Top 10 News Today:ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ, ଖୋଲିଲା ଚାରି ଦ୍ୱାର ଏବଂ ସକାଳର ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2516547

Top 10 News Today:ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ, ଖୋଲିଲା ଚାରି ଦ୍ୱାର ଏବଂ ସକାଳର ଅନ୍ୟ ମୁଖ୍ୟ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today:ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ, ଖୋଲିଲା ଚାରି ଦ୍ୱାର ଏବଂ ସକାଳର ଅନ୍ୟ ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ
ଆଜିଠୁ ଚାରିଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମିଶନ ଉତ୍କର୍ସ ଓଡି଼ଶା। ଓଡି଼ଶାକୁ ଅଧିକ ନିବେଶକ ଭିଡିବାକୁ ଫୁଲଦମରେ କସରତ କରୁଛନ୍ତି ରାଜ୍ୟ ସରକାର।  ଦେଶ ପରେ ଏବେ ବିଦେଶରୁ ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବାକୁ ହେବ ରୋଡ୍ ମ୍ୟାପ୍। ଏଥିପାଇଁ ଆଜି ସିଙ୍ଗାପୁର୍ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ସିଙ୍ଗାପୁରରେ ଶିଳ୍ପ ବିଭାଗ ରୋଡ୍ ସୋ ଆୟୋଜିତ କରୁଛି। ମୁଖ୍ୟମନ୍ତ୍ରୀ ନିବେଶକଙ୍କ ସହ ଆଲୋଚନା କରିବେ। ଓଡି଼ଶାରେ ଶିଳ୍ପାୟନ ପାଇଁ ଥିବା ସବୁ ସମ୍ଭାବନା ଓ ସରକାରଙ୍କ ସହଯୋଗର ପ୍ରତିଶ୍ରୃତି ଦେବେ। 

ଆଜିଠୁ ଭକ୍ତଙ୍କ ପାଇଁ ପୁଣି ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର
ସରିଛି ଧର୍ମ ମାସ କାର୍ତ୍ତିକ, ବ୍ରତ ସାରି ଫେରିଯାଉଛନ୍ତି ହବିଷ୍ୟାଳି। ଶ୍ରୀମନ୍ଦିରରେ ଭିଡ଼ କମିଥିବାରୁ ଆଜିଠୁ ପୁଣି ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ୪ଦ୍ୱାର। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ- ଆଜିଠୁ ୪ ଦ୍ୱାର ଦେଇ ସାଧାରଣ ଦର୍ଶନାର୍ଥୀ ପ୍ରବେଶ କରିବେ, କିନ୍ତୁ କେବଳ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ।

ଆଜି ଛାଡ଼ଖାଇ
ଶେଷ ହୋଇଛି ଧର୍ମ ମାସ କାର୍ତ୍ତିକ। ଆଜି ହେଉଛି ଛାଡଖାଇ। ଆଜି ଘରେ ଘରେ ଆମିଷ ହୋଇଥାନ୍ତା। କାହା ଘରେ ମାଛ ତ କାହା ଘରେ ମାଂସ କସା ହୋଇଥାନ୍ତା। କେଉଁ ରାତିରୁ ଦୋକାନରେ ଗ୍ରାହକଙ୍କ ଲାଇନ ଲାଗିଥାନ୍ତା। ଚଳଚଞ୍ଚଳ ହୋଇ ଉଠିଥାନ୍ତା ଆମିଷ ବଜାର। ଭଲ ଦୁଇ ପଇସା ବେପାର ମଧ୍ୟ ହୋଇଥାନ୍ତା। ହେଲେ ଏଥର ଛାଡଖାଇରେ ସେମିତି କିଛି ଦେଖିବାକୁ ମିଳିନାହିଁ। ଆମିଷ ବଜାର ପୁରା ଖାଁ ଖାଁ। କାରଣ ଆଜି ଶନିବାରକୁ ସଂକ୍ରାନ୍ତି ଥିବାରୁ ଅଧିକାଂଶ ଲୋକେ ଆମିଷ ଖାଇବେ ନାହିଁ। ଏଥିପାଇଁ ଛାଡଖାଇ ହୋଇଥିଲେ ବି ଆମିଷ ବଜାରରେ ନାହିଁ ଭିଡ଼।

