ଭୁବନେଶ୍ୱର: ଆଜି ପୁଣିଥରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଛି। ତାଙ୍କୁ ବିଜୁ ଜନତା ଦଳର ଉପସଭାପତି ପଦରୁ ହଟାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତିଙ୍କ ସ୍ୱାକ୍ଷରରେ ଆସିଥିବା ଏ ସମ୍ପର୍କିତ ଆଦେଶରେ କୌଣସି କାରଣ ଦର୍ଶଯାଇ ନାହିଁ। ସେ ଦଳ ବିରୋଧି ବା ଜନ ବିରୋଧୀ ବା ଦଳର ଅନୁଶାସନ ଭଙ୍ଗ କରିଥିବା ବିଷୟରେ ସଭାପତି ସ୍ପଷ୍ଟ କରି ନାହାନ୍ତି। 


COMMERCIAL BREAK
SCROLL TO CONTINUE READING

ବଦଳିବ କି ବିଜେଡିର ସମୀକରଣ?
ବିଜେଡି ସଭାପତି କୌଣସି ହାଇ ପ୍ରୋଫାଇଲ୍‍ ନେତାଙ୍କୁ ଦଳର ପଦବୀରୁ ବାହାର କରିବା ବା ବହିଷ୍କାର କରିବା କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ପ୍ୟାରୀ ମୋହନ ମହାପାତ୍ରଙ୍କଠାରୁ ଆାରମ୍ଭ କରି ପ୍ରଫୁଲ୍ଳ ଘଡ଼େଇ, ଡା. ଦାମୋଦର ରାଉତ, ବୈଜୟନ୍ତ ପଣ୍ଡାଙ୍କ ଭଳି ନେତାଙ୍କୁ ରାତାରାତି ଦଳରୁ ବାହାର କରାଯାଇଛି। ସେଠାରେ କିନ୍ତୁ ତାଙ୍କର ଦଳ ବିରୋଧୀ କାର୍ଯ୍ୟ ତଥା ଅନୁଶାସନ ଭଙ୍ଗକୁ କାରଣ ଭାବେ ନିଆଯାଇଛି। ହେଲେ ଏଠାରେ ସେମିତି କିଛି ପ୍ରଶ୍ନ ଉଠି ନାହିଁ। ଅପରପକ୍ଷେ ପ୍ରଶ୍ନ ଉଠୁଛି, ଦଳ ପାଇଁ ସୌମ୍ୟଙ୍କ ଆବଶ୍ୟକତା ରହିଛି କି? 


ସୌମ୍ୟ ରଞ୍ଜନଙ୍କ ଭାଷାରେ ‘ରାଜନୀତି ଗୋଟିଏ ଦିନରେ ବା ଗୋଟିଏ ନିଷ୍ପତ୍ତିରେ ଶେଷ ହୁଏ ନାହିଁ’। ଅପରପକ୍ଷେ ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଦୁଇ ମିନିଟ୍‍ ସମୟ ମାଗିଥିଲେ କିନ୍ତୁ ତାଙ୍କୁ ଏଯାଏ ତାହା ମିଳି ନାହିଁ। ଅର୍ଥାତ୍‍ ବିଜେଡିର ଦ୍ୱାର ଯେ ସୌମ୍ୟଙ୍କ ପାଇଁ ବନ୍ଦ ହୋଇଗଲା ତାହା କହିବା ଭୁଲ୍‍। ଯେଉଁଦିନ ସେ ଦୁଇ ମିନିଟ୍‍ ସମୟ ମିଳିବ ସେତେବଳେ ହୁଏତ ପୁଣି ସବୁକିଛି ବଦଳିଯାଇପାରେ। 


କୃତଜ୍ଞତାର ଅଭାବ?
ଅପରପକ୍ଷେ ବିଜେଡିର ସଂଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏ ନେଇ ନିଜର ପ୍ରତିକ୍ରିୟା ଟ୍ୱିଟରରେ ପ୍ରକାଶ କରିଛନ୍ତି। ଯଦିଓ ଅନେକ ବିଜେଡି ନେତା ସେମାନଙ୍କ ମନର କଥା କହିଛନ୍ତି କିନ୍ତୁ  ଯାଜପୁର ବିଧାୟକ ପ୍ରଣବଙ୍କ ପ୍ରତିକ୍ରିୟା ଏଠାରେ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ସେ ଦଳର ସଂଗଠନ ବ୍ୟାପାରର ମୁଖ୍ୟ। ସେ କହିଛନ୍ତି ‘କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ। ଯେଉଁଠି କୃତଜ୍ଞତା ନଥାଏ , ସେଠାରେ ଈଶ୍ଵର ମଧ୍ୟ ସହାୟତା କରନ୍ତି ନାହିଁ। ଜୟ ଜଗନ୍ନାଥ’ 
 ସୌମ୍ୟଙ୍କୁ ପଦବୀରୁ ତଡ଼ିବା ସମ୍ପର୍କିତ ସଭାପତିଙ୍କ ଚିଠିଟିକୁ ସଂଲଗ୍ନ କରି ଶ୍ରୀ ଦାସ ଏହା ଉଲ୍ଲଖ କରିଛନ୍ତି। ଏଣୁ ପ୍ରଶ୍ନ ଉଠେ ଏହି ବିଦା ଦିଆଯିବା ପଛରେ କୃତଜ୍ଞତାର ଅଭାବ କାରଣ ନୁହେଁ ତ? ଅର୍ଥାତ୍‍ ସୌମ୍ୟ ଅକୃତଜ୍ଞ କି?


