ଭୁବନେଶ୍ୱର: ବିଜେଡିରେ ଚାଲିଛି କୌଣସି ‘ଅଘୋଷିତ ଫତଓ୍ୱା’ର ଶାସନ। ଆଉ ଏହା ବିରୁଦ୍ଧରେ ମୁହଁ ଖୋଲିଲେ ଦଳ ଛାଡ଼ିବା ପାଇଁ ମିଳୁଛି ଇଙ୍ଗିତ। ଏମତି ଇଙ୍ଗିତ ଭିତରେ ପୁରୁଣା ନେତାମାନେ କୋଣଠେସା ହେଉଛନ୍ତି। ଅଣ ନିଃଶ୍ୱାସୀ ହୋଇ ଦଳଠୁ ଦୂରେଇ ରହୁଛନ୍ତି। ଏପରିକି ଦଳର ସଦସ୍ୟତା ନନେଲେ ବି ତାଙ୍କୁ କେହି ନିମନ୍ତ୍ରଣ କରି ସଦସ୍ୟତା ପ୍ରଦାନ କରୁ ନାହାନ୍ତି।


COMMERCIAL BREAK
SCROLL TO CONTINUE READING

ଏମିତି ଅସମ୍ମାନ ଓ ଅବିଚାରର ଶିକାର ହୋଇଛନ୍ତି ବରିଷ୍ଠ ନେତା ତଥା ବଡ଼ଚଣାରୁ ୬ ଥର ବିଧାୟକ ହୋଇଥିବା ଅମର ପ୍ରସାଦ ଶତପଥୀ।  ସେ ଦଳୀୟ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି ଏବଂ ଦଳର ସଭ୍ୟପଦକୁ ଗ୍ରହଣ କରୁନାହାନ୍ତି ବୋଲି ସ୍ପଷ୍ଟ କହିଛନ୍ତି।


ରବିବାରଦିନ ଶ୍ରୀ ଶତପଥୀ ଦଳର ମୁଖିଆଙ୍କୁ ପରାଜୟର ଦାୟିତ୍ୱ ନେବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ଦଳ ବିଜୟୀ ହେଲାପରେ ଯେମିତି ସେ ବିଜୟ ମୁକୁଟ ପିନ୍ଧୁଥିଲେ ଠିକ୍‍ ସେମିତି ପରାଜୟ ହେଲେ ବି ତାଙ୍କୁ ଦାୟୀ କରାଯିବ ଦରକାର।


ଅମରଙ୍କ ଏହି ବୟାନ ଦଳରେ ପୁଣିଥଣେ ବିଜୁଳି ଖେଳାଇଥିଲା। ଆଉ ଏହାକୁ କେନ୍ଦ୍ର କରି ଆଜି ଦଳର ମୁଖପାତ୍ର ଲେନିନ ମହାନ୍ତି ତାଙ୍କୁ ଳ ଛାଡ଼ିବାକୁ ଆହ୍ୱାନ ଦେଇଇଛନ୍ତି।। ‘ଅମରବାବୁ ଯଦି ଦଳରେ ଶ୍ୱାସରୁଦ୍ଧ ହେଲାପରି ଅନୁଭବ କରୁଛନ୍ତି ତେବେ ସେ ଦଳ ଛାଡ଼ି ଚାଲିଗଲେ ଭଲ ହୁଅନ୍ତା ବୋଲି କହିଛନ୍ତି। ଏପରିକି ସେ ଦଳ ଛାଡ଼ି ଗଲେ ବିଜେଡିର ପଇସାକର ବି କ୍ଷତି ହେବ ନାହିଁ ବରଂ ନୂଆ ନେତୃତ୍ୱଙ୍କ ଉଦୟ ହେବ ବୋଲି କହିଛନ୍ତି ଲେନିନ। ଏପରିକି ସେ ପୂର୍ବରୁ ତାଙ୍କ ପୁତୁରାଙ୍କୁ ବିଜେପିରେ ଯୋଗ କରାଇଛନ୍ତି ବୋଲି ବୋଲି ଅଭିଯୋଗ ଆଣିଛନ୍ତି ଲେନିନ।


ଲେନିନଙ୍କ ଏହି ବୟାନ ପରେ ଅମର କହିଛନ୍ତି ସେ ସଭ୍ୟପଦ ନବୀକରଣ କରିନାହାନ୍ତି। ସେ ନିଜକୁ ଅନେକ ଦିନ ହେଲା ବିଜେଡି ରାଜନୀତିରୁ ଦୂରେଇ ରଖିଛନ୍ତି। ‘ମୁଁ ସଭ୍ୟ ନାହିଁ ବୋଲି ସ୍ପଷ୍ଟ କରିବା ସହ ରାଜ୍ୟର ଲୋକଙ୍କ ସମ୍ପର୍କରେ ଅଛି ଓ ଲୋକଙ୍କ ଅନୁସାରେ ପରବର୍ତ୍ତୀ ନିଷ୍ପତ୍ତି ନେବି’ ବୋଲି କହିଛନ୍ତି।