କଟକ ଓ ସମ୍ବଲପୁରରେ ହେବ ରିଭର ପଏଣ୍ଟ
ଆଧୁନିକ ହେବ ରୌପ୍ୟ ନଗରୀ କଟକ। ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମହାନଦୀରେ ହେବ ଦୁଇଟି ରିଭର ଫ୍ରଣ୍ଟ। କଟକ ଓ ସମ୍ବଲପୁରରେ ରିଭର ଫ୍ରଣ୍ଟ ହେବ। ଏହା ସାବରମତୀ ରିଭର ଫ୍ରଣ୍ଟ ଭଳି ହେବ। ଏଥିପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବାଲିଯାତ୍ରା ପାଇଁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ମହାନଦୀ ପଠା। ଏଥର ଯୋଗ ଦେଇଛନ୍ତି ୧୩ଟି ଦେଶର ରାଷ୍ଟ୍ରଦୂତ ଓ ହାଇକମିଶନର ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ଦେଶର କଳାକାର ବାଲିଯାତ୍ରାରେ ସେମାନଙ୍କ କଳା ପ୍ରଦର୍ଶନ କରିବେ। ଏହି ଐତିହାସିକ ଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରରେ ପହଂଚାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।     

ହସ୍ପିଟାଲରେ ଲାଗିଲା ନିଆଁ; ଜଳିଗଲେ ୧୦ ଶିଶୁ
ଉତ୍ତରପ୍ରଦେଶର ଝାନସିସ୍ଥିତ ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗତ ରାତିରେ ଶିଶୁ ରୋଗ ୱାର୍ଡରେ ନିଆଁ ଲାଗିବାରୁ ୧୦ ଜଣ ନବଜାତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଏହି ଅଘଟଣରେ ପ୍ରାୟ ୧୬ ଜଣ ଗୁରୁତର ହୋଇଛନ୍ତି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।ଗତକାଲି ରାତିରେ ହସ୍ପିଟାଲର NICUରେ ପ୍ରଥମେ ନିଆଁ ଲାଗିଥିଲା । ତୁରନ୍ତ ହସ୍ପିଟାଲ କର୍ମଚାରୀ ଝରକା ଭାଙ୍ଗି ରୋଗୀଙ୍କୁ ଉଦ୍ଧାର କରିଥିଲେ । ଗତକାଲି ରାତି ପ୍ରାୟ ୧୦ଟା ୩୫ ମିନିଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବା ମାତ୍ରେ ଶିଶୁ ରୋଗ ୱାର୍ଡରେ ଥିବା ୩୭ ଜଣଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା ।

୨ରୁ ୪ଡିଗ୍ରି ଖସିବ ପାରଦ
ଆଗାମୀ ୪ରୁ ୫ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହ ଗତକାଲି ରାତିରେ ଚଳିତ ବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିଠାରେ ୧୨ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଅଧିକାଂଶ ସହରର ପାରଦ ୨୦ ଡିଗ୍ରି ତଳକୁ ଖସି ଆସିଛି।ରାଉରକେଲାରେ ୧୩.୯ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା ଓ ଅନୁଗୁଳରେ ୧୪.୬, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୫, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୧୫.୪, କେନ୍ଦୁଝରରେ ୧୫.୫, କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଚିପିଲିମାରେ ୧୫.୬, ଭଦ୍ରକରେ ୧୬, ଭବାନୀପାଟଣାରେ ୧୬.୮, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ୧୭, ସମ୍ବଲପୁର ଓ କୋରାପୁଟରେ ୧୭.୨ ଡିଗ୍ରି ଲେଖାଏଁ ରହିଥିଲା।

