Keonjhar News: କେନ୍ଦୁଝରରେ ବିଦେଶାଗତ ପକ୍ଷୀଙ୍କର ଆଗମନ ଶୀତଋତୁର ସୌନ୍ଦର୍ଯ୍ୟକୁ ଆହୁରି ବଢାଇ ଦେଇଛି । କେନ୍ଦୁଝର ସହରର ବଡପୋଖରୀ, ପାୱାର୍ ହାଉସ୍ ପୋଖରୀ ଓ ମାଧପୁର ପୋଖରୀରେ ଏବେଠାରୁ ଲାଗିଲାଣି ବିଦେଶାଗତ ପକ୍ଷୀଙ୍କର ଭିଡ। ଶୀତଦିନେ ଚିଲିକା, ହଦଗଡ, ରେମାଳ ଡ୍ୟାମ୍ ଆଦିରୁ ବଂଶବୃଦ୍ଧି କରିବା ପାଇଁ ରେଡ୍ କ୍ରେଷ୍ଟେଡ୍ ପୋଚାର୍ଡ, ହ୍ବିସଲିଙ୍ଗ୍ ଡକ୍, କିଙ୍ଗଫିସର୍ ପରି ଅନେକ ବିଦେଶାଗତ ପକ୍ଷୀ ସହରର ବିଭିନ୍ନ ପୋଖରୀକୁ ଆସୁଥିବା କହିଛନ୍ତି କେନ୍ଦୁଝର ଡିଏଫଓ । ଯାହା ପରିବେଶ ପାଇଁ ଏକ ଶୁଭ ସଂକେତ ବୋଲି ସେ କହିଛନ୍ତି.


COMMERCIAL BREAK
SCROLL TO CONTINUE READING

କେନ୍ଦୁଝର ସହର ବଡଶାସନର ବଡପୋଖରୀ। ଏଠାରେ ଏବେ ଭରି ଯାଇଛି ଚିଲିକାର ସୌନ୍ଦର୍ଯ୍ୟ । ପୂର୍ବରୁ କେନ୍ଦୁଝର ରାଜା ଖୋଳାଇଥିବା ଏହି ପୋଖରୀକୁ ଏବେ ନବୀକରଣ କରାଯାଇଛି । ଏବେ ଏହି ପୋଖରୀର ଶୋଭାବର୍ଧନ କରୁଛନ୍ତି ବିଦେଶାଗତ ପକ୍ଷୀ । ବେଶ୍ କିଛି ଦିନ ହେବ କିଛି ରେଡ୍ କ୍ରେଷ୍ଟେଡ୍ ପୋଚାର୍ଡ ପକ୍ଷୀ ଏହି ଜଳାଶୟରେ ବସା ବାନ୍ଧିଛନ୍ତି । ଦଳ ଦଳ ହୋଇ ଏହି ପକ୍ଷୀମାନେ ଏହି ବିଶାଳ ଜଳାଶୟର ଗୋଟିଏ ପଟରୁ ଅନ୍ୟ ପଟକୁ ଯିବା ଦୃଶ୍ୟ ସ୍ଥାନୀୟ ଲୋକ ତଥା ପର୍ଯ୍ୟଟକଙ୍କ ମନକୁ ଆନନ୍ଦରେ ଭରି ଦେଉଛି ।


କେବଳ ଗୋଟିଏ ପୋଖରୀ ନୁହେଁ, ମାଧପୁର ଓ ପାୱାର୍ ହାଉସ୍ ପୋଖରୀରେ ଶୀତଦିନ ଆରମ୍ଭରେ ହ୍ବିସଲିଙ୍ଗ୍ ଡକ୍, କିଙ୍ଗଫିସର୍ ପରି ବିଦେଶାଗତ ପକ୍ଷୀଙ୍କର ଆଗମନ ହୋଇଥାଏ । ଶୀତଦିନେ ପକ୍ଷୀମାନେ ବଂଶବୃଦ୍ଧି ପାଇଁ ଉପଯୁକ୍ତ ସ୍ଥାନକୁ ପରିଭ୍ରମଣ କରିଥାନ୍ତି । ବିଦେଶରୁ ଚିଲିକା, ହଦଗଡ ଓ ରେମାଳ ଡ୍ୟାମ୍ ଆଦି ସ୍ଥାନକୁ ଆସୁଥିବା ଏହି ପକ୍ଷୀ କେନ୍ଦୁଝର ସହରର ବିଭିନ୍ନ ପୋଖରୀକୁ ଆସି ବସା ବାନ୍ଧିବା ପରିବେଶ ପାଇଁ ଏକ ଭଲ ସଂକେତ ବୋଲି କହିଛନ୍ତି କେନ୍ଦୁଝର ଡିଏଫଓ । ବିଦେଶାଗତ ପକ୍ଷୀଙ୍କୁ ଏଠାରେ ପ୍ରଚୁର ଖାଦ୍ୟ ମିଳିବା ସହିତ, ସେମାନେ ଏଠାରେ ବଂଶବୃଦ୍ଧି କରିବା ପାଇଁ ନିଜକୁ ସୁରକ୍ଷିତ ମଣୁଥିବା ସେ କହିଛନ୍ତି ।


Also Read: Keonjhar: କେନ୍ଦୁଝର ଜିଲ୍ଲାରେ ଚିଲିକା ହ୍ରଦର ଭ୍ରମ, ଶୀତଋତୁରେ ହେଉଛି ଆମେରିକା-କାନାଡ଼ା ପକ୍ଷୀଙ୍କ ସମାଗମ