Weather Update: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ଥିବା ଯୋଗୁଁ ରାଜ୍ୟରେ ବର୍ଷାର ପରିମାଣ କମ୍ ରହିଛି । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ଗୋଟେ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ଥିବା ବେଳେ ଅନ୍ୟପଟେ ଆଜିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବେ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।



COMMERCIAL BREAK
SCROLL TO CONTINUE READING

ସୂଚନା ଥାଉ କି, ଆଜି ୧୮ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ କନ୍ଧମାଳ ଆଦି ୧୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ସହ ବଜ୍ରପାତର ହେବା ନେଇ ସମ୍ଭାବନା ରହିଛି। ଏନେଇ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ (Yellow alert ) ଜାରି କରାଯାଇଛି । ସେହିପରି ଆସନ୍ତା ୨୩ ତାରିଖରେ ୫ଟି ଜିଲ୍ଲାରେ ଓ ୨୪ ତାରିଖରେ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା (Heavy Rain) ନେଇ ବିଭାଗ ପୂର୍ବାନୁମାନ କରାଯାଇଛି ।



 


ସାଧାରଣତଃ ଅଗଷ୍ଟ ମାସରେ ମୌସୁମୀ ସକ୍ରିୟ ରହିବା ଯୋଗୁଁ ସର୍ବୋଚ୍ଚ ତାପମାତ୍ରା ୩୨ରୁ ୩୫ ଡିଗ୍ରୀ ଭିତରେ ରହିଥାଏ । ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ମୌସୁମୀ (Monsoon) ବାୟୁ ପ୍ରଭାବରେ ବର୍ଷା ହେବା ଦ୍ବାରା ଅଗଷ୍ଟ ମାସରେ ତାପମାତ୍ରା ହ୍ରାସ ପାଇଥାଏ । ତେଣୁ ଏହି ମାସରେ କମ୍ ଗରମ ଅନୁଭୂତ ହୋଇଥାଏ । ମୌସୁମୀ ସମୟରେ ବାୟୁରେ ଆର୍ଦ୍ରତା ରହୁଥିବାରୁ ଜଳୀୟ ବାଷ୍ପ ଅଧିକ ରହିଥାଏ । ତେଣୁ ଅସ୍ବାଭାବିକ ସ୍ଥିତି ଅନୁଭୂତ ହୁଏ । କେବଳ ଓଡ଼ିଶା ନୁହେଁ, ବର୍ତ୍ତମାନ ସାରା ଦେଶରେ ମୌସୁମୀ ନିଷ୍କ୍ରିୟ ରହିଛି। ଓଡ଼ିଶାକୁ ପଶ୍ଚିମା ପବନ ପ୍ରବାହିତ ହେଉଥିବାରୁ ଗରମ ଅନୁଭୂତ ହେଉଛି।



ପ୍ରକାଶ ଥାଉ କି, ଗତ ଜୁନ ମାସରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବମୋଟ ୬୫୩.୮ ମିମି ବର୍ଷା ହୋଇଛି । ସାଧାରଣତଃ ଏହି ସମୟ ମଧ୍ଯରେ ରାଜ୍ୟରେ ୬୯୮.୪ ମିମି ବର୍ଷା ହୋଇଥାଏ । ତେବେ ବର୍ତ୍ତମାନ ରାଜ୍ୟରେ ୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଏବେ ସୁଦ୍ଧା ରାଜ୍ୟର ୧୬ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୦ଟି ଜିଲ୍ଲାରେ ନିଅଣ୍ଟିଆ ଓ ଅବଶିଷ୍ଟ ୪ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ସୂଚନା ରହିଛି ।


Also Read-Puri: ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ତିଆରି ହେବ ଦିବ୍ୟାଙ୍ଗ ରାମ୍ପ, ଖୁବଶୀଘ୍ର ମରାମତି ହେବ ନାଟମଣ୍ତପ ଫାଟ