Sri Jagannath Temple: ଭିଡ଼ ନିୟନ୍ତ୍ରଣରେ ଅସମର୍ଥ ଶ୍ରୀମନ୍ଦିର ପ୍ରଶାସନ, କାର୍ତ୍ତିକରେ ବରିଷ୍ଠ ନାଗରିକଙ୍କୁ ବାରଣ
Sri Jagannath Temple Management: କାର୍ତ୍ତିକ ମାସରେ ବରିଷ୍ଠ ନାଗରିକ ଏବଂ ଶାରିରୀକ ଦୁର୍ବଳ ଲୋକଙ୍କୁ ମନ୍ଦିର ଭିତରକୁ ସ୍ୱତଃ ପ୍ରବୃତ୍ତ ଭାବରେ ପ୍ରବେଶ ନ କରିବା ପାଇଁ ନିବେଦନ କରିଛି ଶ୍ରୀମନ୍ଦିର ପ୍ରଶାସନ।
Sri Jagannath Temple Administration: ଭୁବନେଶ୍ୱର: ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ଶ୍ରୀମନ୍ଦିର ପ୍ରଶାସନ ପବିତ୍ର କାର୍ତ୍ତିକ ମାସରେ ବରିଷ୍ଠ ନାଗରିକ ଏବଂ ଶାରିରୀକ ଦୁର୍ବଳ ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବାରଣ କରିଛନ୍ତି। ସ୍ୱତଃ ସେମାନେ ଶ୍ରୀମନ୍ଦିରକୁ ନ ଯାଆନ୍ତୁ ବୋଲି ନିବେଦନ କରିଛନ୍ତି ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ। ଜଣେ ୨୫ ବର୍ଷର ଯୁବକ ଭଳି ୭୦ ବର୍ଷର ବୟସ୍କ ଭିଡ଼ ଭିତରକୁ ଯିବାରେ ସମର୍ଥ ହୋଇପାରିବେ ନାହିଁ। ଏଣୁ ସେମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନକରିବା ଉଚିତ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି।
ଶ୍ରୀମନ୍ଦିରର ଚାରିଦ୍ୱାର ବଦଳରେ କେବଳ ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ଅନୁମତି ଦ୍ୱାରା ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଧାଡ଼ି ଲମ୍ବା ହେବାରେ ଲାଗିଛି। ପୁଣି ପବିତ୍ର କାର୍ତ୍ତିକ ମାସ ଚାଲୁଥିବାରୁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଆସୁଛନ୍ତି। ସେମାନଙ୍କ ପାଇଁ ଦର୍ଶନ ସୁରୁଖୁର କରିବା ବଦଳରେ ସରକାର ନିଜ ଜିଦରେ ଅଟଳ ଥିବାରୁ ଅନେକ ସମୟରେ ଭକ୍ତଙ୍କ ଚେତା ବୁଡୁଛି। ବୟସ୍କ ଶ୍ରଦ୍ଧାଳୁଙ୍କୁ ଡାକ୍ତରଖାନା ନେବାକୁ ପଡୁଛି। ଏହି ସମସ୍ୟାକୁ ସମାଧାନ କରିବା ବଦଳରେ ଭକ୍ତଙ୍କ ଭାବାବେଗକୁ ଆଘାତ ଦେବାକୁ ଚାହିଁଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ସହରର ବିଭିନ୍ନ ବୁଦ୍ଧିଜୀବୀ, ରାଜନେତା ତଥା ରାଜ୍ୟର ରାଜନୈତିକ ଦଳ ସରକାରଙ୍କୁ ବାରମ୍ବାର ଚେତାଇଥିଲେ ବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଦର୍ଶାଇ ଭକ୍ତଙ୍କୁ ଭୁଲିଯାଇଛନ୍ତି ରାଜ୍ୟ ସରକାର। ଆଜି ଛତିଶଗଡ଼ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ରାଜ୍ୟ ସରକାରଙ୍କୁ ଏପରି ଅବ୍ୟବସ୍ଥା ବାବଦରେ ଚେତାଇ ଦେଇଛନ୍ତି।
ସାଧାରଣତଃ କାର୍ତ୍ତିକ ମାସରେ ବୟସ୍କ, ବିଧବା, ଶାରିରୀକ ଦୁର୍ବଳ ବ୍ୟକ୍ତି ତଥା ଭିନ୍ନକ୍ଷମଙ୍କ ଭିଡ଼ ବଢ଼ିଥାଏ। ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ନିଜର ଖାଦ୍ୟ ସେବନ କରିବା ମାନସିକ କରି ଧାଡ଼ିରେ ଠିଆ ହୋଇଥାନ୍ତି। ହେଲେ ପୁରୀ ଜିଲ୍ଲା ପ୍ରଶାସନ କେବଳ ବ୍ରତଧାରୀ ହବିଷ୍ୟାଳିଙ୍କୁ ଦର୍ଶନ ବ୍ୟବସ୍ଥା କରୁଥିବାବେଳେ ଅନ୍ୟ ଆଗନ୍ତୁକଙ୍କ ଲାଗି ବ୍ୟବସ୍ଥା କରିବାରେ ଅସମର୍ଥ ହୋଇଛି। ଏବେ ଏପରି ଅବ୍ୟବସ୍ଥା ଆଗକୁ ପଞ୍ଚକ ବ୍ରତ ସମୟରେ ଅଧିକ ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଏ ସମ୍ବନ୍ଧରେ ଅଭିଯୋଗକୁ ସାମ୍ନା କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ଆସନ୍ତା କାଲି ଏ ସମ୍ବନ୍ଧରେ ଏକ ବିଶେଷ ବୈଠକ ଆୟୋଜନ ହୋଇଛି। ପୁରୀ ଜିଲ୍ଲାପାଳ, ଏସ୍ପି, ଛତିଶା ନିଯୋଗ କର୍ମକର୍ତ୍ତା ବୈଠକରେରେ ଯୋଗ ଦେବେ। ଶ୍ରୀମନ୍ଦିରରେ ରୀତି ନୀତି ଠିକଣା ସମୟରେ ଶେଷ କରିବା ନେଇ ଗୁରୁତ୍ୱାରୋପ କରାଯାଇଛି। ଏହାଛଡ଼ା ଭକ୍ତଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି।
ଏବେ ଦୁଇ ଦିନ ହେଲା ଶ୍ରୀମନ୍ଦିରରେ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି। ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ଶ୍ରୀମନ୍ଦିରର ବିଭିନ୍ନ ରୀତି ନୀତି ବାବଦରେ ଏଥର ସୂଚନା ମାଇକ୍ ଯୋଗେ ଜଣାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଶ୍ରୀମନ୍ଦିରରୁ ମରିଚିକୋଟ ଛକ ଯାଏ ମାଇକ୍ ମାଧ୍ୟମରେ ଦିଆଯାଉଥିବା ସୂଚନାକୁ ଆଧାର କରି ଶ୍ରଦ୍ଧାଳୁ ସେମାନଙ୍କ ପାଇଁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ସମୟ ନିର୍ଘଣ୍ଟ କରନ୍ତୁ। ବୟସ୍କ ଏବଂ ଦୁର୍ବଳ ବ୍ୟକ୍ତି ଯେଉଁଠି ଅଛନ୍ତି ମହାପ୍ରଭୁଙ୍କୁ ଧ୍ୟାନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।