ଅମରଙ୍କ ଏହି ବୟାନ ସ୍ପଷ୍ଟ କରୁଛି ଯେ, ମାନସିକ ଓ ଶାରିରୀକ ଭାବେ ବିଜେଡିର ନେତା ଭାବେ ଅମର ଆଉ ପରିଚିତ ହେବାକୁ ଚାହୁଁ ନାହାନ୍ତି। ୨୦୨୪ ନିର୍ବାଚନରେ ତାଙ୍କ ଟିକଟ କାଟି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକଟ ଦିଆଯିବାକୁ ନେଇ ଏହି ଅସନ୍ତୋଷ ଆରମ୍ଭ ହୋଇଥିଲା। ଆଜି ତାହା ତାଙ୍କୁ ଦଳର ବିଭିନ୍ନ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ବାଧ୍ୟ କରିଛି। ଏପରିକି ନିକଟରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନରେ ସେ ମଧ୍ୟ ଯୋଗ ଦେଇ ନଥିବା ଜଣାପଡ଼ିଛି।


ନିର୍ବାଚନ ଅବ୍ୟବହିତ ପୂର୍ବରୁ ଦଳର ପୁରୁଣା ନେତୃତ୍ୱଙ୍କୁ ଅଣ ଦେଖା କରି ନୂଆ ନେତାଙ୍କୁ ଟିକଟ ଦେବା ଲାଗି ଚେଷ୍ଟା କରାଯାଇଥିଲା। ଏପରିକି ଯେଉୋମାନେ ଦୀର୍ଘ ବର୍ଷ କାଳ ପାର୍ଟିରେ କାହାକୁ ଟିକଟ ଦିଆଯିବ ସ୍ଥିର କରୁଥିଲେ ସେମାନଙ୍କୁ ଆଡ଼େଇ ଦିଆଯାଇଥିଲା। ଦଳର ନେତା ନବୀନ ପଟ୍ଟନାୟକଙ୍କୁ ପଛୁଆ କରି ଭାକେ ପାଣ୍ଡିଆନ୍‍ଙ୍କୁ ନୂଆ ନେତା ଭାବେ ଠିଆ କରାଯାଇଥିଲା। ଏହି ରଣନୀତି ଦଳକୁ ପରାଜୟ ମୁହଁ ଦେଖାଇଥିବା ପୁରୁଣା ନେତାମାନେ କହିଥିଲେ ଏପରିକି କିଛି ନେତା ପାଣ୍ଡିଆନ୍‍ଙ୍କୁ ଦାୟୀ କରିଥିଲେ। କିନ୍ତୁ ସଭାପତି ଏ ନେଇ କୌଣସି ମତ ରଖି ନଥିଲେ। କିଛି ସମୟରେ ପାଣ୍ଡିଆନ ସନ୍ନ୍ୟାସ ନେଇଥିବା ନେଇ ଆଲୋଚନା ହୋଇଛି। ହେଲେ ଅମରଙ୍କ କ୍ଷେତ୍ରରେ ଯାହା ଘଟିଛି ତାହା ଦଳରେ ପୁଣିଥରେ ପାଣ୍ଡିଆନ୍‍ଙ୍କ ଉପସ୍ଥିତିକୁ ଜାହିର କରିଛି। ଏପରିକି ଯିଏ ତାଙ୍କୁ ବିରୁଦ୍ଧରେ ପ୍ରତ୍ୟକ୍ଷ ବା ପରୋକ୍ଷ ସ୍ୱର ଉତ୍ତୋଳନ କରୁଛି ତାଙ୍କୁ ଦଳରୁ ନିର୍ବାସନ ଦଣ୍ଡ ଭୋଗିବାକୁ ପଡ଼ୁଥିବା ସ୍ପଷ୍ଟ ହୋଇଛି।


ଅମର ପ୍ରସାଦ ଶତପଥି ୧୯୯୦ ମସିହାରୁ ବଡ଼ଚଣା ଆସନରୁ  ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୪ ମସିହାରେ କଂଗ୍ରେସର ସୀତାକାନ୍ତ ମହାପାତ୍ରଙ୍କ ଦ୍ୱାରା ସେ ପରାସ୍ତ ହୋଇଥିଲା। କିନ୍ତୁ ବାକି ସମୟରେ ଲୋକଙ୍କ ଆସ୍ଥା ଜିତିବାରେ ସଫଳ ହୋଇଥିବା ଏହି ପୁରୁଖା ନେତାଙ୍କୁ କିନ୍ତୁ ମନ୍ତ୍ରୀ ବା ଗୁରୁ ଦାୟିତ୍ୱରେ ଖୁବ୍‍ କମ୍‍ ଦେଖିବାକୁ ମିଳିଛି।    କୌଣସି ସମୟରେ ଦଳବିରୁଦ୍ଧରେ ସେ କୌଣସି ମନ୍ତବ୍ୟ ଦେଇଥିବା ନଜରକୁ ଆସି ନାହିଁ। ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଅମର ଏବେ ସକ୍ରିୟ ରେଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି ବୋଲି କହିଛନ୍ତି। ସେ କ’ଣ କରିବେ ବା ନକରିବେ ସେ ନେଇ ବିଜେଡିର ନେତାଙ୍କଠାରୁ କୌଣସି ପ୍ରମାଣପତ୍ର ଚାହୁଁ ନାହାନ୍ତି ବୋଲି କହିଛନ୍ତି।