ଝାରସୁଗୁଡ଼ାରୁ ମିଳିବ ସିଧାସଳଖ ବିମାନ ସୁବିଧା
ଓଡ଼ିଶାରୁ ଦେଶର ଗୁରୁତ୍ବପୂର୍ଣ୍ଣ ରାଜ୍ୟକୁ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେଉଛି। ଓଡ଼ିଶାର ପ୍ରଗତି ପଥ ପ୍ରଶସ୍ତ ହେଉଛି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର, ଲକ୍ଷ୍ନୌ ଏବଂ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ୍, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଗୃହମନ୍ତ୍ରୀଙ୍କ ହେଲିକପ୍ଟର, ବ୍ୟାଗ୍‌ ତଲାସୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ‌ ମହାରାଷ୍ଟ୍ରର ହିଙ୍ଗୋଳିରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ସେଠାରେ ନିର୍ବାଚନ କମିସନ ଅଧିକାରୀମାନେ ଶାହଙ୍କ ହେଲିକପ୍ଟର ଏବଂ ବ୍ୟାଗ୍‌ ତଲାସୀ କରିଛନ୍ତି। ନିର୍ବାଚନ ଅଧିକାରୀମାନେ ହେଲିକପ୍ଟରରେ ଶାହଙ୍କ ବ୍ୟାଗ୍‌ ଯାଞ୍ଚ କରୁଥିବାର ଭିଡିଓ ଶାହ ପୋଷ୍ଟ୍‌ କରି କହିଛନ୍ତି, ବିଜେପି ମୁକ୍ତ ଓ ଅବାଧ ନିର୍ବାଚନରେ ବିଶ୍ବାସ କରେ। ଏଥିପାଇଁ ଏହା ନିର୍ବାଚନ କମିସନ୍‌ଙ୍କ ଦ୍ବାରା ପ୍ରସ୍ତୁତ ସମସ୍ତ ନିୟମକୁ ଅନୁସରଣ କରେ। ଶାହ କହିଛନ୍ତି, ଆମେ ସମସ୍ତେ ଭାରତକୁ ବିଶ୍ବରେ ଏକ ଶକ୍ତିଶାଳୀ ଗଣତନ୍ତ୍ର ଭାବେ ରଖିବାରେ ଆମର କର୍ତ୍ତବ୍ୟ ସଠିକ୍‌ ଭାବେ ପାଳନ କରିବା ଉଚିତ ଏବଂ ଆମର ଏକ ସ୍ବଚ୍ଛ ନିର୍ବାଚନ ପଦ୍ଧତି ପ୍ରତି ଅବଦାନ ରହିବା ଉଚିତ।

ପ୍ରଧାନମନ୍ତ୍ରୀଙ୍କ ବିମାନରେ ତ୍ରୁଟି
ଝାଡ଼ଖଣ୍ଡର ଦେଓଘରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିଭିନ୍ନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ବିଳମ୍ବ ହୋଇଥିବା ଜଣାପଡ଼ିଛି। ତ୍ରୁଟି ଠାବ ହେବାର ଦୁଇ ଘଣ୍ଟାରୁ ଅଧିକ ସମୟ ପରେ ଦିଲ୍ଲୀରୁ ପଠାଯାଇଥିବା ଭାରତୀୟ ବାୟୁସେନାର ଅନ୍ୟ ଏକ ବିମାନରେ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଉଡ଼ାଣ ଭରିବାକୁ ଥିବା ବିମାନରେ ଥିବା ସମୟରେ ହିଁ ତ୍ରୁଟି ଜଣାପଡ଼ିଥିଲା ଏବଂ ବିମାନକୁ ଦେଓଘରଠାରେ ଅଟକାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ବାୟୁସେନା ବିମାନ ପହଞ୍ଚିବା ପୂର୍ବରୁ ବିମାନରେ ଥିବା ତ୍ରୁଟିକୁ ସୁଧାରିବା ପାଇଁ ମଧ୍ୟ ପ୍ରୟାସ କରାଯାଇଥିଲା। ନଭେମ୍ବର ୨୦ ତାରିଖରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଆଜି ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ତଥା ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡରେ ଦୁଇଟି ରାଲିକୁ ସମ୍ବୋଧିତ କରିଥିଲେ।

ମହାରାଷ୍ଟ୍ରକୁ ମାତ ଦେଲା ଓଡ଼ିଶା
ଚଳିତ ରଣଜୀ ସିଜିନରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। ସିଜିନର ୪ର୍ଥ ମ୍ୟାଚ୍‌ ଖେଳୁଥିବା ଓଡ଼ିଶା ବାରବାଟୀରେ ମହାରାଷ୍ଟ୍ରକୁ ୩ ୱିକେଟରେ ହରାଇ ଦେଇଛି। ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୩୮ ରନର ଲିଡ୍‌ ପାଇଥିବା ତୃତୀୟ ଦିନରେ ଏଥିରେ ଆଉ ୧୨୯ ରନ ଯୋଡ଼ି ମହାରାଷ୍ଟ୍ରକୁ ମାତ ଦେଇଛି।