Odisha News: ଶ୍ରୀମନ୍ଦିରୁ ପ୍ରଶାସନ କାର୍ଯ୍ୟାଳୟରୁ ହଟିବେ ଅବସର ପ୍ରାପ୍ତ ଅଧିକାରୀ! ଅବସର ପ୍ରାପ୍ତ ଅଧିକାରୀଙ୍କ ପୁନଃ ଥଇଥାନକୁ ରାଜ୍ୟ ସରକାରଙ୍କ ନାଁ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ,ଓ ଏସଡି ଦାୟିତ୍ୱରେ ଥିବା ଅଧିକାରୀଙ୍କ ପୁନଃ ଥଇଥାନ ସୁପାରିଶକୁ ନାକଚ କରାଯିବା ପରେ ଜୋର୍ ଧରିଛି ଚର୍ଚ୍ଚା। ଦୀର୍ଘ ଦିନ ଧରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନିଯୁକ୍ତିକୁ ନେଇ ରହିଛି ଅସନ୍ତୋଷ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୬୦ ରୁ ଉର୍ଦ୍ଧ୍ବ ବୟସ ତଥା ଅବସର ପ୍ରାପ୍ତ ଅଧିକାରୀଙ୍କ ସଂଖ୍ୟା ଖୁବ୍ ଅଧିକ। ଦୀର୍ଘ ଦିନ ଧରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଅବସରପ୍ରାପ୍ତଙ୍କ ପାଇଁ ଥଇଥାନ କେନ୍ଦ୍ର ପାଲଟିଛି ବୋଲି ହୋଇ ଆସୁଛି ଅଭିଯୋଗ। ନୂଆ ନିଯୁକ୍ତି ବଦଳରେ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ଓ ଏସ ଡି ପାହ୍ୟାରେ ଦିଆଯାଇଛି ସ୍ବତନ୍ତ୍ର ନିଯୁକ୍ତି ।ରାଜସ୍ବ ବିଭାଗ, ଏଷ୍ଟାବ୍ଲିସମେଣ୍ଟ,ଲ୍ୟାଣ୍ଡ,ଆକାଉଣ୍ଟ ସାଧାରଣ ପ୍ରଶାସନ ଆଦି ବିଭାଗ ମିଶାଇ ପ୍ରାୟ ୨୦ ଉର୍ଦ୍ଧ୍ବ ଅଧିକାରୀ ଏବେ ଶ୍ରୀମନ୍ଦିର ପ୍ରଶାସନରେ ଅବସର ପରେ ବି କାମ କରି ଆସୁଛନ୍ତି।


COMMERCIAL BREAK
SCROLL TO CONTINUE READING

ଯାହା ଫଳରେ ଅନେକ ଦିନ ଧରି ନିଯୁକ୍ତି ସୁଯୋଗ ନପାଇ ଉଚ୍ଚଶିକ୍ଷିତ ପିଲାମାନେ ନିରାଶ ହେଉଛନ୍ତି। ସେପଟେ ଅବସର ପ୍ରାପ୍ତ ଓଏସଡି ଦାୟିତ୍ୱରେ ଥିବା ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ପୁନଃ ନିଯୁକ୍ତି ସୁପାରିଶକୁ ନାକଚ କରାଯାଇଛି। ରାଜ୍ୟ ଆଇନ ବିଭାଗ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି କରିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ଅବସର ପ୍ରାପ୍ତ କର୍ମଚାରୀ ହଟିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।ସେପଟେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି ଯେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ କିଭଳି ସୀମିତ କରାଯିବ ସେନେଇ ଆରମ୍ଭ ହୋଇଛି ତର୍ଜମା ଓ ପ୍ରକ୍ରିୟାକରଣ।


ସେପଟେ ଶ୍ରୀମନ୍ଦିରରେ ନୂଆ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ କରିବାକୁ ନେଇ ନିଆଯାଇଛି ବଡ ନିଷ୍ପତ୍ତି ।ଶ୍ରୀମନ୍ଦିର ପ୍ରଶାସନ ଠାରୁ ନିଯୁକ୍ତି ପ୍ରକ୍ରିୟା ଦାୟିତ୍ଵ ଅପସାରଣ ସହ ସରକାରୀ ସ୍ଵୀକୃତି ପ୍ରାପ୍ତ ନିଯୁକ୍ତି ଏଜେନ୍ସି ମାଧ୍ୟମରେ ପ୍ରକ୍ରିୟା କରିବାକୁ ନିଷ୍ପତ୍ତି ନିଆଯାଇଛି। ନୂଆ ଗାଇଡ ଲାଇନ୍ ସହ ହେବ ନିଯୁକ୍ତି ପ୍ରକ୍ରିୟା ।ପ୍ରସ୍ତୁତ ହେବ ନୂଆ ନିଯୁକ୍ତି ନିୟମାବଳୀ।ପୂରଣ ହେବ ଖାଲିଥିବା ଏକାଧିକ କିରାଣୀ ଓ ଜେ ଟି ପି ପଦବୀ ।ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଓ ନିରପେକ୍ଷତା କୁ ଗୁରୁତ୍ବ ଦିଆଯିବା ସହ ସରକାରୀ ସ୍ଵୀକୃତି ପ୍ରାପ୍ତ ନିଯୁକ୍ତି ଏଜେନ୍ସି କରିବ ନିଯୁକ୍ତି ପ୍ରକ୍ରିୟା ।ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ଅଥବା ଓଡ଼ିଶା ସବ୍ ଅର୍ଡିନେଟ ଷ୍ଟାଫ ସିଲେକ୍ସନ୍ କମିଶନ ମାଧ୍ୟମରେ ହେବ ନିଯୁକ୍ତି ।ପୂର୍ବର ଶ୍ରୀମନ୍ଦିର ପ୍ରଶାସନ ହାତରେ ଥିଲା ନିଯୁକ୍ତି ଦାୟିତ୍ଵ ଥିବାବେଳେ ଏବେ ସରକାରୀ ସ୍ଵୀକୃତି ପ୍ରାପ୍ତ ଏଜେନ୍ସି ନିଯୁକ୍ତି ପ୍ରକ୍ରିୟା କରିବେ । ଖୁବ୍ ଶୀଘ୍ର ସରକାରଙ୍କ ମୋହର ବାଜିବା ପରେ ଖାଲିଥିବା ପଦବୀ ପୂରଣ ହେବ ।