୍ତ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ନଥିବା ପୋଲିସ୍ କହିଛି। 


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ : Today Horoscope: ଦୂର ଯାତ୍ରା ବେଳେ ସାବଧାନ୍ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ କେମିତି କଟିବ ସପ୍ତାହର ପ୍ରଥମ ଦିନ?


ସୂଚନା ଅନୁସାରେ, ଆଜି ସକାଳେ ତିନି ଜଣ ସାଙ୍ଗ ଏକ ସ୍କୁଟିରେ କନ୍ଧାମାଳ ଜିଲ୍ଲା ରାଇକିଆରୁ ଟିକାବାଲି ଫେରୁଥିଲେ । କିନ୍ତୁ ହଠାତ୍ ତାଙ୍କ ସ୍କୁଟିଟି ବୁଡାମାହା ବ୍ରିଜ୍ ରେ ଭାରାସାମ୍ୟ ହରାଇ ତଳକୁ ଖସି ପଡିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା। କିନ୍ତୁ ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି। 


ସେହିପରି  ଗତକାଲି ଭୁବନେଶ୍ବରରେ ମଧ୍ୟ ଏକ ଛାତିଥରା ଦୁର୍ଘଟଣା ଘଟିଛି । ରବିବାର ରାତିରେ ବାଣୀବିହାର ନିକଟ ସତସଙ୍ଗବିହାର ଛକରେ ୪ ଜଣଙ୍କୁ ଧକ୍କା ଦେଇଛି ଏକ ଦ୍ରୁତଗାମୀ ଟ୍ରକ। ରାତି ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ମିଳିଥିବା ସୂଚନା ମୁତାବକ ସତସଙ୍ଗବିହାର ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ମାଡ଼ି ଆସି ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ଧକ୍କା ଦେଇଥିଲା। ଫଳରେ ପରିବାରର ମା, ଝିଅ, ନାତି, ନାତୁଣୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଉଛନ୍ତି ନିକଟସ୍ଥ ତାରିଣୀ ବସ୍ତିରେ ରହୁଥିବା ସେତମା, ଏସ ଲିଲି ପାତ୍ର, ପିୟୁଷ ଓ ପ୍ରିୟଙ୍କା। ଗୁରୁତରଙ୍କ ପ୍ରଥମେ କ୍ୟାପିଟାଲ ହସପିଟାଲ ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଦୁର୍ଘଟଣା ପରେ ଟ୍ରକଟି ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ରସୁଲଗଡ଼ରେ ଧରାପଡ଼ିଥିଲା। ତେବେ ଟ୍ରକଟିକୁ ସହିଦନଗର ପୋଲିସ ଜବତ କରିବା ସହିତ ଚାଳକକୁ ଅଟକ ରଖିଛି। 


ଅନ୍ୟପଟେ, ଆଜି ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଦ୍ୱାରଶୁଣି ଘାଟିରେ ବି ଏକ ବସ୍ ଦୁର୍ଘଟଣା ଘଟିଛି । ଅନୁଗୁଳରୁ କୋଲକାତାର ମୁର୍ସିଦାବାଦ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଭାରସାମ୍ୟ ହରାଇ ଘାଟିରେ ପିଟି ହୋଇଥିଲା । ଫଳରେ ବସରେ ଥିବା ୨୦ରୁ ଅଧିକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ତେବେ, ଆହତମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡି଼ଛି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।