Sundergarh Farmer: ଭୁବନେଶ୍ୱର: ପୋଖରୀରେ ମାଛ ଚାଷ କରି ଭଲ ଆୟ କରିବା ଦେଖିଥିବେ। ହେଲେ ପୋଖରୀ ଉପରେ ମଞ୍ଚା ବାନ୍ଧି ପରିବା ଚାଷ କରିବା ଏବଂ ସେଥିରୁ ପୁଣି ଉଲ୍ଲେଖନୀୟ ଆୟ କରି ଆନନ୍ଦିତ ହେଉଥିବା ଚାଷୀଙ୍କ କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ। ଏମିତି ଜଣେ ଚାଷୀଙ୍କ କଥା ଏଇଠି ପଢ଼ିବା। ସେ ହେଉଛନ୍ତି ହିରୋଦ ପଟେଲ। ଘର ରତନପୁର, ଟାଙ୍ଗରପାଲି। ସୁନ୍ଦରଗଡ଼ ଜିଲ୍ଲାର ଏହି ଚାଷୀ ମହାତ୍ମାଗାନ୍ଧୀ ନିଶ୍ଚିତ ଗ୍ରାମୀଣ ନିଯୁକ୍ତି ଯୋଜନାର ଜଣେ ସଫଳ ହିତାଧିକାରୀ। ବାପା, ମା’ଙ୍କ ସହ ସେ ବିଲରେ କାମ କରନ୍ତି। ଖାଲି ଚାଷ ତ କରନ୍ତିନି, ଚାଷ ଭିତ୍ତିଭୂମିର ସଫଳ ଉପଯୋଗ କରନ୍ତି। ଅଭିନବ ଭାବେ ତାଙ୍କର ଏହି ଚାଷ ଭିତ୍ତିଭୂମି ଉପଯୋଗ ଏବେ ଏକ ଉଦାହରଣ ପାଲଟିଛି।  


COMMERCIAL BREAK
SCROLL TO CONTINUE READING

ରତନପୁରରେ ଥିବା ହିରୋଦଙ୍କର ୭ ଏକର ଜମିରୁ ଦୁଇ ଏକର ସମ୍ପୂର୍ଣ୍ଣ ଖାଲୁଆ ହୋଇଥିବାରୁ ଏଠାରେ ବର୍ଷକୁ ଥରେମାତ୍ର ସ୍ୱତନ୍ତ୍ର ଧାନଚାଷ ହୋଇପାରୁଥିଲା। ସେତେବଳେ ଚାଷରେ ଉନ୍ନତି ଆଣିବା ଲାଗି  ତାଙ୍କ ବାପା ଶିବଶଙ୍କର ପଟେଲ କୃଷି ବିଭାଗର ସହାୟତା ମାଗିଥିଲେ। କୃଷି ବିଭାଗ ପକ୍ଷରୁ ତାଙ୍କର ସେହି ଖାଲୁଆ ଜମିରେ ହିଡ଼ ବାନ୍ଧିବା ଲାଗି ସହାୟତା ମିଳିଥିଲା। ମଝିରେ ହିଡ଼ ବାନ୍ଧିବା ଦ୍ୱାରା ଅତି ଖାଲୁଆ ଜମିକୁ ପାଣି ରହିବା ପାଇଁ ଛାଡ଼ିଦିଆଗଲା ଓ ଅବଶିଷ୍ଟ ୫ ଏକର ଜମିରେ କଦଳୀ ଚାଷ ପାଇଁ ବାଟ ଖୋଲିଥିଲା। ଅର୍ଥାତ୍‍ ପାଣି ଜମିଥିବା ଦୁଇ ଏକର ଜମି ସହ ହିଡ଼ ଜମି ସମ୍ପୂର୍ଣ୍ଣ ଭାବେ ଅବ୍ୟବହୃତ ହୋଇ ସେମିତି ପଡ଼ି ରହିଲା।  


 



ହିରୋଦ ଏହି ସମୟରେ ବାପାଙ୍କୁ ଚାଷରେ ସହାୟତା କରୁଥିଲେ। ସବୁ ସମୟରେ ତାଙ୍କର ଏହି ଅବ୍ୟବହୃତ ଦୁଇ ଏକର ଜମିରେ କିଛି ଚାଷ କାମ କରିବାକୁ ଆଗ୍ରହ ହେଉଥାଏ। ଏତିକି ବେଳେ ହିରୋଦଙ୍କୁ ଉଦ୍ୟନ ବିଭାଗ ପକ୍ଷରୁ ବନ୍ଧ ବା ହିଡ଼କୁ କିପରି ଚାଷରେ ଅନ୍ତର୍ଭୁକ୍ତ କରାଯାଇପାରିବ ସେ ବିଷୟରେ ଅନ୍ୟ ଚାଷୀଙ୍କଠୁ ଶିଖିବା ଲାଗି ମିଳିଥିଲା। ଏହା ୨୦୧୮ ମସିହା କଥା। ସେ ମହାରାଷ୍ଟ୍ର ଯାଇ ସେଠାରେ ସମନ୍ୱିତ ଚାଷ ବାବଦରେ ଅନ୍ୟ ଚାଷୀଙ୍କଠୁ ଶିଖିଲେ। ପରେ ଏହି ହିଡ଼ରେ ନଡ଼ିଆଗଛ, କମଳା, ଗେଣ୍ଡୁ ଚାଷ କରିଲେ। କିନ୍ତୁ ଅବ୍ୟବହୃତ ପଡ଼ିଥିବା ଖାଲୁଆ ଜମିକୁ ବ୍ୟବହାର କରିବା ଲାଗି କିଛି ସୁଯୋଗ ମିଳିଲା ନାହିଁ।


ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ  ୨୦୨୧ ଏବଂ ୨୦୨୨ରେ ୪ଟି ପେଖରି ଖୋଳିବାକୁ ତାଙ୍କ ଜମିରେ ସୁଯୋଗ ମିଳିଲା। ଏହି ପ୍ରକଳ୍ପ ଜଳ ଅମଳ ପ୍ରକଳ୍ପ ନାମରେ ନାମିତ। ଏହା ପାଣିକୁ ଧରି ରଖି ପାଖ ଆଖ ଜମିରେ ଜଳୀୟ ଅଂଶ ପରିମାଣ ବୃଦ୍ଧିରେ ସହାୟକ ହୋଇଥାଏ। କିନ୍ତୁ ଏଥିରୁ ପ୍ରତ୍ୟେକ୍ଷ ଲାଭ କିଛି ମିଳୁ ନଥିଲା। 


 ଏବର୍ଷ କିନ୍ତୁ ହିରୋଦ ଏହି ୪ପୋଖରିକୁ ଚାଷରେ ବ୍ୟବହାର କରିଛନ୍ତି। ତାରି ଉପରେ ନିଜ ଉଦ୍ୟମରେ ସେ ଛାମୁଣ୍ଡିଆ କରିଛନ୍ତି। ଏଥିଲାଗି ସେ ୭୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଜିଆଇ ପାଇପ୍‍ ବ୍ୟବହାର କରି ସ୍ଥାୟୀ ଛାମୁଣ୍ଡିଆ କରି ତା’ରି ଉପରେ ଲାଉ ଲତା ମଡ଼ାଇ ବେଶ୍‍ ସୁନ୍ଦର ଚାଷ କରୁଛନ୍ତି। ଉଦ୍ୟାନ ବିଭାଗ ଜୁଲାଇ ମାସରେ ତାଙ୍କୁ ଏଥିଲାଗି ବିହନ ଦେଇଥିଲେ। ଏହାକୁ ଲଗାଇ ସେ ପ୍ରଥମ ଭାଡ଼ି ଚାଷରୁ ପାଖାପାଖି ୪୦ ହଜାର ଟଙ୍କା ଆୟ କରିପାରିଛନ୍ତି ବୋଲି କହିଛନ୍ତି ହିରୋଦ। ହିରୋଦ କହିଛନ୍ତି‘ ଆଗକୁ ସେ ଏହି ଚାଷରୁ ୮୦ ହଜାର ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି’। ଏବେ ତାଙ୍କର ସମ୍ପୂର୍ଣ୍ଣ ୭ ଏକର ଜମିରେ ଚାଷ ହୋଇପାରୁଛି। ଏହି ଦୁଇ ଏକରରେ ମାଛ ଚାଷ ସାଙ୍ଗକୁ ଲାଉ ଭଳି ଚାଷ ହେଉଛି। ଫଳରେ ଏହାତାଙ୍କୁ ଦୁଇଆଡ଼ୁ ରୋଜଗାର ଦେଉଛି।    


କୃଷି ବିଭାଗ ତାଙ୍କୁ ଏଥିରେ ସହାୟତା କରିଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ ଆଚାର୍ଯ୍ୟ ଏହାର ଏକ ଉଲ୍ଲଖନୀୟ ପଦକ୍ଷେପ ବୋଲି କହିବା ସହ ଏ ପ୍ରକାର ଚାଷ ରାଜ୍ୟରେ କେବେ ଆଗରୁ ହୋଇ ନଥିଲା ବୋଲି କହିଛନ୍ତି। ଏହି ପ୍ରଥମ ଉଦ୍ୟମ ଆଗକୁ ଅନ୍ୟ ଚାଷୀଙ୍କୁ ସହାୟକ ହେବ ବୋଲି ସେ କହିଛନ୍ତି। ସେପଟେ ହିରୋଦଙ୍କ ଏହି ପ୍ରୟାସକୁ କୃଷି ବିଭାଗର ସଚିବ ଡ. ଅରବିନ୍ଦ କୁମାର ପାଢୀ ବେଶ ପ୍ରଶଂସା କରିଛନ୍ତି। ହିରୋଦଙ୍କ ଏକ ଭିଡ଼ିଓକୁ  ତାଙ୍କର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସ (ପୂର୍ବରୁ ଟ୍ୱିଟର)ରେ ସେୟାର କରିଛନ୍ତି। ସୁନ୍ଦରଗଡ ଜିଲ୍ଲାର ଟାଙ୍ଗରପାଲ୍ଲୀ ଗାଁର ଏହି ଫାର୍ମ ପୋଖରୀରେ ପନିପରିବା ସହିତ ଅନ୍ୟ ଚାଷର ସମ୍ପ୍ରସାରଣ ଏକ ଆକର୍ଷଣୀୟ ଦୃଶ୍ୟ ବେଶ ପ୍ରଶଂସା ଯୋଗ୍ୟ।