Bhartruhari Mahtab: ଭୁବନେଶ୍ୱର: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସରକାରଙ୍କ ନିଷ୍ପତ୍ତି ଓ କାର୍ଯ୍ୟକଳାପକୁ ସମୀକ୍ଷା କରିବା ତଥା ଏହାକୁ ଉତ୍ତରଦାୟୀ କରିବା ଲାଗି ପରାମର୍ଶ ଦେବା ଉଦ୍ଦେଶ୍ୟରେ ସଂସଦର ସ୍ଥାୟୀ କମିଟି ପୁନର୍ଗଠିତ କରାଯାଇଛି। ଉଭୟ ଶାସକ ଓ ବରୋଧୀ ଦଳଙ୍କ ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ସ୍ଥାୟୀ କମିଟି ( ଷ୍ଟାଣ୍ଡିଂ କମିଟି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବା ସହ ନୂଆ ଓ ପୁରୁଣା ସାଂସଦଙ୍କୁ ଏହାର ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ରାଜ୍ୟସଭା ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଏହିକ୍ରମରେ ଓଡ଼ିଶାର କଟକ ଲୋକସଭା ଆସନରୁ ଲଗାତାର ୭ଥର ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବଙ୍କୁ ଅର୍ଥ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏଥିରେ ଲୋକସଭାର ୨୧ଜଣ ସଦସ୍ୟ ଏବଂ ରାଜ୍ୟସଭାର ୧୦ ଜଣ ସଦସ୍ୟ ରହିଛନ୍ତି।  ଏହି ସଦସ୍ୟଙ୍କ ଭିତରେ ସବୁ ଦଳର ପ୍ରତିନିଧିଙ୍କୁ ରଖାଯାଇଥାଏ।  ଏହି କମିଟି ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ସମେତ, କର୍ପୋରେଟ ବ୍ୟାପାର, ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ଏବଂ ନିତି ଆୟୋଗଙ୍କ ବିଭିନ୍ନ ନୀତି ବିଷୟରେ ଅନୁଶୀଳନ କରିଥାଆନ୍ତି। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ କମିଟି ଭାବେ ଗ୍ରହଣ କରାଯାଇଥାଏ। 


ଏହି କମିଟିଗୁଡ଼ିରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ବା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲିକାର୍ଜୁନ ଖଡ଼ଗେଙ୍କୁ ଅଧ୍ୟକ୍ଷ ଭାବେ ପୂର୍ବଭଳି ସ୍ଥାନୀତ କରାଯାଇ ନାହିଁ। କିନ୍ତୁ ରାହୁଲ ଗାନ୍ଧିଙ୍କୁ ପ୍ରତିରକ୍ଷା ବିଭାଗର ସ୍ଥାୟୀ କମିଟିର ସଦସ୍ୟ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପ୍ରତିରକ୍ଷା ବିଭାଗର ସ୍ଥାୟୀ କମିଟି ଅଧ୍ୟକ୍ଷ ରହିଛନ୍ତି ରାଧାମୋହନ ସିଂହ। 


ପୂର୍ବତନ କର୍ତଣ୍ଣଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ଶ୍ରମ, ବୟନ ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଷ୍ଟାଣ୍ଡିଂ କମିଟି, ଭୁବନେଶ୍ୱର କଲିତାଙ୍କୁ ପରିବେଶ, ବିଜ୍ଞାନ ଏବଂ କାରିଗରୀ ମନ୍ତ୍ରଣାଳୟର ଷ୍ଟିଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। 


ଅନୁରାଗ ଠାକୁରଙ୍କୁ କୋଇଲା ମନ୍ତ୍ରଣାଳୟ, ନିଶିକାନ୍ତ ଦୁବେଙ୍କୁ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି। ପୁଣି ଏହି କମିଟିରେ ମହୂଆ ମୈତ୍ରଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ୨୦୨୩ ମସିହାରେ ନିଶିକାନ୍ତ ତୃଣମୂଳ ସାଂସଦ ମହୂଆଙ୍କ ବିରୁଦ୍ଧରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲା ଉଠାଇଥିଲେ। ଏହାକୁ କେନ୍ଦ୍ରକରି ବାଚସ୍ପତି ତାଙ୍କୁ ସଦସ୍ୟ ପଦରୁ ବହିଷ୍କାର କରିଥିଲେ। 


ବିଭିନ୍ନ ଦଳ ସହ ପରାମର୍ଶ ପରେ ଏହି ଷ୍ଟାଣ୍ଡିଂ କମିଟି ସଦସ୍ୟ ଓ ଅଧ୍ୟକ୍ଷ ପଦ ସ୍ଥିର କରାଯାଇଥା,। ଭାରତୀୟ ସଂସଦରେ ସମୁଦାୟ ୨୪ଟି ସ୍ଥାୟୀ କମିଟି ରହିଛି। ଏଥିରେ ୧୬ଟି ଲୋକସଭାର ସଦସ୍ୟଙ୍କ ଅଧ୍ୟକ୍ଷତାରେ ରହିଥିବା ବେଳେ ୮ଟି ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ରାଜ୍ୟସଭା ସଦସ୍ୟଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥାଏ।