ଭୁବନେଶ୍ୱର: ଖଣି ନିୟମର ଖୋଲାଖୋଲି ଉଲ୍ଲଂଘନ ପୁଣିଥରେ ସାମ୍ନାକୁ ଆସିଛି।  ସରକାରୀ ବାବୁ ଏକ୍ଷେତ୍ରରେ ଏମିତି କାର୍ଯ୍ୟ କରୁଛନ୍ତି ଯେ, ଏବେକାର ମନ୍ତ୍ରୀ ମଧ୍ୟ ତାହାକୁ ଜାଣିବା ସମ୍ଭବ ହେଉ ନାହିଁ। ଯାହାଫଳରେ ବିଧାନସଭାରେ ବି ମନ୍ତ୍ରୀ ଅଧାପନ୍ତରିଆ ଅସ୍ପଷ୍ଟ ଉତ୍ତର ଦେବାକୁ ବାଧ୍ୟ ହେଉଛନ୍ତି।  ଏମିତି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ପାଟମୁଣ୍ଡା ମାଙ୍ଗାନିଜ ଖଣି କ୍ଷେତ୍ରରେ। ନଜର ପକାନ୍ତୁ ପୂରା ରିପୋର୍ଟ। 

 

ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଖଣି ମଣ୍ଡଳରେ ଆସୁଥିବା ଏହି ମାଙ୍ଗାନିଜ ଖଣିଟି ୧୨ ଫେବୃୟାରୀ ୧୯୯୬ ମସିହାରେ ସନ୍ ଆଲୟେଜ୍ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ଼କୁ ସରକାର ଲିଜ୍‍ ସୂତ୍ରରେ ପଟ୍ଟା ଦେଇଥିଲେ। ହେଲେ ୨୦୦୬ ମସିହାରୁ ଏହା କାର୍ଯ୍ୟ କରିବା ବନ୍ଦ କରିଦେଇଥିଲେ। ଏହି ଖଣିଟି ୧୧ ଫେବୃୟାରୀ ୨୦୦୬ରୁ ବନ୍ଦ ପଡ଼ିଥିବା ବେଳେ ଏହାକୁ ଚଳିତ ମାର୍ଚ୍ଚ ୧୬ ତାରିଖରେ ନବୀକରଣ କରାଯାଇଥିଲା। ଦୁଇବର୍ଷରୁ ଅଧିକ ସମୟ ବନ୍ଦ ହୋଇ ରହିଲେ ଏହାର  ପୁଣିଥରେ ଲିଜ୍‍ ନିଲାମ କରାଯିବା କଥା। କିନ୍ତୁ ଏହା ନକରାଯାଇ ୨୦୨୪ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏହାକୁ ନବୀକରଣ କରାଯିବା ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା। କିନ୍ତୁ ଏ ବାବଦରେ ଯେଉଁ ଉତ୍ତର ମନ୍ତ୍ରୀ ବିଧାନସଭାରେ ରଖିଛନ୍ତି ତାହା ଅମଲାଙ୍କ ଦୋମୁହାଁ କାର୍ଯ୍ୟକୁ ସ୍ପଷ୍ଟ କରୁଛି। 

 

 

ସେପ୍ଟମ୍ବର ୫ ତାରିଖରେ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଇସ୍ପାତ୍ ଓ ଖଣିମନ୍ତ୍ରୀ ବିଭୁତିଭୂଷଣ ଜେନା କହିଛନ୍ତି, ଖଣି କ୍ରମାଙ୍କ ୩୨୧ରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ପାଟମୁଣ୍ଡା ମାଙ୍ଗାନିଜ୍ ଖଣିକୁ ସନ୍ ଆଲୟେଜ୍ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ଼କୁ ୧୨ ଫେବୃୟାରୀ ୧୯୯୬ରୁ ଲିଜ୍ ଦିଆଇଥିଲା । ୪୩.୫୩ ହେକ୍ଟର ଅଞ୍ଚଳ ପରିମିତ ଏହି ଖଣିଟି ୧୧ ଫେବୃୟାରୀ ୨୦୦୬ରୁ ଅଦ୍ୟାବଧି ବନ୍ଦ ରହିଛି । ଏହି ଉତ୍ତର ସ୍ପଷ୍ଟ କରୁଛି ଯେ ସନ୍‍ ଆଲଏଜ୍‍କୁ ଦିଆଯାଇଥିବା ନବୀକୃତ ପଟ୍ଟା ବାବଦରେ ସରକାରଙ୍କୁ ଅନ୍ଧାରରେ ରଖାଯାଇଛି।

 

