1. ଜବାବ ଦେଲେ ମୁଖ୍ୟମନ୍ତ୍ରୀ: ରାଜ୍ୟର ରାଜନୈତିକ ସ୍ଥିତି ଉପରେ ମଧ୍ୟ ନିଜର ବିବୃତ୍ତି ରଖିଥିଲେ। ବିଶେଷ କରି ସଚିବ ବଡ ନା ମନ୍ତ୍ରୀ ବଡ଼ ପ୍ରସଂଗରେ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ କହିଥିଲେ କି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ପରିଚାଳିତ ଏବଂ ଭୁବନେଶ୍ବରରେ ମାନ୍ୟବର ମନ୍ତ୍ରୀ ମାନଙ୍କର ଏହି ବ୍ୟବସ୍ଥାରେ ସାମିଲ ହେବାରେ କୌଣସି ଆବଶ୍ୟକତା ପଡିନାହିଁ। ଗୋଟିଏ ଅଭିଯୋଗ ଦରଖାସ୍ତ ମିଳିବା ପରେ ଏହାକୁ ସଂପୃକ୍ତ ବିଭାଗକୁ ପଠାଯାଇଥାଏ। ତେଣୁ ଏଥିରେ ମାନ୍ୟବର ମନ୍ତ୍ରୀ ବନାମ ଅଫିସର ପ୍ରସଙ୍ଗ ଉଠୁଛି କେଉଁଠି ବୋଲି ନବୀନ ପଟ୍ଟନାୟକ କହିଥିଲେ। 


COMMERCIAL BREAK
SCROLL TO CONTINUE READING

2. ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଦଳ: ଖେଳାଯାଇଥିବା ଏସୀୟ ଗେମ୍ସ ୨୦୨୩ରେ ମହିଳା କ୍ରିକେଟ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛି ଭାରତୀୟ ମହିଳା ଦଳ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୧୬ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଏହା ପରେ ବୋଲରଙ୍କ ଶାଣିତ ପ୍ରଦର୍ଶନ ଯୋଗୁଁ ଶ୍ରୀଲଙ୍କାକୁ ୨୦ ଓଭରରେ ୯୭ ରନ୍ ସ୍କୋରରେ ସୀମିତ ରଖି ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି ଭାରତ। ୧୮ ବର୍ଷୀୟ ଟାଇଟାସ ସାଧୁ ଭାରତ ପାଇଁ ଚତ୍ମକାର ବୋଲିଂ କରି ସର୍ବାଧିକ ୩ ୱିକେଟ୍ ନେଇଥିଲେ।


3. ଭାରତକୁ ସ୍ୱର୍ଣ୍ଣ: ଚୀନ୍‍ର ହାଙ୍ଗଝାଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହୋଇଛି। ଦିବ୍ୟାଂଶ ପାନଓ୍ୱାର, ଐଶ୍ୱର୍ଯ୍ୟ ପ୍ରଦାପ ସିଂ ତୋମାର ଏବଂ ରୁଦ୍ରାଙ୍କସ ପାଟିଲଙ୍କ ମିଳିତ ପ୍ରୟାସ ଭାରତକୁ ୧୦ ମିଟର ରାଇଫଲ୍ ସୁଟିଂରେ ସ୍ୱର୍ଣ୍ଣ ପଦକ ଦେବାରେ ସକ୍ଷମ ହୋଇଛି।  ଦ୍ୱିତୀୟ ଦିନ ଆରମ୍ଭରୁ ଏହି ସଫଳତା ମିଳିଛି। 


4. ପ୍ରଥମ ଦିନରେ ୫ ମେଡାଲ୍‍: ଏସୀୟ କ୍ରୀଡ଼ା ପ୍ରତିଯୋଗୀତାରେ ଭାରତକୁ ପ୍ରଥମ ଦିନରେ ୫ଟି ମେଡାଲ୍‍ ମିଳିଛି। ନୌକା ଚାଳନାରେ ପୁନୀତ କୁମାରଙ୍କୁ ରୌପ୍ୟ ମିଳିଥିବା ବେଳେ ଅର୍ଜୁନ ଲାଲ୍‍ ଓ ଅରବିନ୍ଦ ସିଂହଙ୍କୁ ଯୁଗ୍ମ ରୌପ୍ୟ ଏବଂ ଲେଖ ରାମ ଓ ବାବୁଲାଲ ଯାଦବଙ୍କୁ ଯୁଗ୍ମ ବ୍ରାଞ୍ଜ ମିଳିଛି। ଏହି ତିନି ପଦକ ସହ ସୁଟିଂ ୧୦ ମିଟର ମହିଳା ବର୍ଗରେ ରମିତା ଜିନ୍ଦଲଙ୍କୁ ବ୍ରୋଞ୍ଜଙ୍କୁ ଏକକ ବ୍ରୋଞ୍ଜ ମିଳିଛି। ଏହି ବର୍ଗରେ ଗୋଷ୍ଠୀ ପ୍ରଦର୍ଶନୀରେ  ରମିତା, ମେହୁଲି ଘୋଷ ଏବଂ ଆଶି ଚୋକ୍ସୀଙ୍କୁ ରୌପ୍ୟ ମିଳିଛି। ଚୀନ ସବୁଠାରୁ ଅଧିକ ମେଡାଲ୍‍ ପାଇଛି।  ପ୍ରଥମ ଦିନରେ ୧୯ରୁ ୧୨ ସ୍ୱର୍ଣ୍ଣ ପଦକ ଚୀନ ଅକ୍ତିଆର କରିଛି। 


