ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ବୁଧବାର ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏହା ସହିତ ଆଜି ଭୁବନେଶ୍ବର ଏସବିଆଇ ମୁଖ୍ୟ ଶାଖାରେ ଥିବା ତାଙ୍କର ଲକରକୁ ମଧ୍ୟ ଯାଞ୍ଚ କରିଥିଲା। ଏହା ପରେ ଡାଇରେକ୍ଟ ଆକ୍ସନ ଚାର୍ଜରେ ବିଡିଓଙ୍କୁ ବାନ୍ଧିଛି ଭିଜିଲାନ୍ସ। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ, ଆଠଗଡ ବିଡିଓ ପ୍ରଦୀପଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଫଳରେ ଭିଜିଲାନ୍ସ ବୁଧବାର ବିଡିଓଙ୍କ ସ୍ତାବରଅସ୍ତାବର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଭିଜିଲାନ୍ସ ଚଢାଉ ପରେ ଆଠଗଡ଼ସ୍ଥିତ ସରକାରୀ କାର୍ଯ୍ୟାଳୟ ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ର ୮ଟି ସ୍ଥାନରେ ବୁଧବାର ଚଢ଼ାଉ କରିବା ବେଳେ ୨ଟି କୋଠା, ୩ ପ୍ଲଟ୍‌, ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ୍‌, ୪୭ ଲକ୍ଷ ଟଙ୍କାର ଜମା ଟଙ୍କା, ନଗଦ ୬.୧୧ ଲକ୍ଷ ଟଙ୍କା, ଦାମୀ ଡାଏମଣ୍ଡ ନେକ୍‌ଲେସ୍‌, ପ୍ରାୟ ୩୦୦ ଗ୍ରାମ୍‌ର ସୁନା, ଦୁଇଟି ୪ ଚକିଆ ଗାଡ଼ି ଆଦି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଏହା ସହିତ ଖୋର୍ଦ୍ଧାର ଭାଲିବଡ଼ିରେ ଗୋଟିଏ କୋଠା, ନୟାଗଡ଼ର ରାଜସୁନାଖଳାରେ ପୈତୃକ ବାସଗୃହ ଗୋଟିଏ ତିନିମହଲା କୋଠା, ୩ଟି ପ୍ଲଟ୍‌, ଭୁବନେଶ୍ୱର ଗୌତମ ନଗରରେ ୨-ବିଏଚ୍‌କେ ଫ୍ଲାଟ୍‌ ରହିଛି। 


ଅନ୍ୟପଟେ ପ୍ରଦୀପଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା। ହେଲେ ପ୍ରଦୀପ ଠୁଳ କରିଥିବା ସମ୍ପତ୍ତି ସମ୍ପର୍କରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ। ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।