ଖଣିଜ ରିହାତି ନିୟମ, ୨୦୧୬ର ଧାରା ୨୪ରେ ନିଲାମ ମାଧ୍ୟମରେ ପ୍ରଦାନ କରାଯାଇନଥିବା ସମସ୍ତ ଖଣି ଲିଜ୍‍କୁ ରଦ୍ଦ କରିବା ପାଇଁ ସର୍ତ୍ତ ମଧ୍ୟ ଧାର୍ଯ୍ୟ କରାଯାଇଛି । ଏହି ସର୍ତ୍ତ ଅନୁସାରେ ଦୁଇବର୍ଷ ଯଦି କୌଣସି ଖଣି ଖନନ କରିବ ନାହିଁ ଅର୍ଥାତ୍‍ ଖଣିରୁ କୌଣସି ଖଣିଜ ଉତ୍ତୋଳନ ହେବ ନାହିଁ ତେବେ ତାହାର ଲିଜ୍‍ ଆବଣ୍ଟନ ରଦ୍ଦ କରାଯାଇ ନୂଆ ଲିଜ ଆବଣ୍ଟନ ହେବ। କିନ୍ତୁ ଏ କ୍ଷେତ୍ରରେ ୧୮ ବର୍ଷ  ପାଟମୁଣ୍ଡା ଖଣି ବନ୍ଦ ପଡ଼ିଥିଲେ ମଧ୍ୟ ତାହାକୁ ରଦ୍ଦ କରାଯାଇ ନଥିଲା। ଅପରପକ୍ଷେ ନୂତନ ନିଲାମୀ ହେବା ପରିବର୍ତ୍ତେ ଏହାକୁ ପୁଣିଥରେ ସମାନ ଲିଜ ଧାରକଙ୍କ ନାଁରେ ଆବଣ୍ଟନ କରାଯାଇଛି।

  

ସୂଚନା ଅଧିକାର ଆଇନରେ ମିଳିଥିବା ରିପୋର୍ଟ ଅନୁସାରେ ସନ୍‍ ଆଲଏଜ୍‍ ଆଣ୍ଡ ମିନେରାଲ୍ସ ଲିମିଟେଡ୍‍ ୨୦୧୬-୧୭ରୁ ୨୦୨୩-୨୪ ପର୍ଯ୍ୟନ୍ତ ଖଣି ଖନନ କରିନଥିବାରୁ ସରକାରଙ୍କୁ ରୟାଲଟି ଦେଇନାହିଁ । ଏହି ସମୟ ମଧ୍ୟରେ କମ୍ପାନୀ କେବଳ ଡେଡ୍ ରେଣ୍ଟ ଓ ସର୍‌ଫେସ୍ ରେଣ୍ଟ ପ୍ରଦାନ କରିଛି । ତେଣୁ ଏହି ଉଲ୍ଲଂଘନ ଫଳରେ ଖଣିଜ ରିହାତି ନିୟମ, ୨୦୧୬ର ଧାରା ୨୪ ଅନୁଯାୟୀ ସନ୍‍ ଆଲଏଜ୍‍ ଆଣ୍ଡ ମିନେରାଲ୍ସ ଲିମିଟେଡ୍‍ର ଖଣି ଲିଜ୍‍କୁ ରାଜ୍ୟ ସରକାର ରଦ୍ଦ କରିପାରିବେ । 

 

ସନ୍ ଆଲୟେଜ୍ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ଼ର ପାଟମୁଣ୍ଡା ମାଙ୍ଗାନିଜ୍ ଖଣି ଏହି ସମୟ ମଧ୍ୟରେ ଖଣିଜ ରିହାତି ନିୟମ, ୧୯୬୦ର ଧାରା-୩୭ର ଉଲଂଘନ କରିଛି । ଏହି ସର୍ତ୍ତର ଉଲ୍ଲଂଘନ କଲେ ଖଣି ଲିଜ୍‍କୁ ରଦ୍ଦ କରାଯିବ । କେବଳ ଖଣି ଆଇନ ନୁହେଁ, ଖଣିଜ ରିହାତି ନିୟମ, ୧୯୬୦ ଅନୁଯାୟୀ ଖଣି ଲିଜ୍‍ ପ୍ରଦାନ କରାଯାଉଥିବା ଫର୍ମ କେ (ଖଣି ଲିଜ୍‍ର ମଡେଲ୍‍ ଫର୍ମ)ର ୧୭ ଧାରାରେ ମଧ୍ୟ ଉପରୋକ୍ତ ସର୍ତ୍ତକୁ ଅନ୍ତଭୁକ୍ତ କରାଯାଇଛି ।