ସୌମ୍ୟଙ୍କୁ ଅକୃତଜ୍ଞ କୁହାଯିବା ବା ନିକଟ ଅତୀତରେ ସେ ଚର୍ଚ୍ଚାକୁ ଆସିବାର କାରଣ ପଛରେ ରହିଛି ତାଙ୍କ ଖବରକାଗଜରେ ପ୍ରକାଶିତ ଦୁଇଟି ସମ୍ପାଦକୀୟ। ଯେଉଁଥିରେ ସେ ରାଜନେତାମାନଙ୍କୁ ଅସହାୟ ବୋଲି କହିବା ସହ ୫-ଟି ସଚିବଙ୍କୁ ସମାଲୋଚନା କରି ଆତ୍ମବିଭୋର ପ୍ରଶାସକ ବୋଲି କହିଥିଲେ। 
କିନ୍ତୁ ସେ ଉଠାଇଥିବା ପ୍ରସଙ୍ଗର ଉତ୍ତର ବିଜେଡି ରଖି ନଥିଲା, ବରଂ ତାଙ୍କୁ ଲୋଭୀ ରାଜନେତା ବୋଲି କହିବା ସହ ବ୍ଲାକ ମେଲର ବୋଲି ଅଭିହିତ କରିଥିଲା। ସେ ମନ୍ତ୍ରୀପଦ ପାଇଁ ଲାଳାୟିତ ହୋଇ ଏପରି କହୁଛନ୍ତି ବୋଲି ସମାଲୋଚନା ହୋଇଥିଲା, ଯାହା ଦଳର ତୃଣମୂଳସ୍ତରକୁ ବି ପ୍ରସାରିତ ହୋଇଛି।  ଯେଉଁ ଧାରଣାକୁ ନେଇ ନେତା, ସମାଲୋଚକ ଏବଂ ରାଜନୀତିକ ପଣ୍ତିତମାନେ ଦଳରୁ  ସୌମ୍ୟଙ୍କୁ ଖୁବ୍‍ ଶୀଘ୍ର ବହିଷ୍କାର କରାଯିବ ବୋଲି ଆଶା କରିଥିଲେ। ଶୁକ୍ରବାର ‘ଜୀ ଓଡ଼ିଶା’ରେ ଏ ବିଷୟକୁ ବିସ୍ତୃତ ଭାବେ ପ୍ରକାଶ କରାଯାଇଥିଲା। ପଢ଼ିବା ପାଇଁ ଆପଣ ଏହି ଲିଙ୍କ୍ କୁ କ୍ଲିକ୍‍ କରିପାରିବେ। ଆଜିର ଏ ନିଷ୍ପତ୍ତିକୁ ଉଲ୍ଳଖ କରିବା ସମୟରେ ପ୍ରଶ୍ନ ଉଠେ  ସୌମ୍ୟଙ୍କ ଲେଖକୀୟ ଭାବମୂର୍ତ୍ତିକୁ ବିଜେଡି ପରିଚାଳନା କରିବାରେ ବିଫଳ ହୋଇଛି କି? ନା ଆଗକୁ ‘ଅକୃତଜ୍ଞ’ ଆଖ୍ୟା ବୈଜୟନ୍ତଙ୍କ ଭଳି ସୌମ୍ୟଙ୍କୁ ଦଳରୁ ବାହାର ଗେଟ୍‍ ଦେଖାଇବ? ଏ ପ୍ରଶ୍ନର ଉତ୍ତର ଅଳ୍ପ କିଛିଦିନରେ ସ୍ପଷ୍ଟ ହେବାର ସମ୍ଭାବନା ରହିଛି।


Also Read: Soumya Ranjan Pattnaik: କୋଣଠେସା ନୁହେଁ, ଦଳରୁ ବହିଷ୍କୃତ ହୋଇପାରନ୍ତି ସୌମ୍ୟ


Also Read: DA Hike News: ୧ ଲକ୍ଷ ପର୍ଯ୍ୟନ୍ତ ଦରମା ବଢାଇବେ ସରକାର, ହେଲେ ଜାଣନ୍ତୁ କାହାର ବଢିବ !


Also Read: India vs Pakistan: ଭାରତ ଠାରୁ ହାରିବା ପରେ ପାକିସ୍ତାନକୁ ଲାଗିଲା ଆଉ ଏକ ବଡ଼ ଝଟକା! ଦଳରୁ ବାଦ ପଡ଼ିଲେ ଏହି ସବୁ ଖେଳାଳି