5. ପୁଣି କୋର୍ଟରେ ଷ୍ଟାର ଦମ୍ପତ୍ତି: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଦିନକୁ ଦିନ ନୂଆ ଟ୍ବିଷ୍ଟ ଦେଖିବାକୁ ମିଳୁଛି । ଆଜି ଏହି ଷ୍ଟାର କପଲ କଟକ ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି।  କୋର୍ଟରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ  ଆଲୋଚନା ଆରମ୍ଭ ହୋଇଛି।  ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ଆସିଥିବା ଘରୋଇ ହିଂସା ମାମଲାର କାଉନସେଲିଂ ଚାଲିଛି। ବର୍ଷା ମଧ୍ୟ ଏହି କାଉନସେଲିଂରେ ସାମିଲ ହୋଇଛନ୍ତି । 


6. ଧାରଣାରେ ବସିବେ ଅଙ୍ଗନବାଡ଼ି କର୍ମୀ: ଅଙ୍ଗନବାଡି କର୍ମୀ ଆସନ୍ତା ମାସ ୩ ତାରିଖରୁ ଭୁବନେଶ୍ୱରଠାରେ ଅହୋରାତ୍ର ଧାରଣାରେ ବସିବେ । ସମ୍ବଲପୁରରେ ହେବାକୁ ଥିବା ସଭାରେ ପଶ୍ଚିମ ଓଡିଶାରୁ ୧୦ ହଜାରରୁ ଅଧିକ କର୍ମୀ ଯୋଗ ଦେବେ  ବୋଲି ଜଣାପଡି଼ଛି। ସମ୍ବଲପୁର ଅଙ୍ଗନବାଡି କର୍ମୀ ତୃଣମୂଳ ସ୍ତରରେ ସରକାରଙ୍କ ସମସ୍ତ ଯୋଜନାକୁ ଶହେ ଶତକଡା କାର୍ଯ୍ୟକାରୀ କରିଆସୁଥିବା ବେଳେ ସେମାନଙ୍କୁ ବଞ୍ଚିବା ଭଲି ଭତ୍ତା କିମ୍ବା ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆ ଯାଉ ନ ଥିବା ଅଭିଯୋଗ ହୋଇଛି । ଏନେଇ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ସହିତ ଅନ୍ୟ ଗୁଡ଼ାଏ ସଂଘ ମିଶି ଅଙ୍ଗନବାଡି କର୍ମଚାରୀ ସଂଘ ସଂଯୁକ୍ତ ମୋର୍ଚ୍ଚା ନେତୃତ୍ବରେ ଭୁବନେଶ୍ବର ଠାରେ ୩ ଅକ୍ଟୋବରରୁ ଅହୋରାତ୍ର ଧାରଣା ଦେବେ ।  ଏନେଇ ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ସୁଚନା ଦିଆଯାଇଛି।


7. ଫେରିବ ମୌସୁମୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶରୁ ଅପସାରଣ ଲାଗି ପାଗ ଅନୁକୂଳ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଥମେ ରାଜସ୍ଥାନ ପଟୁ ମୌସୁମୀ ଲେଉଟାଣୀ ଆରମ୍ଭ ହେବ। ସାଧାରଣତଃ ଓଡ଼ିଶାରୁ ଅକ୍ଟୋବର ୧୫ ତାରିଖ ସୁଦ୍ଧା ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥାଏ। ତେବେ ମାସ ଶେଷକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। 


8. ମୋଦୀଙ୍କୁ ୮ ନମ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ ଉତ୍ସବରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଉଛନ୍ତି। ତାଙ୍କର ବୈଦେଶିକ ନୀତି ଓ ଦୁର୍ନୀତି ବିରୋଧୀ କାର୍ଯ୍ୟ ପ୍ରଶଂସନୀୟ। ସାମଗ୍ରିକ ଭାବେ ସେ ପ୍ରଧାନମନ୍ତ୍ରୀଙ୍କୁ ୧୦ ମାର୍କରୁ ୮ ମାର୍କ ଦେବେ ବୋଲି କହିଛନ୍ତି ନବୀନ।


9.ଡାକ୍ତରଙ୍କୁ ଛଅବର୍ଷ ଛୁଟି: ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ଛଅବର୍ଷ ଏକ କାଳୀନ ଛୁଟି ଦେବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଏହି ଛୁଟି ସେମାନଙ୍କ ପାଇଁ ଉଚ୍ଚଶିକ୍ଷା, ଗବେଷଣା ଲାଗି ସୁଯୋଗ ଦେବ। ପ୍ରଥମ ବର୍ଷରୁ ଆରମ୍ଭ କରି ପଦୋନ୍ନତି ସମୟ ଭିତରେ ସେମାନେ ଏହାର ସଦୂପଯୋଗ କରିପାରିବେ। ଏହି ଛୁଟି ୬ ବର୍ଷରୁ ଅଧିକ ହେବ ନାହିଁ। 


10. ଆଜିଠାରୁ କଂଗ୍ରେସର ପଦଯାତ୍ରା: ବିଜେଡି ସରକାର ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି ତଥା ନିଜର ଭୋଟ୍‍ ବ୍ୟାଙ୍କକୁ ମଜଭୁତ କରିବା ଉଦ୍ଦେଶ୍ୟରେ ରାଜ୍ୟ କଂଗ୍ରେସର ଆଜିଠାରୁ ପଦଯାତ୍ରା ଆରମ୍ଭ ହେବ। ଏହା ଅକ୍ଟୋବର ୧୫ ତାରିଖ ଯାଏ ଚାଲିବ। ଏହି ସମୟରେ ଗାଁ ଗାଁ ତଥା ଘରେ ଘରେ କଂଗ୍ରେସ ପହଞ୍ଚିବା ଲାଗି ଉଦ୍ୟମ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।